ମଣିପୁରରେ ଏନକାଉଣ୍ଟର : ୪ କୁକି ଉଗ୍ରବାଦୀ ନିହତ
ଇମ୍ଫାଲ : ମଣିପୁରରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ବିଦ୍ରୋହୀ ଗୋଷ୍ଠୀ ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି (ୟୁକେଏନଏ)ର ୪ ଜଣ ସଦସ୍ୟ ନିହତ ହୋଇଛନ୍ତି । ଏହି ଘଟଣା ଚୁରାଚାନ୍ଦପୁର ଜିଲ୍ଲାର ହେଙ୍ଗଲେପ୍ ଉପଖଣ୍ଡ ଅନ୍ତର୍ଗତ ଖାନପି ଗ୍ରାମରେ ଆଜି ଭୋର ସମୟରେ ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ମଣିପୁରର ଚୁରାଚାନ୍ଦପୁରରୁ ପ୍ରାୟ ୮୦ କିଲୋମିଟର ପଶ୍ଚିମରେ ଖାନପି ଗ୍ରାମରେ ଆତଙ୍କବାଦୀମାନେ ଏକ ସେନା ସ୍ତମ୍ଭ ଉପରେ ଗୁଳି ଚଳାଇଥିଲେ । ସୁରକ୍ଷା ବାହିନୀ ଓ ୟୁକେଏନଏର ସଶସ୍ତ୍ର କ୍ୟାଡରଙ୍କ ମଧ୍ୟରେ ଗୁଳିବିନିମୟରେ ୪ ଜଣ କ୍ୟାଡର ନିହତ ହୋଇଛନ୍ତି । ୟୁକେଏନଏ କ୍ୟାଡରଙ୍କ ଦ୍ୱାରା ସମ୍ପ୍ରତି ଜଣେ ଗ୍ରାମମୁଖ୍ୟଙ୍କୁ ହତ୍ୟା, ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ଓ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତାକୁ ବିପର୍ଯ୍ୟସ୍ତ କରିବା ପାଇଁ ପ୍ରୟାସ ପରେ ସୁରକ୍ଷା ବାହିନୀ ପକ୍ଷରୁ ଏହି ଅପରେସନ କରାଯାଇଥିଲା । ଏହା ଦ୍ୱାରା ଉଗ୍ରବାଦୀଙ୍କ ଯୋଜନା ପଣ୍ଡ କରିବା, ନାଗରିକମାନଙ୍କୁ ସୁରକ୍ଷା ଦେବା, ସମସ୍ତ ବିପଦକୁ ହ୍ରାସ କରିବା ଓ ମଣିପୁରରେ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତୀୟ ସେନା ଓ ଆସାମ ରାଇଫଲ୍ସର ପ୍ରତିବଦ୍ଧତାକୁ ପ୍ରକାଶ କରେ ବୋଲି ଏକ ବିବୃତ୍ତିରେ ଆହୁରି କୁହାଯାଇଛି । ୟୁକେଏନଏ ମୁଖ୍ୟତଃ ଚୁରାଚାନ୍ଦପୁର ଜିଲ୍ଲାରେ ସକ୍ରିୟ ରହିଛି ।