ଟ୍ରାକ୍‌ରେ ଖେଳୁଥିଲେ ପବଜୀ : ଟ୍ରେନ୍‌ ମାଡ଼ି ଚାଲିଗଲା ୩ ନାବାଳକଙ୍କ ଜୀବନ

ପବଜୀ ନିଶା ବାଇଆ କଲା।  ସଂସାର ଉଜୁଡ଼ିଗଲା । ଅକାଳରେ ଟ୍ରେନ୍‌ରେ କଟି  ୩ ନାବାଳକଙ୍କ ଜୀବନ ଚାଲିଗଲା । ଏପରି ଏକ ହୃଦୟ ବିଦାରକ ଘଟଣା ବିହାରର ବୈତିୟା ଜିଲ୍ଲାର ମୁଫାସିଲ ଥାନା ଅଞ୍ଚଳରେ ଘଟିଛି। ମୁଫାସିଲ ପୁଲିସ ଷ୍ଟେସନ ଅନ୍ତର୍ଗତ ନରକାଟିଆଗଞ୍ଜ-ମୁଜାଫରପୁର ରେଳ ବିଭାଗର ମନସା ଟୋଲାରେ ଥିବା ରୟାଲ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ପବଜୀ ଖେଳିବା ନିଶା ଘାରିବାରୁ ୩ ନାବାଳକ ସାଙ୍ଗ ଘର ପାଖ ଟ୍ରେନ୍‌ ଲାଇନ୍‌କୁ ଚାଲିଗଲେ। ସେଠାରେ ସେମାନେ ଇୟରଫୋନ୍‌ ଦେଇ ଟ୍ରେନ୍‌ ଲାଇନ୍‌ରେ ବସି ଖେଳୁଥିଲେ ପବଜୀ। ମାତ୍ର ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ଶବ୍ଦ ସେମାନେ ଶୁଣି ପାରି ନ ଥିଲେ। ଫଳରେ ସେମାନଙ୍କ ଉପରେ ଟ୍ରେନ୍‌ ଚଢ଼ି ଯାଇଥିଲା ଓ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବରିଷ୍ଠ ପୁଲିସ୍ ଓ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିବାର ଲୋକେ ପହଞ୍ଚି ନିଜ ନିଜ ପିଲାମାନଙ୍କୁ ଚିହ୍ନଟ କରିଛନ୍ତି । ସେମାନଙ୍କ କାନ୍ଦ ବୋବାଳିରେ ପୂରା ଅଞ୍ଚଳ ଫାଟି ପଡ଼ୁଛି।