‘ସିନେମା’କୁ ବି ଛାଡ଼ିଲେନି ଟ୍ରମ୍ପ

  • ୟୁଏସ ବାହାରେ ନିର୍ମାଣ ହେଲେ ୧୦୦% ଶୁଳ୍କ

ନୂଆଦିଲ୍ଲୀ : ଟ୍ରମ୍ପଙ୍କ ଶୁଳ୍କ ମାଡ଼ ଏବେ ସାରା ବିଶ୍ୱରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ସମସ୍ତେ ଏଥିରେ କ୍ଷୁବ୍ଧ ଅଛନ୍ତି । ଆଜି ଆଉ ପାଦେ ଆଗେଇ ଯାଇ ଟ୍ରମ୍ପ ଆମେରିକା ବାହାରେ ନିର୍ମିତ ସିନେମା ଉପରେ ୧୦୦% ଶୁଳ୍କ ଲଗାଇଛନ୍ତି । ଅନ୍ୟ ଦେଶଗୁଡ଼ିକ ଆମ ବେପାର ଚୋରି କରି ନେଉଛନ୍ତି ବୋଲି ଟ୍ରମ୍ପ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଆମେରିକା ବାହାରେ ନିର୍ମିତ ସବୁ ସିନେମା ଉପରେ ଏହି ଶୁଳ୍କ ଲାଗିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।


ଗତ ମେ’ରେ ଟ୍ରମ୍ପ ଏନେଇ ସଂକେତ ଦେଇଥିଲେ । ବିଦେଶୀ ସିନେମା ଉପରେ ଶୁଳ୍କ ଲଗାଇବା ପାଇଁ ପଦକ୍ଷେପ ନେବାକୁ ସେ ଆମେରିକାର ବାଣିଜ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ  । ଆମେରିକାର ସିନେମା ଶିଳ୍ପ ବହୁ କ୍ଷତି ସହୁଥିବାରୁ ସେ ଏଭଳି ପଦକ୍ଷେପ ନେବାକୁ କହିଥିଲେ । ଏମିତିକି ଏହାକୁ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଅଭିହିତ କରିଥିଲେ । ଆମେରିକାରେ ପୁଣିଥରେ ସିନେମା ହେଉ ବୋଲି ସେ ଚାହୁଁଛନ୍ତି । ଆମେରିକାରେ ହିଁ ଷ୍ଟୁଡ଼ିଓ ନିର୍ମାଣ ହେଉ । ତେବେ ଏହା ହଲିଉଡ଼କୁ କ୍ଷତି ପହଁଚାଇବ ବୋଲି ଦ୍ଭ ସିନେ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି । ଡିସନି, ପାରାମାଉଣ୍ଟ ଓ ଡିସ୍କଭରି ଭଳି ଷ୍ଟୁଡ଼ିଓଗୁଡ଼ିକ ଖର୍ଚ୍ଚ ବଞ୍ଚାଇବା ପାଇଁ ବାହାରେ ସୁଟିଂ କରୁଛନ୍ତି । ଟ୍ରମ୍ପଙ୍କ ଏଭଳି ଘୋଷଣା ପରେ ଟେନଫ୍ଲିକ୍ସ ଓ ଡିସ୍କଭରିର ସେୟାର ମୂଲ୍ୟ ହ୍ରାସ ପାଇଛି ।