ଶୀତଳଷଷ୍ଠୀରେ ଯୋଗଦେବାକୁ ଧର୍ମେନ୍ଦ୍ରଙ୍କ ଆହ୍ୱାନ
ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡିଓ ବାର୍ତ୍ତା ଜରିଆରେ ଶୀତଳ ଷଷ୍ଠୀ -୨୦୨୫ର ଶୁଭେଚ୍ଛା ଜଣାଇବା ସହ ଆସନ୍ତାକାଲି ଠାରୁ ଜୁନ୍ ୨ ପର୍ଯ୍ୟନ୍ତ ସମ୍ବଲପୁର ଶୀତଳଷଷ୍ଠୀ ପର୍ବରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି । ଶ୍ରୀ ପ୍ରଧାନ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଏବେ ଶୀତଳ ଷଷ୍ଠୀ ଯୋଗୁ ସବୁଆଡେ ଆଧ୍ୟାତ୍ମିକ ଏବଂ ଆନନ୍ଦର ବାତାବରଣ ଦେଖାଯାଇଛି । ସମ୍ବଲପୁର ସହ ସୁନ୍ଦରଗଡ଼, ବରଗଡ, ବରପାଲି ଓ ବଲାଙ୍ଗିରରେ ମଧ୍ୟ ଶୀତଳଷଷ୍ଠୀ ମହା ଆଡମ୍ବରରେ ପାଳିତ ହେଉଛି । ଶୀତଳ ଷଷ୍ଠୀ ଆଧ୍ୟାତ୍ମିକତାର ଦିବ୍ୟତା ଓ ଲୋକ ସଂସ୍କୃତିର ଭବ୍ୟତାର ବିରଳ ସଙ୍ଗମ । ଏହି ଅବସରରେ ସବୁ ଗୁରୁଜନ, ମାଆ ଭଉଣୀ ଏବଂ ଦାଦା ଭାଇମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଶୀତଳ ଷଷ୍ଠୀର ଥାଳି ଉଠା, ପତର ପେଣି, ଗୁଆ ଗୁଣା, ଦେବ ନିମନ୍ତ୍ରଣ ଏବଂ ଦେବ ବିବାହ ଆଦି ପରମ୍ପରା ଏହି ପର୍ବକୁ ଗୋଟିଏ ଭିନ୍ନ ପରିଚୟ ଦେଇଛି । ଶୀତଳଷଷ୍ଠୀର ଆଉ ଗୋଟିଏ ଭବ୍ୟ ଦିଗ ହେଉଛି, ଏହି ଦିନ ଲୋକକଳା, ଲୋକବାଦ୍ୟ, ଲୋକନୃତ୍ୟ ଏବଂ ଲୋକଗୀତର ମହାସଙ୍ଗମ । ଜଗତଜନନୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କ ଆଶୀର୍ବାଦ ସମସ୍ତଙ୍କ ପରିବାର ଉପରେ ରହୁ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି ।