ନକ୍ସଲ ନେଇଛନ୍ତି ୯ ହଜାର ଜୀବନ

 ଭୁବନେଶ୍ୱର :  ୨୦ ବର୍ଷ ମଧ୍ୟରେ ନକ୍ସଲ ନେଇସାରିଲେଣି ପ୍ରାୟ ୯ ହଜାର ଜୀବନ  । ସହିଦ୍ ହୋଇଛନ୍ତି ୨୩୪୪ ସୁରକ୍ଷା କର୍ମୀ  । ୬ ହଜାରରୁ ଉଦ୍ଧ୍ୱର୍ ସାଧାରଣ ଲୋକଙ୍କ ଜୀବନ ବି ନେଇଛନ୍ତି  । ନକ୍ସଲଙ୍କ ଦାଉରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାରଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶର ୮ କୋଟି ଆଦିବାସୀ ପ୍ରଭାବିତ ହେଉଛନ୍ତି  । ସାମ୍ପ୍ରତିକ ସମୟରେ ନକ୍ସଲ ଆନେ୍ଦାଳନର ଆବଶ୍ୟକ ନଥିବାବେଳେ କିଛି କ୍ୟାଡ଼ର ନିଜସ୍ୱ ସ୍ୱାର୍ଥ ପାଇଁ ହିଂସାକାଣ୍ଡ ଭିଆଉଥିବା ଜଣାପଡ଼ିଛି  । ଅପରପକ୍ଷରେ ନକ୍ସଲଙ୍କ ନିପାତ ପାଇଁ  ୨୦୨୬ ମାର୍ଚ୍ଚ ସୁଦ୍ଧା ଡେଡଲାଇନ୍ ଦେଇଛନ୍ତି କେନ୍ଦ୍ର ସରକାର  । ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସୁରକ୍ଷାକର୍ମୀ ଏବେ ଘନଘନ କୁମ୍ବିଂ ଆରମ୍ଭ କରିଦେଇଛନ୍ତି । 
ମୋଦି ସରକାରଙ୍କ କଠୋର ନକ୍ସଲ ଦମନ ନୀତିର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳୁଛି  । ପୂର୍ବରୁ ଦେଶର ବିଭିନ୍ନ ଅଞ୍ଚଳରେ ନକ୍ସଲ ଆନେ୍ଦାଳନ ବେଶ୍ ସଶକ୍ତ ଓ ହିଂସାତ୍ମକ ଥିଲା  । କିନ୍ତୁ ସମ୍ପ୍ରତି ବସ୍ତର ଅଞ୍ଚଳରେ ହିଁ ମାଓବାଦୀ ବା ନକ୍ସଲବାଦୀମାନେ ଉପଦ୍ରବ ଚଳାଉଥିବା ଦେଖିବାକୁ ମିଳିଛି  । ଅନ୍ୟ ରାଜ୍ୟ ବା ଅଞ୍ଚଳରେ ସେମାନଙ୍କ ପ୍ରଭାବ ବହୁଳ ଭାବେ ହ୍ରାସ ପାଇଛି । 
ମୋଦି ସରକାର କ୍ଷମତାକୁ ଆସିବା ପରେ ୧୦ ରାଜ୍ୟର ୧୨୬ ଜିଲ୍ଲା ମାଓ ଅଧ୍ୟୁଷିତ ଥିଲା  । କିନ୍ତୁ ୨୦୨୫ରେ ଏହି ଜିଲ୍ଲା ସଂଖ୍ୟା ୧୨କୁ ଖସିଆସିଛି  । ବିଶେଷକରି ବସ୍ତର ଅଞ୍ଚଳରେ ନକ୍ସଲମାନେ ବେଶୀ ସକ୍ରିୟ ଥିବାବେଳେ ଏହାର ସୀମାନ୍ତ ଅର୍ଥାତ୍ ଓଡ଼ିଶା, ଝାରଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ କିଛିଟା କାର୍ଯ୍ୟକଳାପ ଦେଖିବାକୁ ମିଳୁଛି  । ତଥ୍ୟ ଅନୁଯାୟୀ, ୨୦୦୪ ଜୁନରୁ ୨୦୧୪ ମେ’ ମଧ୍ୟରେ ୧୮୫୪ ସୁରକ୍ଷା କର୍ମୀ ଓ ୪୬୮୪ ସାଧାରଣ ଲୋକ ନକ୍ସଲଙ୍କ ଦ୍ୱାରା ନିହତ ହୋଇଥିବାବେଳେ ୨୦୧୪ ଜୁନରୁ ୨୦୨୫ ଫେବୃଆରୀ ପର୍ଯ୍ୟନ୍ତ ୫୨୦ ସୁରକ୍ଷା କର୍ମୀ ଓ ୧୫୭୪ ସାଧାରଣ ଲୋକ ମୃତୁ୍ୟବରଣ କରିଛନ୍ତି  । ଅର୍ଥାତ୍ ପୂର୍ବାପେକ୍ଷା ପ୍ରାୟ ୭୦% ହ୍ରାସ ପାଇଛି  । ସେହିପରି ୨୦୧୪ ବେଳକୁ ୩୩୦ ଥାନା ଅଞ୍ଚଳରେ ନକ୍ସଲ ଆକ୍ରମଣ ଦେଖିବାକୁ ମିଳୁଥିବାବେଳେ ଏବେ ତାହା ୧୫୧ଟି ଥାନା ଅଞ୍ଚଳରେ ସୀମିତ ରହିଛି  । ସେହିପରି ଛତିଶଗଡ଼ ବାମ ଉଗ୍ରବାଦର କରିଡ଼ର ଥିଲା  । ସେଠାରେ ୧୮ ହଜାର କିମି ଅଞ୍ଚଳ ନକ୍ସଲ ଅଧ୍ୟୁଷିତ ଥିବାବେଳେ ଏବେ ତାହା ୮୫ ଶହ କିମିକୁ ଖସିଆସିଛି  । 
ଖାଲି ସୁରକ୍ଷା ବଳ ମୁତୟନ ନୁହେଁ ଭିତ୍ତିଭୂମି ସୁଦୃଢ଼ କାରଣରୁ ନକ୍ସଲ ଅଧ୍ୟୁଷିତ ଅଞ୍ଚଳ ହ୍ରାସ ପାଇଛି  । ଗତ ୧୦ ବର୍ଷ ମଧ୍ୟରେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ୧୧୫୦୩ କିମି ରାସ୍ତା ହେବା ସହ ୨୩୪୩ଟି ମୋବାଇଲ ଟାୱାର କରାଯାଇଛି  । ନକ୍ସଲଙ୍କୁ ଠାବ କରିବା ପାଇଁ ଭାରତ ଡ୍ରୋନ ଓ ନେତ୍ରା-୩ ଭଳି ଅତ୍ୟାଧୁନିକ ଟେକ୍ନୋଲୋଜିର ପ୍ରୟୋଗ କରାଯାଉଛି  । ଯାହାଦ୍ୱାରା ଘଞ୍ଚ ଜଙ୍ଗଲ ଭିତରେ ୫ କିମି ପରିଧିରେ ସେମାନଙ୍କୁ ଚିହ୍ନଟ କରାଯାଇପାରୁଛି  । ହିରୋନ୍ ୟୁଏଭି ଦ୍ୱାରା ୩୫ ହଜାର ଫୁଟ ଉପରୁ ସେମାନଙ୍କ ଗତିବିଧି ଯାଞ୍ଚ କରାଯାଉଛି  ।  ଅପରପକ୍ଷରେ ବିଗତ ଦିନମାନଙ୍କରେ ସୁରକ୍ଷା କର୍ମୀମାନେ ଘନଘନ କମ୍ବିଂ ଅପରେସନ୍ କରି ନକ୍ସଲଙ୍କୁ ନିପାତ କରୁଛନ୍ତି  । ୨୦୧୯ ପରେ ୭୯୬ ନକ୍ସଲଙ୍କ ନିପାତ କରାଯାଇଛି  । ସେହିପରି ୫୯୭୮ ଜଣ ନକ୍ସଲ ଓ ନକ୍ସଲଙ୍କ ସହଯୋଗୀ ଗିରଫ ହୋଇଥିବାବେଳେ ୭୫୧୬ ଜଣ ଆତ୍ମ ସମର୍ପଣ କରିଛନ୍ତି  । ଏହାଛଡ଼ା ୧୫ ନକ୍ସଲ କମାଣ୍ଡାର, ପଲଟିବୁ୍ୟରୋ ଓ କେନ୍ଦ୍ରୀୟ କମିଟି ମେମ୍ବରଙ୍କୁ ନିପାତ କରାଯାଇଛି  ।