ରୀତିନୀତି ଅନୁସାରେ ପାଳିତ ହେଲା ମେରୁଯାତ୍ରା

ମାଲକାନଗିରି  :  ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ମା "ଦଣ୍ଡକାଳୀ ମନ୍ଦିର ପରିଚାଳନା କମିଟିର ସଭାପତି ଗଜେନ୍ଦ୍ର ମାହାନ୍ତି ଉପ ସଭାପତି ରାମ ବାରିକ, ସମ୍ପାଦକ ବାବୁଲା ଡାକୁଆ, ଯୁଗ୍ମ ସମ୍ପାଦକ ସୁଶାନ୍ତ କୁମାର ମହାରଣା ଓ ଅନ୍ୟ ଜର୍ମକର୍ତ୍ତାଙ୍କ ନେତୃତ୍ୱରେ ୧୩ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ହୋଇଥିଲା । ତେବେ ଆଜି ମହା ବିଷୁବ ସଂକ୍ରାନ୍ତି ଦିନ ଦଣ୍ଡଯାତ୍ରା ରୀତିନୀତି ଅନୁସାରେ ବାଲିମେଳା ସହରର ଦୈନିକ ବଜାର ନିକଟରେ ଥିବା ମା କାଳୀଙ୍କ ମନ୍ଦିରରେ ପ୍ରଥମେ ମା କାଳୀଙ୍କର ପୂଜାର୍ଚ୍ଚନା କରାଯାଇଥିଲା ।  ସେଠାରେ ମେରୁ ଯାତ୍ରା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିଲା ।  ଧୂଳିଦାଣ୍ଡ, ପାଣିଦଣ୍ଡ ଅନୁଷ୍ଠିତ ହୋଇଥଲା । ମୁଖ୍ୟ ଦଣ୍ଡୁଆ ମେରୁରେ ଝୁଲିଥିଲେ । ତେବେ ଅଭିଭକ୍ତ କୋରାପୁଟ ଜିଲ୍ଲାର ବାଲିମେଳାରେ ଅନୁଷ୍ଠିତ ହେଉଥିବା ଦଣ୍ଡ ଯାତ୍ରା ଏବଂ ମେରୁଯାତ୍ରାର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ମେରୁଯାତ୍ରାକୁ ଦେଖିବା ପାଇଁ  ଆଜି  ସକାଳୁ ବାଲିମେଳା ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ଦଣ୍ଡ ନାଚର ବାଦ୍ୟ, ଘଣ୍ଟ ସାଙ୍ଗକୁ ଭକ୍ତଙ୍କ ହୁଳହୁଳିରେ କମ୍ପମାନ ହେଉଥିଲା ସହର । ଜନ ଗହଳିକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।