ଭୁଶୁଡିଲା ପୁରୁଣା ଦୁର୍ଗର ପାଚେରୀ , ପରିବାରର ୭ ମୃତ


ାା ଏଜେନ୍ସି ।ା ଭୋପାଳ: ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ଘଟିଛି ବଡ ଅଘଟଣ । ଏଠାରେ ଥିବା ରାଜଗଡ ୪୦୦ ବର୍ଷ ପୁରୁଣା ଦୁର୍ଗର ପାଚେରୀ ହଠାତ୍ ଭୁଶୁଡି ପଡିଛି । ଫଳରେ ପାଚେରୀ ନିକଟରେ ଘର କରି ରହୁଥିବା ଗୋଟିଏ ପରିବାରର ସବୁ କିଛି ଉଜୁଡି ଯାଇଛି । ସେମାନଙ୍କ ଘର ମାଟିରେ ମିଶି ଯାଇଥିବା ବେଳେ ଧ୍ୱଂସାବଶେଷ ତଳୁ ପରିବାରର ୭ ଜଣଙ୍କ ମୃତଦେହ ମିଳିଛି । ସେହିପରି ଧ୍ୱଂସାବଶେଷ ତଳୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂରା ଘଟଣା ଗୁରୁବାର ଭୋର ୩ଟା ୩୦ ମିନିଟରେ ଘଟିଥିଲା । ପ୍ରବଳ ବର୍ଷା ଯୋଗୁଁ ଏପରି ଘଟିଥିବା କୁହାଯାଇଛି । ଦୀର୍ଘ ୭ ଘଣ୍ଟା କାଳ ଉଦ୍ଧାରକାରୀ ଟିମ ଅକ୍ଳାନ୍ତ ପରିଶ୍ରମ କରି ଧ୍ୱଂସାବଶେଷ ତଳୁ ମଧ୍ୟାହ୍ନ ସୁଦ୍ଧା ୭ ଜଣଙ୍କ ମୃତଦେହ ବାହାର କରିଛନ୍ତି । ପଡୋଶୀମାନେ ହିଁ ଧ୍ୱଂସାବଶେଷ ତଳୁ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ଉଦ୍ଧାରକାରୀ ଦଳ ଘଟଣାର ପ୍ରାୟ ୧ ଘଣ୍ଟା ପରେ ଆସିଥିଲେ । ସେମାନେ ଦିନ ୧୨ଟା ସୁଦ୍ଧା ୫ ଜଣଙ୍କ ମୃତଦେହକୁ ଧ୍ୱଂସାବଶେଷ ତଳୁ ବାହାର କରିଥିଲେ । ଏହାପରେ ଆଉ ୨ ଜଣଙ୍କ ମୃତଦେହ ମିଳିଛି । ତେବେ ପାଚେରୀ ଭୁଶୁଡିବା ଯୋଗୁ ହୋଇଥିବା ଶବ୍ଦ ଶୁଣି ପଡୋଶୀମାନେ ହିଁ ପ୍ରଥମେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।
ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ପ୍ରତି ମୃତକଙ୍କୁ ୪ ଲକ୍ଷ ଲେଖାଁଏ ସହାୟତା ରାଶି ଘୋଷଣା କରିଛନ୍ତି ।