ଧୋନି ଟିମ୍ ଧରାଶାୟୀ

 ଭୁବନେଶ୍ୱର:  ଚେନ୍ନାଇରେ ଧରାଶାୟୀ ଚେନ୍ନାଇ ସୁପର କିଙ୍ଗସ୍ । କୋଲକାତା ନାଇଟ୍ ରାଇଡର୍ସ ସାମ୍ନାରେ ଦଳଗତ ଆତ୍ମସମର୍ପଣ । ଘାତକ ବୋଲିଂରେ ଘାଇଲା ହୋଇଛି ଧୋନି ଆଣ୍ଡ୍ କମ୍ପାନି । ଶିବମ୍ ଦୁବେଙ୍କ ବ୍ୟତୀତ କୌଣସି ବ୍ୟାଟର ବ୍ୟକ୍ତିଗତ ୩୦ ସ୍କୋର ପାର୍ କରିପାରିଲେ ନାହିଁ । ଫଳରେ ନିର୍ଦ୍ଧାରିତ କୋଡିଏ ଓଭରେ ୯ ୱିକେଟ୍ ହରାଇ ସିଏସ୍କେ ୧୦୩ ରନ୍ କରିଥିଲା । ସେପଟେ କେକେଆର ସାମ୍ନାରେ ୧୦୪ ରନର ଟାର୍ଗେଟ୍ ରହିଥିଲା । ଚେନ୍ନାଇ ସୁପର କିଙ୍ଗସକୁ ୮ ୱିକେଟରେ ପରାସ୍ତ କଲା କୋଲକାତା ନାଇଟରାଇଡର୍ସ । କୋଲକାତା ଆଗରେ ବିଜୟ ପାଇଁ ୧୦୪ ରନର ଏକ ମାମୁଲି ବିଜୟ ଲକ୍ଷ୍ୟ ଥିଲା, ଯାହାକୁ ଦଳ ୧୦.୨ ଓଭରରେ ୨ ଓି୍ୱକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ସୁନୀଲ ନାରାୟଣ ୪୪ ରନ କରିଥିବାବେଳେ କ୍ୱିଣ୍ଟନ ଡିକକ୍ ୨୩ ରନ କରିଥିଲେ । ସେହିପରି ଅଜିଙ୍କ୍ୟ ରାହାଣେ ୨୦ ରନ ଓ ରିଙ୍କୁ ସିଂ ୧୫ ରନ କରିଥିଲେ । 
ଏହି ମ୍ୟାଚ୍ରେ କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ପକ୍ଷରୁ ଦେୱନ କନୱେ ଓ ରାଚିନ ରବୀନ୍ଦ୍ର ବ୍ୟାଟିଂ ଓପନ କରିଥିଲେ । କିନ୍ତୁ ରାଚିନ ମାତ୍ର ୪ ରନ କରିଆଉଟ ହୋଇଥିଲେ । କନୱେ ମଧ୍ୟ ୧୪ ରନ କରି ଆଉଟ ହୋଇଥିଲେ । ଏହାପରେ ଦଳର ବ୍ୟାଟିଂରେ ଆଉ ସୁଧାର ଦେଖିବାକୁ ମିଳିନଥିଲା । ତେବେ ଶୁଭମ ଦୁବେ ଓ ବିଜୟ ଶଙ୍କର କିଛି ସମୟ କୋଲକାତା ବୋଲରଙ୍କ ମୁକାବିଲା କରିଥିଲେ । ଦୁବେ ୩୧ ରନ ଓ ଶଙ୍କର ୨୯ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଶୋଚନୀୟ ଭାବେ ବିଫଳ ହୋଇଥିଲେ । କୋଲକାତା ପକ୍ଷରୁ ସୁନୀଲ ନାରାୟଣ ୩ଟି ୱିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତି ଓ ହର୍ଷିତ ରାଣା ୨ଟି ଲେଖାଏଁ ୱିକେଟ ନେଇଥିଲେ ।