ଅଫିସରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ : ସବୁ ସୀମା ଟପିଗଲେ

 ଭୁବନେଶର:  ସବୁ ସୀମା ଟପିଗଲେ  । ବିଏମସି ଅଫିସ ଭିତରେ ଆସିଷ୍ଟାଣ୍ଟ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ  । ବିଜେପି କର୍ପୋରେଟର ଓ ତାଙ୍କର ସହଯୋଗୀମାନଙ୍କ ଏତାଦୃଶ କାର୍ଯ୍ୟ ଆଜି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି  । ସାମାଜିକ ଗଣମାଧ୍ୟମରେ ଏହି ଦୃଶ୍ୟ ଯିଏ ଦେଖୁଛି ସେ ହତବାକ୍ ହୋଇଯାଇଛି  । ଖାଲି ବିରୋଧୀ ନୁହଁନ୍ତି ଶାସକ ଦଳର ନେତାମାନେ ବି ଘଟଣାର ନିନ୍ଦା କରିଛନ୍ତି  । ଏହି ଘଟଣାକୁ ନେଇ ବିଏମସି କର୍ମଚାରୀ ଓ କର୍ପୋରେଟରମାନେ ରାସ୍ତାରୋକ କରିଥିଲେ  । ସେପଟେ ବିଜେଡ଼ି ବି ତୀବ୍ର ଆନେ୍ଦାଳନ କରିବା ସହ ରାସ୍ତାରୋକ କରିଥିଲା  । ଘଣ୍ଟାଘଣ୍ଟା ଧରି ରାମ ମନ୍ଦିରରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିଲା  । ଶେଷରେ ପୁଲିସ୍ ବିଜେଡ଼ି ନେତାମାନଙ୍କୁ ଉଠାଇ ନେଇଥିଲା  । ଅପରପକ୍ଷରେ ଏହି ମାମଲାରେ ବିଏମସିର ୨୯ ନମ୍ବର ୱାର୍ଡ଼ର ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି  ।
ଘଟଣାଟି ଏମିତି  । ଆଜି ଦିନ ପ୍ରାୟ ୧୨ଟା ବେଳକୁ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ହୋଇଥିବା ନେଇ ଖବର ଗଣମାଧ୍ୟମରେ ପ୍ରଘଟ ହୋଇଥିଲା  । ସେତେବେଳେ ଏହାକୁ ସାଧାରଣରେ ସେଭଳି ଗୁରୁତର ସହ ଗ୍ରହଣ କରାଯାଇନଥିବା ଦେଖିବାକୁ ମିଳିଥିଲା  । ହେଲେ ଅପରାହ୍ନରେ ମୋବାଇଲରେ ସୁଟିଂ ହୋଇଥିବା ଭିଡ଼ିଓ ଭାଇରାଲ୍ ହୋଇଥିଲା  । ଏ ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା  । ଅଫିସର ରନôାକର ସାହୁଙ୍କ କିଛି ଲୋକ କଲର ଧରି ଟାଣିଟାଣି ନେଉଥିଲେ  । ଜଣେ ତାଙ୍କ ମୁହଁକୁ ଗୋଇଠା ମାରିଥିଲେ  । ପରେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ  । ଏହି ସମୟରେ କିଛି କର୍ପୋରେଟର ଛଡ଼ାଇବାକୁ ବି ଚେଷ୍ଟା କରିଥିଲେ  । ୨୭ ସେକେଣ୍ଡର ଏହି ଭିଡ଼ିଓଟି ଖୁବ୍ ଜୋରରେ ଭାଇରାଲ୍ ହୋଇଥିଲା  । ଯିଏ ଦେଖିଲା ସେ ଘଟଣାର ନିନ୍ଦା କରିବା ଆରମ୍ଭ କରିଦେଇଥିଲେ  ।
ପ୍ରଥମେ ଘଟଣାକୁ ନେଇ ବିଏମସିର ବିଜେଡ଼ି କର୍ପୋରେଟର ଓ କର୍ମଚାରୀମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ଅଫିସ ସାମ୍ନାରେ ଧାରଣା ଦେଇଥିଲେ  । ହେଲେ ଅପରାହ୍ନରେ ସେମାନେ ରାଜରାସ୍ତାକୁ ଓହ୍ଲାଇଥିଲେ  । ବିଏମସି ଅଫିସ୍ ସମ୍ମୁଖ ରାସ୍ତାର ଗୋଟିଏ ପାଶ୍ୱର୍ରେ କର୍ମଚାରୀ ଓ ଅନ୍ୟ ପାଶ୍ୱର୍ରେ କର୍ପୋରେଟରମାନେ ବସି ରହିଥିଲେ  । ପ୍ରାୟ ଘଣ୍ଟାଏ କାଳ ରାସ୍ତାରୋକ ପରେ ପ୍ରଥମେ କର୍ମଚାରୀମାନେ ଉଠି ଯାଇଥିଲେ  । ହେଲେ ଗୋଟିଏ ପାଶ୍ୱର୍ରେ ପୂର୍ବଭଳି ବିଜେଡ଼ି କର୍ପୋରେଟରମାନେ ରାସ୍ତାରୋକ ଜାରି ରଖିଥିଲେ  । ଦୋଷୀ ଓ ତାଙ୍କ ପଛରେ ଥିବା ନେତାଙ୍କୁ ନ ବାନ୍ଧିବା ପର୍ଯ୍ୟନ୍ତ ସେମାନେ ଉଠିବେ ନାହିଁ ବୋଲି ଅଡ଼ି ବସିଥିଲେ  । ଅତିରିକ୍ତ ଡିସିପି ପ୍ରକାଶ ପାଲ୍ ଘଟଣାସ୍ଥଳରେ ପହଁଚି ରାସ୍ତାରୋକରୁ ଉଠିଯିବା ପାଇଁ ବୁଝାଶୁଝା କରିଥିଲେ  । କିନ୍ତୁ ସେଥିପ୍ରତି କର୍ପୋରେଟରମାନେ କର୍ଣ୍ଣପାତ କରିନଥିଲେ  । ଏପରିକି ଧାରଣାରୁ ଉଠିଯିବା ପାଇଁ ମେୟର ସୁଲୋଚନା ଦାସ ବୁଝାଇଥିଲେବି କର୍ପୋରେଟରମାନେ ଜିଦ୍ରେ ଅଟଳ ଥିଲେ  । ପରେ ପରେ ବିଜେଡ଼ି ନେତା ଅରୁଣ ସାହୁ, ସଂଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଇପ୍ସିତା ସାହୁ ପ୍ରମୁଖ ଆନେ୍ଦାଳନ ସ୍ଥଳରେ ପହଁଚିବା ସହ ରାସ୍ତାରୋକରେ ସାମିଲ୍ ହୋଇଥିଲେ  । ଘଣ୍ଟା ଘଣ୍ଟା ଧରି ରାସ୍ତାରୋକ ଯୋଗୁଁ ରାମ ମନ୍ଦିରରୁ ନେଇ ବାଣୀ ବିହାର ପର୍ଯ୍ୟନ୍ତ ରାସ୍ତା ପୂରା ଜାମ୍ ହୋଇଯାଇଥିଲା  । ଫଳରେ ଲୋକମାନେ ହନ୍ତସନ୍ତ ହୋଇଥିଲେ  । ଶେଷରେ ପୁଲିସ୍ ବିଜେଡ଼ି ନେତାଙ୍କୁ ଧାରଣା ସ୍ଥଳରୁ ଉଠାଇ ନେଇଥିଲା  । ଅପରପକ୍ଷରେ ବିଏମସି ଅତିରିକ୍ତ କମିଶନର ରନôାକର ସାହୁ ଘଟଣା ନେଇ ଖାରବେଳନଗର ଥାନାରେ ଏତଲା ଦେଇଥିଲେ  । ତାଙ୍କର ଏତଲା ଅନୁଯାୟୀ, ଆଜି ଦିନ ପ୍ରାୟ ସାଢ଼େ ୧୧ଟାରେ ସେ ଅନ୍ୟ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ ଜନଶୁଣାଣୀ କରୁଥିଲେ  । ଏହି ସମୟରେ ଛଅ ସାତ ଜଣ ଅଜ୍ଞାତ ବ୍ୟକ୍ତି ଅଫିସ ଚାମ୍ବର ଭିତରକୁ ପଶିଆସି ତାଙ୍କ ସାମ୍ନାରେ ବସିଲେ  । ସେମାନେ କହିଲେ, ତୁମେ ଜଗନ୍ନାଥ ପ୍ରଧାନଙ୍କ ସହ କଥା ହୋଇଥିଲ କି ? ଏହାର ଉତ୍ତରରେ ସେ କହିଥିଲେ- ହଁ ମୁଁ ଗତକାଲି ଟେଲିଫୋନରେ କଥା ହୋଇଥିଲି  । ହଠାତ୍ ସେମାନେ ଠିଆ ହୋଇ  ମୋତେ ଆକ୍ରମଣ କରିଥିଲେ  । ସେତେବେଳେ ୨୯ ନମ୍ବର ୱାର୍ଡ଼ର କର୍ପୋରେଟର ଜୀବନ ରାଉତ ମଧ୍ୟ ଉପସ୍ଥିତ ଥିଲେ  । ଜଗନ୍ନାଥ ପ୍ରଧାନଙ୍କ ପାଖକୁ ଆସି କ୍ଷମା ମାଗ ବୋଲି କହିବା ସହ ଧମକଚମକ ଦେଇଥିଲେ  । ସେମାନେ ମୋତେ ଅପହରଣ କରି ନେଇ ଯାଉଥିଲେ  । ହେଲେ ବିଏମସି କର୍ମଚାରୀ, ଅଫିସର ଓ ଲୋକମାନେ ଥିବାରୁ ସେମାନେ ଅପହରଣ କରିପାରିନଥିଲେ  । ସେମାନେ ମୋ ମୋବାଇଲ୍ ଛଡ଼ାଇ ନେବା ସହ ମୋ ହ୍ୱାଟସଆପରେ ଖରାପ ଷ୍ଟାଟସ ରଖିଦେଇଥିଲେ  । ସେମାନଙ୍କ ଆକ୍ରମଣରେ ମୁଁ ଗଭୀର ଭାବେ କ୍ଷତାକ୍ତ ହୋଇଛି  । ଏହି ଘଟଣାକୁ ନେଇ ଓଏଏସ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି  ।