ପହଲଗାମ୍‌ ଷଡ଼୍‌ଯନ୍ତ୍ରକାରୀ ଏନ୍‌କାଉଣ୍ଟରରେ ମୃତ

ଜମ୍ମୁକାଶ୍ମୀର ପୁଲୱାମାରେ ସେନା ଗୁଳିରେ ପହଲଗାମ୍‌ ଆକ୍ରମଣ ଷଡ଼୍‌ଯନ୍ତ୍ରକାରୀ ଆସିଫ୍ ଶେଖ୍‌ ଟଳିଲା । ତ୍ରାଲ୍ ଅଞ୍ଚଳରେ ଚାଲିଥିବା ସେନାର ଏନ୍‌କାଉଣ୍ଚରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେଥିରେ ଆସିଫ୍ ଶେଖ୍ ରହିଛି । ଆସିଫ୍ ପୁଲୱାମା ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ । ୨୨ ଏପ୍ରିଲରେ ବୈସରନ୍ ଭ୍ୟାଲିରେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରିଥିଲା ଆସିଫ୍ । ଆଉ ସେହି ଦୁର୍ଦ୍ଦାନ୍ତ ଆତଙ୍କୀ ଆଜି ସେନା ଗୁଳିରେ ନିପାତ ହୋଇଛି । ସିଜ୍‌ଫାୟାର ପରେ ସେନା ପକ୍ଷରୁ ଜମ୍ମୁ-କାଶ୍ମୀରରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ୍ । ତ୍ରାଲ୍‌ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ଏନ୍‌କାଉଣ୍ଟର । ଅପରେସନ୍ ସିନ୍ଦୂର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ନିପାତ ଅଭିଯାନ ଜୋରଦାର ଚାଲିଛି । ମଙ୍ଗଳବାର ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏନ୍‌କାଉଣ୍ଟର କରାଯାଇଥିଲା । ସୋପିଆନ୍‌ରେ ତିନି ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ରାଷ୍ଟ୍ରୀୟ ରାଇଫଲ୍‌ ୟୁନିଟ୍ ସୋପିଆନ୍‌ରେ ଏନ୍‌କାଉଣ୍ଟର କରିଥିଲା । ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୋଳା ବାରୁଦ ଓ ମାରଣାସ୍ତ୍ର ଜବତ କରାଯାଇଥିଲା । ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୌଣସି ଏକ ବଡ ଆକ୍ରମଣ ପାଇଁ ଯୋଜନା କରୁଥିଲେ ୩ ଆତଙ୍କୀ । ତେବେ ସମୟ ଥାଉ ଥାଉ ଏମାନଙ୍କୁ ନିପାତ କରିଛି ସେନା । ସେପଟେ ଆଜି ଜମ୍ମୁ-କାଶ୍ମୀର ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଭାବିତ ଲୋକଙ୍କୁ ଭେଟିବେ ରାଜନାଥ ।