କୁମ୍ଭମେଳାକୁ ଆସିବେ ନାଗା ସାଧୁ, କାହିଁକି ଜାଣନ୍ତୁ!

କୁମ୍ଭମେଳାକୁ ଆସିବେ ନାଗା ସାଧୁ, କାହିଁକି ଜାଣନ୍ତୁ!

ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା କୁମ୍ଭମେଳା ଦୁନିଆର ସବୁଠୁ ବଡ଼ ଧାର୍ମିକ ଏବଂ ସାଂସ୍କୃତିକ ଆୟୋଜନ  । ଚଳିତବର୍ଷ ପ୍ରୟାଗରାଜର ସଙ୍ଗମ ତଟରେ ଜାନୁଆରୀ ୧୩ , ୨୦୨୫ ରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ କୁମ୍ଭମେଳା । ଏହି ମେଳାରେ ଦେଶବିଦେଶରୁ ଲୋକ ଭାରତୀୟ ସଂସ୍କୃତିକୁ ଅତି ନିକଟରୁ ଦେଖିବା ଏବଂ ପବିତ୍ର ସଙ୍ଗମ ତଟରେ ସ୍ନାନ କରିବା ପାଇଁ ଆସିଥାନ୍ତି । କୁମ୍ଭମେଳାରେ ସାମିଲ୍ ହେବାକୁ ଆସିଥିବା ନାଗାସାଧୁ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଛାଡିଦିଅନ୍ତି । ନାଗାସାଧୁଙ୍କ ବେଶଭୂଷା ,ଦିନଚର୍ଯ୍ୟାକୁ ଦେଖି ସେମାନଙ୍କ ଜୀବନ କିଭଳି ହୋଇଥିବ ଏହା ଜାଣିବାକୁ ସବୁବେଳେ ତତ୍ପର ଥାଆନ୍ତି ଲୋକେ ।  

ଅର୍ଦ୍ଧକୁମ୍ଭ ,ମହାକୁମ୍ଭରେ ହୁଂକାର ଭରିବା ପାଇଁ ଦେହରେ ଭସ୍ମ ଲଗାଇ ନାଚି ଗାଇ କୁମ୍ଭମେଳାର ପବିତ୍ର ମାସରେ ଭାରତର କୋଣ ଅନୁକୋଣରୁ ଛୁଟି ଆସନ୍ତି ନାଗାସାଧୁ । କିନ୍ତୁ କୁମ୍ଭମେଳା ଶେଷ ହେବା କ୍ଷଣି ଏହି ନାଗା ସାଧୁ କେଜାଣି କେଉଁ ରହସ୍ୟମୟୀ ଦୁନିଆରେ ହଜି ଯାଆନ୍ତି କାହାରିକୁ ଏ ବିଷୟରେ ଜ୍ଞାତ ନଥାଏ । ତେବେ ପ୍ରଶ୍ନ ଆସେ ଯେ ନାଗାସାଧୁ କେଉଁ ଠାରୁ ଆସନ୍ତି ଏବଂ କ’ଣ ଖାଆନ୍ତି? କିଭଳି ହୋଇଥାଏ ତାଙ୍କ ଜୀବନ ଏବଂ କେମିତି ହୁଅନ୍ତି ସେମାନେ ନାଗାସାଧୁ? ଯଦି ଆପଣଙ୍କ ମନରେ ବି ଏଭଳି ପ୍ରଶ୍ନ ଉଙ୍କି ମାରେ ତାହେଲେ ଆସନ୍ତୁ ଏ ବିଷୟରେ କିଛି ଜାଣିବା ।  

କୁମ୍ଭ ଏବଂ ମହାକୁମ୍ଭ ସମୟରେ ହାଡଭଙ୍ଗା ଶୀତରେ ଏହି ନାଗାସାଧୁ ନିବସ୍ତ୍ର ରୁହନ୍ତି ଏବଂ ଖୁବ୍ ଗରମରେ ଶରୀରରେ ବିଭୂତୀ ଲଗାଇଥାନ୍ତି । ସୋମାନଙ୍କୁ ନା କେହି ଆସୁଥିବା ଦେଖନ୍ତି ନା କେହି ଯାଉଥିବା ଦେଖନ୍ତି । ତାଙ୍କ ଜୀବନ ବହୁତ ଜଟିଳ ହୋଇଥାଏ । ତେବେ ଚଳିତ ବର୍ଷ ପ୍ରୟାଗରାଜ ଠାରେ ଏହି ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମୟରେ ଆପଣ ପ୍ରୟାଗରାଜ ସକାଳୁ ଗଲେ ଦେଖିବେ ଗଙ୍ଗାତଟରେ ହଜାର ହଜାର ନାଗାସାଧୁ ରୁଣ୍ଡ ହୋଇ ପବିତ୍ର ବୁଡ ପକାଉଥିବେ ।

କୁହାଯାଏ ଗଙ୍ଗା ନଦୀରେ ବୁଡ ପକାଇଲେ ଜଣେ ନାଗାସାଧୁଙ୍କ ତପ ସମ୍ପୁର୍ଣ୍ଣ ହୁଏ । ଗଙ୍ଗା ସ୍ନାନ ପରେ ହିଁ ଜଣେ ନାଗାସାଧୁଙ୍କ ଶ୍ରେଣୀରେ ଆସିଥାଏ । ଆପଣ ଏଭଳି ବି କହିପାରନ୍ତି କି କେବଳ ଗଙ୍ଗା ସ୍ନାନ ହିଁ ନାଗାସାଧୁଙ୍କ ଅନ୍ତିମ ପରୀକ୍ଷା ଥାଏ । ସ୍ନାନ ପରେ ଏହି ସାଧୁ ସମ୍ପୁର୍ଣ୍ଣ ବସ୍ତ୍ର ତ୍ୟାଗ କରନ୍ତି । ନାଗାବାବାଙ୍କ ଆଉ ଏକ ଖାସ୍ କଥା ହେଉଛି ତାଙ୍କ ବିଧିବିଧାନରେ କେହି ମଧ୍ୟ ହସ୍ତକ୍ଷେପ କରିପାରିବ ନାହିଁ । ଏଭଳି ହେଲେ ସେ କ୍ରୋଧ ହୁଅନ୍ତି । ଆଦିମ କାଳରୁ ଏ ଯାଏଁ କେହି ମଧ୍ୟ ତାଙ୍କ ପରମ୍ପରାରେ ହସ୍ତକ୍ଷେପ କରିନାହାନ୍ତି । ଏଭଳି କୁହାଯାଏ ନାଗାସାଧୁ ୨୪ ଘଣ୍ଟାରେ କେବଳ ଥରେ ହିଁ ଭୋଜନ କରନ୍ତି ଏବଂ ଭିକ୍ଷା ମାଗି ଉଦର ତୃପ୍ତ କରନ୍ତି । ଏଥିପାଇଁ ତାଙ୍କୁ ୭ ଟି ଘରୁ ଭିକ୍ଷା ମାଗିବାର ନିୟମ ରହିଛି । ଯଦି ଭିକ୍ଷା ନ ମିଳେ ତେବେ ଭୋକରେ ରହିବେ ପଛେ ଅଷ୍ଟମ ଘରକୁ ଯିବେନାହିଁ ନାଗାସାଧୁ ।

ସନାତନ ଧର୍ମର ସାଧକ କୁହାଯାଉଥିବା ନାଗାସାଧୁ ଆଖଡା ନାମରେ ମଧ୍ୟ ନାମିତ । ନାଗାସାଧୁଙ୍କ ନିବସ୍ତ୍ର ବେଶ ତାଙ୍କୁ ସାଂସାରିକ ମୋହମାୟାରୁ ଭିନ୍ନ ଦେଖାଏ । ଜଣେ ନାଗାସାଧୁଙ୍କ ଜୀବନ ତପସ୍ୟା,ସାଧନା ଓ ମୋକ୍ଷ ପ୍ରାପ୍ତି ପାଇଁ ସମର୍ପିତ । ଦିନ ଦିନ ଧ୍ୟାନ ଓ ସାଧନାରେ ସମୟ ବିତାଉଥିବା ସାଧୁ ସ୍ନାନ ଏବଂ ପଦ୍ମାସନରେ ବସି ତପସ୍ୟା କରନ୍ତି । ଭୌତିକ ଜୀବନରେ ପ୍ରାକୃତିକ ଜୀବନଶୈଳୀକୁ ଆପଣାଇଥିବା ନାଗାସାଧୁ ନିଜ ସାଧନାରେ ଏତେ ନିମଗ୍ନ ଥାଆନ୍ତି ଯେ ଆଖପାଖରେ କ’ଣ ହେଉଛି ତାଙ୍କୁ ଜ୍ଞାତ ନଥାଏ । ନାଗାସାଧୁଙ୍କ ଏକମାତ୍ର ଉଦ୍ଦେଶ୍ୟ ଆତ୍ମଜ୍ଞାନ ଓ ମୋକ୍ଷ ପ୍ରାପ୍ତ କରିବା । କୁମ୍ଭମେଳା ନାଗାସାଧୁଙ୍କୁ ଏକାଠି ହେବା ପାଇଁ ଏକ ଅବସର ନେଇ ଆସିଥାଏ ଯେଉଁଠି ସବୁ ସାଧୁ ଏକ ହୋଇ ଗଙ୍ଗା ସ୍ନାନ କରନ୍ତି , ଧ୍ୟାନ କରନ୍ତି ଏବଂ ନିଜ ଧାର୍ମିକ କର୍ତ୍ତବ୍ୟର ପାଳନ କରନ୍ତି ।