ଓଡ଼ିଶାରେ ହେବ ଶିକ୍ଷା ଓ ରେଳର ବିକାଶ

 ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଶିକ୍ଷା ମନ୍ତ୍ରଣାଳୟ ମିଳିଛି  । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବଭଳି ରେଳ ମନ୍ତ୍ରଣାଳୟ ମିଳିଥିବାବେଳେ ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବି ପ୍ରଦାନ କରାଯାଇଛି  । ସେପଟେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତୃତୀୟ ଥର ପାଇଁ ଆଦିବାସୀ ମନ୍ତ୍ରଣାଳୟ ପାଇଛନ୍ତି ।
ସୋମବାର ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ମନ୍ତ୍ରୀମାନଙ୍କୁ ମନ୍ତ୍ରଣାଳୟ ଆବଣ୍ଟନ କରାଯାଇଛି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ ଶିକ୍ଷା ମନ୍ତ୍ରଣାଳୟ ମିଳିଛି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ସମ୍ପ୍ରସାରଣ ବେଳେ ତାଙ୍କୁ ଶିକ୍ଷା ମନ୍ତ୍ରଣାଳୟ ମିଳିଥିଲା  । ନୂଆ ଶିକ୍ଷାନୀତି ଠିକ୍ ଭାବେ ଲାଗୁ କରିବାକୁ ଧର୍ମେନ୍ଦ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଥିଲା । ଅପରପକ୍ଷରେ ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଛି ରେଳ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ରେଳ ଭିତ୍ତିଭୂମିର ବିକାଶ, ବୁଲେଟ ଟ୍ରେନର ସ୍ୱପ୍ନ ପୂରଣ କରିବା ଦିଗରେ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି  । ପୂର୍ବରୁ ମଧ୍ୟ ତାଙ୍କ ହାତରେ ରେଳ ମନ୍ତ୍ରଣାଳୟ ରହିଥିଲା ।
ସେହିପରି ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କୁ ଆଦିବାସୀ ମନ୍ତ୍ରଣାଳୟ ମିଳିଛି । ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅମଳରେ ପ୍ରଥମ ଥର ଏହି ମନ୍ତ୍ରଣାଳୟ ଗଠନ ହୋଇଥିବାବେଳେ ଜୁଏଲ ପ୍ରଥମ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ସରକାରରେ ମଧ୍ୟ ସେ ଆଦିବାସୀ ମନ୍ତ୍ରଣାଳୟ ପାଇଥିବାବେଳେ ତୃତୀୟ ଥର ପାଇଁ ଆଦିବାସୀ ମନ୍ତ୍ରଣାଳୟ ଦାୟିତ୍ୱ  ପାଇଛନ୍ତି ।