ବସ ଧକ୍କାରେ ଶଳା ଭିଣୋଇଙ୍କ ମୃତୁ୍ୟ

 ପଟ୍ଟାମୁଣ୍ଡାଇ  : ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମଦନପୁର ଛକରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଓ ବସ ଧକ୍କା ରେ ଦୁଇ ସ୍କୁଟି ଆରୋହୀ ଶଳା ଭିଣୋଇଙ୍କ ମୃତୁ୍ୟ ଘଟିଛି  । ଏହାର ପ୍ରତିବାଦରେ ଉତ୍ୟକ୍ତ ଲୋକମାନେ ପଟ୍ଟାମୁଣ୍ଡାଇ- ମଦନପୁର- ରାଜନଗର ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ  । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି  । ପ୍ରକାଶ ଯେ ଆଜି ଅପରାହ୍ନରେ ବଳଭଦ୍ରପୁର -ଦାଣ୍ଡି ରାସ୍ତା ଦେଇ ଏକ ସ୍କୁଟି ଯୋଗେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମର ସମାଜସେବୀ ସରୋଜ ଧଳ ( କାବୁଲି) (୫୭)ଓ ତାଙ୍କ ଶଳା ରାଜନଗର ଥାନା ନଗଡ଼ ଗ୍ରାମର ଲମ୍ବୋଦର ପ୍ରଧାନ (୪୫)ମଦନପୁର ଛକକୁ ଆସୁଥିବାବେଳେ ବିପରୀତ ଦିଗ ପଟ୍ଟାମୁଣ୍ଡାଇରୁ ରାଜନଗର ଯାଉଥିବା ଶୁଭଶ୍ରୀ ଯାତ୍ରୀବାହୀ ବସ ଉଭୟ ଭିଣୋଇ ସରୋଜ ଓ  ଶଳା ଲମ୍ବୋଦରଙ୍କୁ ମୁହାଁମୁହିଁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଉଭୟ ଶଳା ଓ ଭିଣୋଇଙ୍କ ମୃତୁ୍ୟ ଘଟିଛି  । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଉତ୍ୟକ୍ତ ହୋଇ ଟାୟାର ଜାଳି ପଟ୍ଟାମୁଣ୍ଡାଇ - ମଦନପୁର - ରାଜନଗର ରାସ୍ତାରେ ରାସ୍ତାରୋକ କରିଥିଲେ  । ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଲୋକମାନଙ୍କୁ ଶାନ୍ତ କରିବା ସହିତ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିଲେ  । ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା, ପୂର୍ବତନ ସରପଞ୍ଚ ବାବାଜୀ ଧଳ, ଶିକ୍ଷାବିତ ଗୌରାଙ୍ଗ ମହାନ୍ତି ଓ ମନ୍ମଥ ମଲିକ ପ୍ରମୁଖ ଘଟଣାସ୍ଥଳରେ ପହଁଞ୍ଚି ଉଭୟ ଭିଣୋଇ ସରୋଜ ଓ ଶଳା ଲମ୍ବୋଦରଙ୍କୁ ରାଜନଗର ହସ୍ପିଟାଲକୁ ଆଣିଥିଲେ ଓ ଗ୍ରାମାଞ୍ଚଳ ଥାନା ପୋଲିସ ଏକ ମୋକଦମା ରୁଜୁ କରି ବସ ଦୁର୍ଘଟଣାରେ ମୃତ ଶବ ଦୁଇଟିକୁ ବ୍ୟବଛେଦ ପାଇଁ ଆଳି ଡାକ୍ତରଖାନାକୁ ପଠାଇବା ସହିତ ଦୁର୍ଘଟଣାର ଛାନଭିନ୍ନ ଆରମ୍ଭ କରିଛି ଓ ଦୁର୍ଘଟଣା ଘଟାଇ ଥିବା ବସକୁ ପୋଲିସ ଜବତ କରିଛି  । ସମାଜସେବୀ  ସରୋଜ ଧଳଙ୍କ ବିୟୋଗରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ଡ଼ ଅଲେଖ ଜେନା, ବରିଷ୍ଠ ନେତା ନୃସିଂହ ଆଚାର୍ଯ୍ୟ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ ଓ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ପ୍ରଫେସର ଦୁର୍ଯ୍ୟୋଧନ ପରିଡା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି  ।