ପାଠରେ ଏସଇବିସିଙ୍କୁ ସଂରକ୍ଷଣ : ଉଚ୍ଚଶିକ୍ଷାରେ ମିଳିବ ୧୧.୨୫%
ଭୁବନେଶ୍ୱର: ଉଚ୍ଚଶିକ୍ଷାରେ ସାମାଜିକ ଓ ଅର୍ଥନୈତିକ ଭାବେ ପଛୁଆ ବର୍ଗର (ଏସଇବିସି) ଛାତ୍ରଛାତ୍ରୀଙ୍କୁ ନାମଲେଖାରେ ୧୧.୨୫% ସଂରକ୍ଷଣ ସୁବିଧା ମିଳିବ । ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଏହା ପ୍ରଚଳନ କରାଯିବ । କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକ ଶିକ୍ଷା ଓ ଆଇନ୍ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚ ମାଧ୍ୟମିକ ବା ଯୁକ୍ତ ଦୁଇ, ଶିକ୍ଷକ ଶିକ୍ଷା ଓ ବୃତ୍ତିମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଦର୍ଶନ କଳାରେ ସ୍ନାତକ ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିପିଏଡ଼/ଏମପିଏଡ଼ ପାଠ୍ୟକ୍ରମରେ ଲାଗୁ ହେବ । ତେବେ ପୂର୍ବଭଳି ଏସଟି ବର୍ଗଙ୍କ ପାଇଁ ୨୨.୫%, ଏସସି ବର୍ଗଙ୍କ ନିମନ୍ତେ ୧୬.୨୫%, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସକାଶେ ୫% ଓ ପୂର୍ବତନ ସେନା ପରିବାର ସଦସ୍ୟଙ୍କ ପାଇଁ ୧% ଆସନ ସଂରକ୍ଷଣ ସମାନ ରୂପେ ପ୍ରଚଳନ କରାଯିବ । ଏହାଦ୍ୱାରା ସାମାଜିକ ଓ ଅର୍ଥନୈତିକ ଭାବେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଅଂଶଗ୍ରହଣକୁ ଅଧିକ ସୁଦୃଢ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟ କ୍ୟାବିନେଟରେ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସରକାର ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନ ଯୋଜନାକୁ ମିଳିତ ଭାବେ ଲାଗୁ କରିବେ । ଅପ୍ରେଲ ପହିଲାରୁ ପିଛିଲା ଭାବେ ଏହା କାର୍ଯ୍ୟକାରୀ ହେବ । ଆଗରୁ ମମତା ଯୋଜନାରେ ଝିଅ ଜନ୍ମ ହେଲେ ମା’ଙ୍କୁ ୧୦ ହଜାର ଟଙ୍କା ମିଳୁଥିଲା । କିନ୍ତୁ ଏବେ ଝିଅ ଜନ୍ମ ହେଲେ ମମତା-ପିଏମଏମଭିୱାଇ ଯୋଜନାରେ ୧୨ ହଜାର ଟଙ୍କା ମିଳିବ । କିନ୍ତୁ ପୁଅ କ୍ଷେତ୍ରରେ ତାହା ପୂର୍ବଭଳି ୧୦ ହଜାର ଟଙ୍କା ରହିବ । ପିଭିଟିଜି ସମ୍ପ୍ରଦାୟର ମହିଳାମାନଙ୍କୁ ପ୍ରଥମ ଦୁଇଟି ସନ୍ତାନ ପରେ ମଧ୍ୟ ଝିଅ ଜନ୍ମ ପାଇଁ ସରକାର ୧୨ ହଜାର ଓ ପୁଅଙ୍କ ପାଇଁ ୧୦ ହଜାର ଟଙ୍କା ଦେବେ । ସେହିପରି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟିକାଙ୍କ ପ୍ରୋତ୍ସାହନ ରାଶି ଯଥାକ୍ରମେ ୨୫୦ ଟଙ୍କା ଓ ୧୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଆସନ୍ତା ୫ ବର୍ଷରେ ଏହି ଯୋଜନାରେ ୨୬୭୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରହିଛି । ଧରଣୀଧର ବିଶ୍ୱବିଦ୍ୟାଳୟର ୨ କ୍ୟାମ୍ପସ ପାଇଁ ରାଜ୍ୟ ସରକାର ମାଗଣାରେ ୪୦ ଏକର ଜମି ପ୍ରଦାନ କରିବେ । ଏହାର ଉତ୍ତର ଓ ଦକ୍ଷିଣ କ୍ୟାମ୍ପସ ପ୍ରତିଷ୍ଠା ନିମନ୍ତେ ୪୦.୧୯୭ ଏକର ସରକାରୀ ଜମି ଲିଜ୍ ସୂତ୍ରରେ ପ୍ରଦାନ କରାଯିବ । ରାଜ୍ୟ ସରକାର ଏଥିପାଇଁ ୧୪୦ କୋଟି ୭୧ ଲକ୍ଷ ଟଙ୍କାର ଏକକାଳୀନ ରାଜସ୍ୱ ଦେୟ ଓ ୫୦ ଲକ୍ଷ ୨୬ ହଜାର ଟଙ୍କାର ବାର୍ଷିକ ରାଜସ୍ୱ ଦେୟ ଛାଡ଼ କରିଛନ୍ତି । କ୍ୟାବିନେଟର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି, ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ବ୍ଳକର ଅଁଳାବେଣୀ ଗ୍ରାମରେ ଖଇରିବନ୍ଧନ ନଦୀ ଉପରେ ଏକ ବ୍ୟାରେଜ କରାଯିବ । ଏହି ପ୍ରକଳ୍ପ ନିର୍ମାଣ ପାଇଁ ୯୭ କୋଟି ୬୮ ଲକ୍ଷ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ୩୦ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରକଳ୍ପ ଜରିଆରେ, ମୟୂରଭଞ୍ଜ ଜିଲ୍ଲାର ଯଶୀପୁର, ରାରୁଅାଁ ଓ ସୁକୃଳି ବ୍ଳକର ୪୭ ଗ୍ରାମର ୬୯୫୦ ହେକ୍ଟର ଚାଷଜମିକୁ ଭୂତଳ ପାଇପଲାଇନ ଜଳବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଖରିଫ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କ୍ୟାବିନେଟ ବୈଠକରେ ବିଭିନ୍ନ ପଦବୀରେ ଥିବା ଶାରୀରିକ ମାପ ଓ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ ୨୦୨୨ରେ ସଂଶୋଧନ କରାଯାଇଛି । ଏହାକୁ ସିଡୁ୍ୟଲ-୧ରେ ଅନ୍ତର୍ଭୁକ୍ତ କରାଯାଇଛି । ଫଳରେ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଉପରୋକ୍ତ ପଦବୀର ନିଯୁକ୍ତିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳିତ କରିପାରିବେ । ଏତଦବ୍ୟତୀତ ଓଡ଼ିଶା ଆଇଟିଆଇ ପ୍ରଶିକ୍ଷକ ସେବା ନିୟମ ୨୦୨୪ରେ ବି ସଂଶୋଧନ କରାଯାଇଛି । ଫଳରେ ଓଜିଆଇଟିଏସ କ୍ୟାଡ଼ରର ଅଧିକାରୀମାନଙ୍କ ପାଇଁ ନିଯୁକ୍ତି ଭିତ୍ତିକ ପଦୋନ୍ନତି ସୁଯୋଗ ରହିଛି । ଓପିଏସସି ମାଧ୍ୟମରେ ଅଧ୍ୟକ୍ଷ-୨ ଓ ଉପ ଅଧ୍ୟକ୍ଷ (ଲେବୁଲ୍ ୧୨)ରେ ସିଧାସଳଖ ନିଯୁକ୍ତି ଦିଆଯିବ ।