ଦିଲ୍ଲୀରେ ପୁଟିନ୍ : ମୋଦିଙ୍କ ଭବ୍ୟ ସ୍ୱାଗତ
ଆଜି ୨୩ତମ ଦ୍ୱିପାକ୍ଷିକ ସମ୍ମିଳନୀରେ ଯୋଗ ଦେବେ
ନୂଆଦିଲ୍ଲୀ : ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦୁଇ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ଅବତରଣ କରିଛନ୍ତି । ସେ ଦିଲ୍ଲୀର ପାଲମ ବିମାନବନ୍ଦରରେ ଓହ୍ଲାଇଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ତାଙ୍କ ସହିତ କରମର୍ଦ୍ଦନ କରିବା ପରେ ଆଲିଙ୍ଗନ କରି ସ୍ୱାଗତ କରିଥିଲେ । ଏହି ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହା ପରେ ଦୁଇ ନେତା ଗୋଟିଏ କାରରେ ବସି ପ୍ରଧାନମନ୍ତ୍ରୀଙ୍କ ୭ ଲୋକ କଲ୍ୟାଣ ମାର୍ଗ ବାସଭବନରେ ପହଞ୍ôଚ ଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ତାଙ୍କୁ ନୈଶ୍ୟ ଭୋଜିରେ ଆପାୟିତ କରିଥିଲେ । ଆସନ୍ତା କାଲି ପୁଟିନ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ । ଏହି ଗସ୍ତ ସମୟରେ ପୁଟିନ ମୋଦିଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହାସହ ଅନେକ ପ୍ରମୁଖ ଚୁକ୍ତିନାମା ସ୍ୱାକ୍ଷରିତ ହେବ । ଯେଉଁଥିରେ ମୁଖ୍ୟତଃ ବାଣିଜ୍ୟ, ନିବେଶ, ଅର୍ଥନୀତି ଓ ପ୍ରତିରକ୍ଷା ଉପରେ ଧ୍ୟାନ ଦିଆଯିବ । ପୁଟିନ ଓହ୍ଲାଇବା ମାତ୍ରେ ତାଙ୍କ ପାଇଁ ରେଡ୍ କାର୍ପେଟ୍ ବିଛା ଯାଇଥିଲା । ପୁଟିନଙ୍କୁ ମୋଦିଙ୍କ ବ୍ୟକ୍ତିଗତ ଭାବେ ସ୍ୱାଗତ କରିବା ଏକ ବିରଳ କୂଟନୈତିକ ରଣନୀତି ବୋଲି କୁହାଯାଉଛି ।
ଏଥିରେ ଭାରତ ପୁଟିନଙ୍କ ଗସ୍ତକୁ କେତେ ଗୁରୁତ୍ୱ ଦେଉଛି ତାହା ସୂଚାଉଛି । ବିଶେଷକରି ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ପ୍ରତିରକ୍ଷା ଚୁକ୍ତି ଉପରେ ବିଶ୍ୱର ନଜର ରହିଛି । "ମୋ ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କୁ ଭାରତରେ ସ୍ୱାଗତ କରି ଖୁସି ଲାଗିଲା । ଆଜି ସନ୍ଧ୍ୟା ଏବଂ ଆସନ୍ତାକାଲି ଆମର ଆଲୋଚନା ପାଇଁ ଅପେକ୍ଷା କରିଛି । ଭାରତ-ରୁଷ ବନ୍ଧୁତା ଏକ ସମୟ ପରୀକ୍ଷିତ ବନ୍ଧୁତା ଯାହା ଆମ ଲୋକଙ୍କୁ ବହୁତ ଲାଭ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଏକ୍ସରେ ଲେଖିଛନ୍ତି । ପୁଟିନଙ୍କ ଏହି ଗସ୍ତ ପ୍ରାୟ ଆଠ ଦଶନ୍ଧି ଧରି ଭାରତ-ରୁଷ ମଧ୍ୟରେ ସହଭାଗିତାକୁ ଆହୁରି ବିସ୍ତାର କରିବ । ଆମେରିକା ସହିତ ଭାରତର ସମ୍ପ୍ରତି ସମ୍ପର୍କରେ ହ୍ରାସ ମଧ୍ୟରେ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ । ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ଏହା ରୁଷ ରାଷ୍ଟ୍ରପତିଙ୍କ ପ୍ରଥମ ଭାରତ ଗସ୍ତ ।