ଧାନ ମଣ୍ଡିରେ ନାହିଁ ମୌଳିକ ସୁବିଧା, ଚାଷୀ ହନ୍ତସନ୍ତ

ଧାନ ମଣ୍ଡିରେ ନାହିଁ ମୌଳିକ ସୁବିଧା, ଚାଷୀ ହନ୍ତସନ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ସମବାୟ ବ୍ୟାଙ୍କ ଅନ୍ତର୍ଗତ ୧୦ଟି ପଞ୍ଚାୟତରେ ୭ଟି ସ୍ଥାନରେ ଧାନ ମଣ୍ଡି ଉଦଘାଟନ ହୋଇଛି । ପଡିଆ ସମବାୟ ଚାଷୀ ତାଲିକାଭୁକ୍ତ ହୋଇଥିବା ବେଳେ ପ୍ରଥମ ସପ୍ତାହ ଧାନ କିଣା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ମଣ୍ଡି ଗୁଡିକର ପାରିପାର୍ଶ୍ୱିକ ଭିତ୍ତିଭୂମି ଓ ଚାଷୀଙ୍କ ପାଇଁ ପାଇଁ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଭୁଲି ଯାଇଛି ଆଂଚଳିକ ବଜାର କମିଟି । ଧାନ ମଣ୍ଡିରେ ଉଭୟ ପୁରୁଷ ଓ ମହିଳା ଚାଷୀ ଧାନ ବିକ୍ରୟ ପାଇଁ ଆସୁଛନ୍ତି ହେଲେ କୌଣସି ଶୌଚାଳୟର ବ୍ୟବସ୍ଥା ନଥିବାରୁ ଧାନ ମଣ୍ଡିରେ ଏହା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ମୁଖ୍ୟତଃ ମହିଳା ଚାଷୀଙ୍କ ପାଇଁ  ଶୌଚ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ମହିଳା ଚାଷୀ ଧାନ ବିକ୍ରି ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ଚଳିତ ବର୍ଷ ଆରଏମସି ପକ୍ଷରୁ ବିଭିନ୍ନ ମଣ୍ଡିଗୁଡିକରେ ଧାନର ମାନ ପରିକ୍ଷଣ ପାଇଁ ମହିଳାମାନଙ୍କୁ ନିୟୋଜିତ କରାଯାଇଛି । ତେବେ ମଣ୍ଡିରେ ଅସ୍ଥାୟୀ ପାଇଖାନା ଗୃହଟିଏ  ନଥିବାରୁ ଉଭୟ ମହିଳା ଓ ପୁରୁଷଙ୍କ ପାଇଁ ସମସ୍ୟା ପାଲଟିଛି । ଗୋଟିଏ ପଟେ ଚଳିତ ବର୍ଷ ମହିଳା ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନ୍ୟପଟେ ମଣ୍ଡିରେ ଧାନ ବିକ୍ରି ବେଳେ ଚାଷୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥାଏ । ଯାହାଫଳରେ ମଣ୍ଡି ଗୁଡିକରେ ଚାଷୀଙ୍କ ପାଇଁ ମଣ୍ଡିଗୁଡ଼କରେ ଶୌଚାଳୟ ଓ ବିଶ୍ରାମ ଗୃହ ଭଳି ସ୍ଥାନ ନିର୍ମାଣ କରିବା ମୌଳିକ ଭାବେ ଆବଶ୍ୟକତା ରହିଛି । ତେଣୁ ତୁରନ୍ତ ମଣ୍ଡି ଗୁଡିକରେ ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବାର ବ୍ୟବସ୍ଥା କରିବାକୁ  ବିଭିନ୍ନ ମଣ୍ଡିର ଚାଷୀମାନେ ଦାବି କରିଛନ୍ତି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।