ରାମୋଜୀ ରାଓଙ୍କ ପରଲୋକ
ନୂଆଦିଲ୍ଲୀ: ରାମୋଜୀ ରାଓ ଗ୍ରୁପର ପ୍ରତିଷ୍ଠାତା ସି.ରାମୋଜୀ ରାଓଙ୍କର ଆଜି ଭୋରରୁ ପରଲୋକ ହୋଇ ଯାଇଛି। ଗତକାଲି ସ୍ୱାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ ୩ଟା ୩୫ ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।
ସି.ରାମୋଜୀ ରାଓଙ୍କ ପ୍ରାର୍ଥିବ ଶରୀର ରାମୋଜୀ ଫିଲ୍ମ ସିଟି ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି । ସେଠାରେ ସର୍ବସାଧାରଣ ତାଙ୍କ ଶେଷ ଦର୍ଶନ କରି ପାରିବେ। ଏହାପରେ ତାଙ୍କ ଅନ୍ତିମ ସତ୍କାର କରାଯିବ ।
ଗଣମାଧ୍ୟମ, ସିନେମା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । ସେ ଥିଲେ ବିଶ୍ୱର ସର୍ବବୃହତ୍ତ ଫିଲ୍ମସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା । ନିଜ ଜମିରେ ସେ ‘ରାମୋଜୀ ଫିଲ୍ମସିଟି’ର ନିର୍ମାଣ କରାଇଥିଲେ। ଅପରାହ୍ନରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।