ଶାଗପଡ଼ା ଜଙ୍ଗଲରେ ବେଆଇନ ଗଛ କଟା: ପ୍ରଭାବିତ ହେଉଛି ବନ୍ୟପ୍ରାଣୀଙ୍କ ଜୀବନ
କେନ୍ଦୁଝର: ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ ଶୁଆକାଟୀ ସେକ୍ସନ ତରମାକାନ୍ତ ବିଟ୍ର ଶାଗପଡା ଜଙ୍ଗଲରେ ବ୍ୟାପକ ଜଙ୍ଗଲ କଟା ଚାଲିଛି । ବିଭିନ୍ନ କିସମର ଗଛକୁ କଟାଯାଇ ଟ୍ରାକ୍ଟରରେ ବାହାରକୁ ବେଧଡ଼କ ଚାଲାଣ ହେଉଛି । ସୂଚନାଯୋଗ୍ୟ ଯେ, ଜଙ୍ଗଲରେ ବନ୍ୟଜନ୍ତୁ ବସବାସ କରୁଥିଲେ ହେଁ ବନ ବିଭାଗ ପକ୍ଷରୁ ୯୮୫ ଆକାଶିଆ ଗଛ କାଟିବାକୁ ଶାଗପଡା ବନ ସୁରକ୍ଷା ସମିତିକୁ ଅନୁମତି ଦିଆଯାଇଛି । କିନ୍ତୁ ଗଛ କାଟିବା ସମୟରେ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହୁ ନଥିବାରୁ ଧାର୍ଯ୍ୟଠାରୁ ବହୁ ଅଧିକ ଏବଂ ଅନ୍ୟାନ୍ୟ କିସମର ଗଛ କଟାଯାଉଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । କାଠ ମାଫିଆମାନେ ମେସିନରେ ଗଛ କାଟି ଚାଲାଣ କରୁଛନ୍ତି ।
ଏହି ଜଙ୍ଗଲରେ ହାତୀ, ଭାଲୁ, ହରିଣ, ବାର୍ହା, ଝିଙ୍କ, ବଣ କୁକୁଡା ଆଦି ଜୀବଜନ୍ତୁଙ୍କ ଚଳପ୍ରଚଳ ରହୁଥିବାରୁ ଏହାର ସୁରକ୍ଷା କରିବାକୁ ପରିବେଶବିତ୍ମାନେ ଦାବି କରିଛନ୍ତି । ଶାଗପଡ଼ା ଜଙ୍ଗଲରେ ଆକାଶିଆ ଗଛ ଗୁଡିÿକ ସୁରକ୍ଷିତ ଥିବାବେଳେ, ବନ ବିଭାଗ କିପରି ଏତେ ସଂଖ୍ୟାରେ ଗଛ କାଟିବାକୁ ଅନୁମତି ଦେଲେ ତାହା ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଗତ ପ୍ରାୟ ୧ ବର୍ଷ ଧରି ବନ ବିଭାଗ ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ୟୁକାଲିପଟାସ ଏବଂ ଆକାଶିଆ ଗଛ କାଟିବାକୁ ଅନୁମତି ଦେଉଛି । ଏହା ପଛରେ ସଂଖ୍ୟାଲଘୁ କାଠ ବ୍ୟବସାୟୀଙ୍କ ହାତ ରହୁଛି । ବନ ସୁରକ୍ଷା ସମିତି ଗଛ କାଟିବାକୁ ଅନୁମତି ପାଇବା ପରେ ସେମାନେ ଜଙ୍ଗଲରେ ବେଆଇନ ପ୍ରବେଶ କରି ଅନୁମତି ଠାରୁ ଢେର ଅଧିକ ଗଛ କାଟି ନେଉଛନ୍ତି । ଏହାପଛରେ ବନ ବିଭାଗର କେତେକ ଅସାଧୁ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ଥିବାରୁ ତଳିଆ କର୍ମଚାରୀମାନେ ଏଭଳି ବେଆଇନ କାମକୁ ନେଇ ଚୁପ ରହୁଛନ୍ତି । ଏହିପରି ଭାବେ ଖୋଦ ବନ ବିଭାଗ ଯଦି ରକ୍ଷକ ହୋଇ ଭକ୍ଷକ ହେବ ତେବେ ଖୁବ କମ ଦିନରେ ସଂରକ୍ଷିତ ଜଙ୍ଗଲରେ ଥିବା ୟୁକାଲିପଟାସ ଏବଂ ଆକାଶିଆ ଗଛ ଲୋପ ପାଇବ । ଗ୍ରାମ୍ୟ ଜଙ୍ଗଲ ଏବଂ ସରକାରୀ ଜମିରେ ଥିବା ୟୁକାଲିପଟାସ ଏବଂ ଆକାଶିଆ ଗଛକୁ କାଠ ମାଫିଆ କାଟି ନେବା ପରେ ଏବେ ସେମାନଙ୍କର ଲୋଲୁପ ଦୃଷ୍ଟି ପଡିଛି ସଂରକ୍ଷିତ ଜଙ୍ଗଲରେ ଥିବା ଏହି ପ୍ରଜାତିର ଗଛ ଉପରେ । ବନବିଭାଗ ମଧ୍ୟ ଏହି କାର୍ଯ୍ୟକୁ ପ୍ରୋତ୍ସାହନ ଦେଇ ଅନୁମତି ପ୍ରଦାନ କରୁଛି । ବନବିଭାଗ ସଂରକ୍ଷିତ ଜଙ୍ଗଲ ଏବଂ ଖେସରା ଜଙ୍ଗଲରେ ଗଛ କାଟିବାକୁ ଅନୁମତି ପ୍ରଦାନ କରୁଥିବାରୁ ବନ ବିଭାଗ, ସଂଖ୍ୟାଲଘୁ କାଠ ମାଫିଆ, ବନ ସୁରକ୍ଷା ସମିତି ସଦସ୍ୟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବାରୁ ଏହି କାରବାର ଅବାଧରେ ଚାଲୁଥିବା ଗ୍ରାମବାସୀମାନେ ସନେ୍ଦହ କରୁଛନ୍ତି । ଜଙ୍ଗଲରେ ୟୁକାଲିପଟାସ ଗଛ କାଟିବାକୁ ଅନୁମତି ଦିଆଯାଉଥିବାରୁ ଜଙ୍ଗଲର ଘନତ୍ୱ କମୁଛି ଏବଂ ବନ୍ୟପ୍ରାଣୀ ଗାଁ ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଜଙ୍ଗଲରେ ବନ ବିଭାଗ ଗଛ କାଟିବାକୁ ଅନୁମତି ଦେଉଥିବାରୁ ପରିବେଶ ଏବଂ ଜଳବାୟୁ ଉପରେ ଏହାର କୁପ୍ରଭାବ ପଡୁଛି ।