ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର 

 ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମ୍?ଭି-୭୨ ନୋଡାଲ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ଝୁଲନ୍ତା ଶବ ଜଙ୍ଗଲରୁ ଉଦ୍ଧାର ହେବା ଘଟଣାକୁ ଇତି ମଧ୍ୟରେ ଦୁଇସପ୍ତାହରୁ ଅଧିକ ସମୟ ବିତିଲାଣୀ । କିନ୍ତୁ ଏହି ଚର୍ଚ୍ଚିତ ସମ୍ବେଦନଶୀଳ ଘଟଣାକୁ ଆତ୍ମହତ୍ୟାର ରୃପ ଦିଆଯାଇଥିବା ବେଳେ ପରିବାରଲୋକ ସମେତ ବିଭିନ୍ନ ସଙ୍ଗଠନ ପୁଲିସ୍ ର ଭୂମିକାକୁ ନେଇ ସଂଦେହ ପ୍ରକାଶ କରିଛନ୍ତି । ଦୁଇ ଛାତ୍ରୀଙ୍କ ଝୁଲନ୍ତା ଶବ ଜଙ୍ଗଲରୁ ଉଦ୍ଧାର ହେବା ଘଟଣା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାରଲୋକ ସମେତ ବିଭିନ୍ନ ସଙ୍ଗଠନ ଓ ସ୍ଥାନୀୟ ଲୋକ ଦାବି କରି ଆସୁଥି ବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି । ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଶ୍ୱାସରୁଦ୍ଧ ଯୋଗୁ ଉଭୟ ଛାତ୍ରୀଙ୍କ ମୃତୁ୍ୟ ହୋଇଥିବା ପୁଲିସ୍ କହୁଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକ । ବ୍ୟବଚ୍ଛେଦ ରିପୋର୍ଟରେ କିଛି ହେରଫେର କରାଯାଇ ସତ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ସେମାନେ ସଂଦେହ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଉଚିତ୍ ନ୍ୟାୟ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି । ତେବେ ଏହାକୁ ନେଇ ଗତ ୨୭ ତାରିଖ ଦିନ ଏମ୍ଭି-୭୨ ଏବଂ ଏମ୍ଭି-୧୨୬ ପଲ୍ଲିମଙ୍ଗଲ କମିଟି ତରଫରୁ ଏମ୍ଭି-୧୨୬ ଗ୍ରାମରେ ଏକ ବିଶେଷ ଆଲୋଚନା ସଭା ଡକାଯାଇଥିବା ଜଣାପଡ଼ିଛି । ଏହି ସଭାରେ ଦୁଇ ଛାତ୍ରୀଙ୍କୁ କିଭଳି ଭାବେ ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।