ଭୂ-ସ୍ଖଳନ : ୭ ମୃତ

  ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ସୁନ୍ଦରନଗର ଉପଖଣ୍ଡରେ ଅବସ୍ଥିତ ଜଙ୍ଗମବାଗରେ ଦୁଇଟି ଘର ଉପରେ ଭୂସ୍ଖଳନ ଘଟି ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ସମେତ ୭ ଜଣ ପ୍ରାଣ ହରାଇଛନ୍ତି । ଜଣେ ନିଖୋଜ ଅଛନ୍ତି । ମୃତକଙ୍କ ନାମ ୩୫ ବର୍ଷୀୟ ଗୁରୁପ୍ରୀତ ସିଂହ, ତାଙ୍କ ପନôୀ ଭାରତୀ (୩୦), ସେମାନଙ୍କର ତିନି ବର୍ଷର ଝିଅ କିରତ, ଶାନ୍ତି ଦେବୀ (୭୦) ଓ ସୁରେନ୍ଦର କୌର (୫୬) । ଅନ୍ୟ ଦୁଇ ଜଣ ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂତ୍ର ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଭୂସ୍ଖଳନ ଘଟି ଦୁଇଟି ଘର ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସଡିଆରଏଫ), ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଡିଡିଏମ) ଓ ସ୍ଥାନୀୟ ପୁଲିସ ଟିମ ଦ୍ୱାରା ରାତିସାରା ଫ୍ଲଡ୍ ଲାଇଟ୍ ତଳେ ଉଦ୍ଧାର କାର୍ଯ୍ୟ କରାଯାଉଛି । ପ୍ରତିକୂଳ ପାଗ ସତ୍ତ୍ୱେ ଉଦ୍ଧାରକାରୀମାନେ ଭଗ୍ନାବଶେଷ ସଫା କରିବା ଏବଂ ପଥର ହଟାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।  ମାଣ୍ଡି, କାଙ୍ଗଡ଼ା, ସିରମୌର ଓ କିନ୍ନୌର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି ।  ଶିମଲା, କାଙ୍ଗଡ଼ା ଓ ସିରମୌର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ନର୍ସିଂ କଲେଜ  ବନ୍ଦ ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଯୋଗୁଁ ସାତଟି ଜାତୀୟ ରାଜପଥ ସମେତ ପ୍ରାୟ ୧୧୫୫ ରାସ୍ତା ବନ୍ଦ ରହିଛି । ଏହା ସହିତ ୨୪୭୭ ବିଦୁ୍ୟତ ବଣ୍ଟନ ଟ୍ରାନ୍ସଫର୍ମର ଓ ୭୨୦ ଜଳ ଯୋଗାଣ ଯୋଜନା ବାଧାପ୍ରାପ୍ତ ହୋଇଛି ।
ସେହିପରି ଜମ୍ମୁ-କାଶ୍ମୀରରେ ପ୍ରବଳ ବନ୍ୟା ଆଶଙ୍କା ଦେଖାଦେଇଛି । ଉପତ୍ୟକାର ନଦୀ ଓ ନାଳ ପ୍ରବଳ ବର୍ଷା ଯୋଗୁ ଫୁଲିବାରେ ଲାଗିଛି । ଚେନାବ ଓ ଝେଲମ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ସ୍କୁଲ ଓ କଲେଜ ବନ୍ଦ ରହିଛି । ବହୁ ରାଜପଥ ମଧ୍ୟ ବର୍ଷା ଯୋଗୁ ବନ୍ଦ ହୋଇଯାଇଛି । ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି । ପଞ୍ଜାବ ସରକାର ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ ବୋଲି ଘୋଷଣା କରିଛନ୍ତି । ପଞ୍ଜାବ ବନ୍ୟାରେ ଏପର୍ଯ୍ୟନ୍ତ ୩୭ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୧୪ଶହ ଗାଁର ୩.୫୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୩.୭୫ ଲକ୍ଷ ଏକର ଚାଷଜମି ବନ୍ୟା ଜଳରେ ବୁଡିଯାଇଛି । ସେହିପରି ଯମୁନା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଦିଲ୍ଲୀକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗାଜିଆବାଦ ଓ ନୋଇଡାକୁ ଅରେଞ୍ଜ ଆଲର୍ଟ ଓ ଗୁରୁଗାଁଓ ଏବଂ ଫରିଦାବାଦକୁ ରେଡ ଆଲର୍ଟ ଜାରି କରାଯାଇଛି । ଚଣ୍ଡିଗଡ, ହରିୟାଣା, ଦିଲ୍ଲୀ-ଏନସିଆର, ଉତ୍ତରାଖଣ୍ଡ ଓ ସିମଲା ମଧ୍ୟ ବନ୍ୟା ଓ ଭୂସ୍ଖଳନରେ ଘାଣ୍ଟି ହେଉଛି ।