‘ନିମୋ’ ରାଜ୍ କାଏମ : ବିହାରରେ ଏନଡ଼ିଏର ଡବଲ ସେଞ୍ଚୁରୀ
- ଧୂଳି ଚାଟିଲା ମହାଗଠବନ୍ଧନ
- ଫୁସ୍ ହୋଇଗଲେ ପିକେ
- ବିଜେପି ୮୯, ଜେଡ଼ିୟୁ ୮୫, ଆରଜେଡ଼ି ୨୫, ଏଲଜେପି (ରାମବିଳାଶ) ୧୯, କଂଗ୍ରେସ ୬, ଏଆଇଏମ୍ଆଇଏମ୍ ୫, ହାମ୍ ୫
ପାଟଣା : ଜାତୀୟ ରାଜନୀତିକୁ ନୂଆ ମୋଡ଼ ଦେଇଛି ବିହାର ନିର୍ବାଚନ । ମହାଗଠବନ୍ଧନ ବିହାରରେ ଏନଡ଼ିଏକୁ ଚକମା ଦେବାକୁ ରଣନୀତି କରିଥିବାବେଳେ ନରେନ୍ଦ୍ର ମୋଦି-ନୀତିଶ କୁମାର (ନିମୋ)ଙ୍କ ସଫଳ ଗୋଟିଚାଳନାରେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଗୋଟିଏ ପଟେ ଏନଡ଼ିଏ ଡବଲ ସେଞ୍ଚୁରୀ ମାରି ରେକଡର଼୍ କରିଥିବାବେଳେ ଅପରପକ୍ଷରେ ମହାଗଠବନ୍ଧନକୁ ମାଟି କାମୁଡ଼ିବାକୁ ପଡ଼ିଛି । ଏସବୁ ଭିତରେ ସବୁଠାରୁ ବଡ଼ କଥା ହେଉଛି ବିହାରର ଏକଜିଟ୍ ପୋଲ ପୂର୍ବଥର ଭଳି ଭୁଲ୍ ପ୍ରମାଣିତ ହୋଇଛି । ବିହାରବାସୀଙ୍କ ମୁଡ଼ କଳିବାକୁ ସତେଯେମିତି କେହିବି ସମର୍ଥ ହୋଇନାହାନ୍ତି କହିଲେ ଭୁଲ୍ ହେବନାହିଁ ।
ନିର୍ବାଚନରେ ବିଜେପିକୁ ସର୍ବାଧିକ ୮୯ ଆସନ ମିଳିଥିବାବେଳେ ସହଯୋଗୀ ଜେଡ଼ିୟୁକୁ ୮୫ ଆସନ ମିଳିଛି । ଅନେକ ଏକଜିଟ୍ ପୋଲରେ ତେଜସ୍ୱୀ ଯାଦବଙ୍କ ଆରଜେଡ଼ି ସର୍ବବୃହତ୍ ଦଳ ହେବବୋଲି ପୂର୍ବାନୁମାନ କରାଯାଇଥିଲା । ଏମିତିକି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ତୁଳନାରେ ତେଜସ୍ୱୀଙ୍କୁ ଅଧିକ ଲୋକ ପସନ୍ଦ କରୁଥିବା ନେଇ ସର୍ଭେ ରିପୋର୍ଟ ଆସିଥିଲା । ହେଲେ ନିର୍ବାଚନରେ ବିହାରବାସୀ ତେଜସ୍ୱୀଙ୍କୁ ଲଣ୍ଠନ ଧରାଇ ଦେଇଛନ୍ତି । ଆରଜେଡ଼ିକୁ ମାତ୍ର ୨୫ଟି ଆସନ ମିଳିଛି । ଗତ ନିର୍ବାଚନରେ ଏକାକୀ ଲଢ଼ିଥିବା ଚିରାଗ ପାଶୱାନଙ୍କ ଏଲଜେପିଆରଭି ଏଥର ଏନଡ଼ିଏ ସହ ମେଣ୍ଟ କରିଥିଲା । ଚିରାଗଙ୍କ ଦଳ ୧୯ ଆସନରେ ବାଜିମାତ୍ କରିଥିବାବେଳେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । କଂଗ୍ରେସକୁ ମାତ୍ର ୬ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସେହିପରି ଆରଜେଡ଼ିର ମୁସଲିମ୍ ଭୋଟ୍ ବ୍ୟାଙ୍କରେ କତୁରୀ ମାରିଦେଇଛି ଓବେସୀଙ୍କ ଏଆଇଏମଆଇଏମ୍ । ଅନେକ ସ୍ଥାନରେ ଆରଜେଡ଼ିକୁ ଓବେସୀ ପରାଜୟର ମୁହଁକୁ ଠେଲି ଦେଇଥିବାବେଳେ ତାଙ୍କ ଦଳ ବି ୫ ଆସନରେ ବିଜୟ ହାସଲ କରିଛି । ଏନଡ଼ିଏର ଅନ୍ୟତମ ସହଯୋଗୀ ହାମକୁ ୫, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାକୁ ୪ ଆସନ ମିଳିଛି । ଅପରପକ୍ଷରେ ସିପିଆଇଏମଏଲକୁ ୨, ଆଇଆଇପିକୁ ୧ ଆସନ ମିଳିପାରିଛି ।
ଅପରପକ୍ଷରେ ନିର୍ବାଚନରେ ବଡ଼ ବିପର୍ଯ୍ୟୟର ସାମ୍ନା କରିଥିଲେବି ଆରଜେଡ଼ିକୁ ସର୍ବାଧିକ ୨୩% ଭୋଟ୍ ମିଳିଛି । ଅବଶ୍ୟ ସବୁଠାରୁ ଅଧିକ ଆସନରେ ଲଢ଼ିଥିବାରୁ ଆରଜେଡ଼ି ଏହି ସଫଳତା ହାସଲ କରିପାରିଛି । ସେହିପରି ବିଜେପିକୁ ୨୦% ଭୋଟ୍ ମିଳିଥିବାବେଳେ ଜେଡ଼ିୟୁକୁ ୧୯.୨୬% ଭୋଟ୍ ମିଳିପାରିଛି । ଅପରପକ୍ଷରେ ଚିରାଗଙ୍କ ଦଳକୁ ୫% ଓ କଂଗ୍ରେସକୁ ୮.୭୨% ଭୋଟ୍ ମିଳିଥିବା ଇସିଆଇଙ୍କ ରିପୋର୍ଟରୁ ଜଣାପଡ଼ିଛି । ମହାଗଠବନ୍ଧନର ଏମ ୱାଇ ବା ମୁସଲିମ୍ ଯାଦବ ସମୀକରଣ ଏଥର ପ୍ରଭାବୀ ହୋଇପାରିନାହିଁ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତିଯେ, ଏମୱାଇ ପାଇଁ ଏନଡ଼ିଏ ବାଜିମାତ୍ କରିଛି । ମହିଳା ଓ ୟୁଥକୁ ସେ ଏମୱାଇ ବୋଲି ଅଭିହିତ କରିଛନ୍ତି । ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଚାଣକ୍ୟ ଭାବେ ପରିଚିତ ପ୍ରଶାନ୍ତ କିଶୋରଙ୍କ ଜନସୂରାଜ ପାର୍ଟି ଫୁସ୍ ହୋଇଯାଇଛି । ବିହାର ରାଜନୀତିରେ ପିକେଙ୍କ କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ ।