ଦିଲ୍ଲୀରେ ଧର୍ମେନ୍ଦ୍ରଙ୍କୁ କାହିଁକି ଭେଟିଥିଲେ ରାଜ୍ୟପାଳ !

ନୂଆଦିଲ୍ଲୀ: ଓଡ଼ିଶା ରାଜ୍ୟପାଳ ଡକ୍ଟର ହରି ବାବୁ କୁମ୍ଭମପତି ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ଏହି ଭେଟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଭେଟିବା ପରେ ଦିଲ୍ଲୀରେ ରାଜ୍ୟପାଳଙ୍କ ଭେଟଘାଟ ଜାରି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ରାଜ୍ଯପାଳ । କନ୍ଧମାଳ ସାଂସଦ ବି କଲେ ସାକ୍ଷାତ । ସାକ୍ଷାତର ଉଦ୍ଦେଶ୍ୟ ନେଇ ଚାରିଆଡ଼େ ଚର୍ଚ୍ଚା । ଓଡ଼ିଶା ରାଜ୍ୟପାଳ କମ୍ଭବପତି ହରିବାବୁଙ୍କୁ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିଥିଲେ। ଏହାପରେ ରାଜ୍ୟପାଳ ଆଇନ ମନ୍ତ୍ରୀଙ୍କ ଘରକୁ ଯାଇ ତାଙ୍କୁ ସାକ୍ଷାତ୍ କରିଥିଲେ । ତାପର ଦିନ ରାଜ୍ୟପାଳଙ୍କୁ ଭେଟିଥିଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ଏସବୁ ଭେଟଘାଟ ପରେ ଗତକାଲିଠାରୁ ଦିଲ୍ଲୀରେ ଏହି ସାକ୍ଷାତ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ରାଜ୍ୟପାଳ ନିଜେ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି। ଏହି ଭେଟଘାଟ ପରେ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି, ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍ ଥିଲା । ପୂର୍ବରୁ କିଛି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଥିଲେ ରାଜ୍ୟପାଳ । ଏବେ ମନ୍ତ୍ରୀ ଓ ସାଂସଦଙ୍କ ସହ ଭେଟଘାଟକୁ ନେଇ ଜୋର ଧରିଛି ଚର୍ଚ୍ଚା । ଆଗକୁ ସେ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନଙ୍କୁ ଭେଟିବେ ବୋଲି ମଧ୍ୟ କୁହାଯାଉଛି। କେତେକଙ୍କ ମତରେ ଏହା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ଆଲୋଚନା-ପର୍ଯ୍ୟାଲୋଚନା ତ ଆଉ କେହି କେହି କହୁଛନ୍ତି ଦିଲ୍ଲୀର କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ କିଛି ବିଶେଷ ଦାୟିତ୍ବ ଦେଇଥାଇପାରନ୍ତି।