ଗାନ୍ଧିମୂର୍ତ୍ତି ତଳେ ଉପାସରେ ଉଠାଦୋକାନୀ
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ବଡ଼ଦାଣ୍ଡରୁ ଉଚ୍ଛେଦ କରାଯାଇଥିବା ଉଠାଦୋକାନୀମାନଙ୍କୁ ଅଦ୍ୟାବଧି ଥଇଥାନ କରାଯାଇନାହିଁ । ୨ ମାସରେ ଥଇଥାନ କରାଯିବ ବୋଲି ଜିଲ୍ଳା ପ୍ରଶାସନ ପ୍ରତିଶ୍ରୁତି ଦେବା ସହିତ ପ୍ରତ୍ୟେକଙ୍କୁ ଆର୍ଥିକ ସହାୟତା ମାସିକ ୧୫ ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା । ୧୫ ମାସ ଧରି ଦୋକାନୀମାନଙ୍କୁ ଥଇଥାନ କରାଯାଉନଥିବା ବେଳେ ଦୀର୍ଘ ୬ମାସ ଧରି ଦିଆଯାଉଥିବା ଆର୍ଥିକ ସହାୟତା ମଧ୍ୟ ବନ୍ଦ କରିଦିଆଯାଇଛି । ବିଭିନ୍ନ ସମୟରେ ଉଠାଦୋକାନୀମାନେ ଜିଲ୍ଳା ପ୍ରଶାସନ ବିରୁଦ୍ଧରେ ବିକ୍ଷୋଭ, ର୍ୟାଲି ଆଦି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏପରିକି ଆଇନର ଆଶ୍ରୟ ନେଇଥିଲେ ମଧ୍ୟ ପ୍ରଶାସନର ନିଘା ନାହିଁ । ମଙ୍ଗଳବାର ଦିନ ଜିଲ୍ଳା ପ୍ରଶାସନର ଏହି ଗରିବ ମାରଣ ନୀତି ବିରୁଦ୍ଧରେ ଗାନ୍ଧୀଘାଟର ଗାନ୍ଧୀଜୀଙ୍କ ମୂର୍ତ୍ତି ତଳେ ଉଠାଦୋକାନୀମାନେ ଧାରଣା ଦେବା ସହ ନିର୍ଜଳ ଉପବାସ ଆରମ୍ଭ କରିଛନ୍ତି ଓ ଆଗକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କର ସ୍ୱର୍ଗଦ୍ୱାରଠାରେ କୁଶ ପୁତ୍ତଳିକା ଦାହ କରାଯିବ ବୋଲି ଉଠାଦୋକାନୀମାନେ ନିଷ୍ପତ୍ତି ନେଇଛନ୍ତି । ବଡ଼ଦାଣ୍ଡ ମିଳିତ ଉଠାଦୋକାନୀ ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆଯାଇଥିବା ଧାରଣାରେ ଉପସ୍ଥିତ ବଡ଼ବଜାର ସଂଘ ସଭାପତି ଯଶୋବନ୍ତ ପାତ୍ର ଅଭିଯୋଗ କରିଛନ୍ତି ଯେ ଜିଲ୍ଳାପାଳ ସଂଘ ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି । ଖୋର୍ଦ୍ଧା, ଭୁବନେଶ୍ୱର ଓ ଯାଜପୁରରେ ଉଠାଦୋକାନୀମାନଙ୍କର ସମସ୍ୟାର ସମାଧାନ ହେଉଥିବା ବେଳେ ପୁରୀରେ ହେଉନାହିଁ । ଲୋକଙ୍କ ସରକାର ବୋଲି କହୁଥିବା ବିଜେପି ସରକାର ବିଗତ ସରକାରଙ୍କ ପଥ ଅନୁସରଣ କରୁଛନ୍ତି । ଆଇନମନ୍ତ୍ରୀ ଉଠାଦୋକାନୀମାନଙ୍କୁ ଦିଲ୍ଲୀ ହାଟଭଳି ପୁରୀରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କଲେନାହିଁ । ବ୍ରହ୍ମଗିରି ରାସ୍ତାରେ ଥିବା ଶ୍ରୀସେତୁ ତଳେ ଉଠାଦୋକାନୀମାନଙ୍କୁ ଥଇଥାନ ପାଇଁ ଜିଲ୍ଳା ପ୍ରଶାସନ ବାଧ୍ୟ କରୁଛି । ସେଠାରେ ବ୍ୟବସାୟ ହେବନାହିଁ । ମାତ୍ର ପ୍ରତ୍ୟହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ । ଉଠାଦୋକାନୀମାନେ ୭୭ ଦିନ ଧରି ଅନଶନ, ଧାରଣା ଦେବା ପରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ବାରମ୍ବାର ଦୁଃଖ ଜଣାଇବା ସତ୍ତ୍ୱେ ସମାଧାନ ହେଉନାହିଁ ।