ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ: ରାମକୃଷ୍ଣଙ୍କୁ ପଚରାଉଚରା


ପୁରୀ :   ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଅବସରରେ ନିଜର ଦ୍ୱନ୍ଦାତ୍ମକ ବୟାନ ଦ୍ୱାରା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଗଣିତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମାନସପଟରେ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର  । ଏହାଦ୍ୱାରା ଶ୍ରୀମନ୍ଦିର ଗାରିମା କ୍ଷୁର୍ଣ୍ଣ କରିଥିବା ଅଭିଯୋଗରେ ଦଇତାପତି ନିଯୋଗ ସଂପାଦକଙ୍କୁ କୈଫୟିତ ତଲବ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  । ତଦନୁଯାୟୀ ସଂପାଦକ ଶ୍ରୀ ଦାସମହାପାତ୍ର ଓ ସଭାପତି ଗଣେଶ୍ୱର ଦାସମହାପାତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ନିକଟରେ ପହଞ୍ଚô ସାକ୍ଷାତ ଆଲୋଚନା କରିଛନ୍ତି  ।
ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଶ୍ରୀ ଦାସମହାପାତ୍ରଙ୍କ ସହିତ ୨ ଘଣ୍ଟା ଧରି ଆଲୋଚନା କରିଥିଲେ  । ଆଲୋଚନା ପରେ ସଂପାଦକ ଶ୍ରୀ ଦାସମହାପାତ୍ର ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ  । ଅପରପକ୍ଷରେ ସଭାପତି ଗଣେଶ୍ୱର ଦାସମହାପାତ୍ର କହିଥିଲେଯେ, ତଦନ୍ତରେ ଯାହା ପଚରାଗଲା ତାହାର ଉତ୍ତର ଦେଇଛୁ  । ସରକାରୀ ରିପୋର୍ଟ ଯାହା ଆସିବ ଆମେ ତାହାକୁ ସ୍ୱାଗତ କରିବୁ  ।
ସୂଚନାଯୋଗ୍ୟଯେ, ଦୀଘା ସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉସôବରେ ରାମକୃଷ୍ଣ ଦାସମହାପାତ୍ର ଯୋଗଦାନ କରି ନବକଳେବର ସମୟରେ ଦାରୁମୂର୍ତ୍ତି ନିର୍ମାଣ ପରେ ବଳକା ଦାରୁ କାଠରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିର୍ମାଣ କରି ଦୀଘା ସ୍ଥିତ ମନ୍ଦିରରେ ସଂସ୍ଥାପନ କରାଯାଇଛି ବୋଲି ଏକ ବଙ୍ଗାଳୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ  । ପରେ ପୁରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଉକ୍ତିକୁ ଖଣ୍ଡନ କରି ସେ କୌଣସି ଗଣମାଧ୍ୟମରେ ଏଭଳି କହିନାହାନ୍ତି ବୋଲି ପ୍ରକାଶ କରିବା ସହିତ ନିମ୍ବ କାଠରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ କରି ମୁଁ ସାଙ୍ଗରେ ନେଇ ଦୀଘା ଯାଇଥିଲି ବୋଲି ପ୍ରକାଶ କରିଥିଲେ  ।
ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ବର୍ଗରୁ ପ୍ରତିରୋଧ କରାଯିବାରେ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ତଦନ୍ତ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ନିଦେ୍ର୍ଦଶ ଦେଇଥିଲେ । ତଦନୁଯାୟୀ ଶ୍ରୀ ଦାସମହାପାତ୍ରଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ୭ ଦିନିଆ ନୋଟିସ ଜାରି କରାଯାଇଥିଲା  । ୭ ଦିନ ମଧ୍ୟରେ କୈଫୟତ ନଦେଲେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ ଅନୁଯାୟୀ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍ରେ କୁହାଯାଇଥିଲା  । ନବ କଳେବରରେ ସଂଗୃହୀତ ଦାରୁ ମଧ୍ୟରୁ ବଳକା ଦାରୁ ଶ୍ରୀମନ୍ଦିର ଦାରୁ ଘରେ ସଂରକ୍ଷିତ ରହିବାର ବିଧି ରହିଥିବା ବେଳେ ଆବଶ୍ୟକ ସମୟରେ କେବଳ ଶ୍ରୀଜୀଉମାନଙ୍କ ବ୍ୟବହାରରେ ବିନିଯୋଗର ବିଧି ତଥା ପରମ୍ପରା ରହିଛି  । ଜଣେ ଅଭିଜ୍ଞ ତଥା ବରିଷ୍ଠ ଦଇତାପତି ଭାବେ ଏ ସଂକ୍ରାନ୍ତରେ ଅବଗତ ଥାଇ ମଧ୍ୟ ଶ୍ରୀ ଦାସମହାପାତ୍ର ଏଭଳି ବୟାନ ଦେବା ଦ୍ୱାରା ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି ହୋଇଥିବା ନୋଟିସରେ ଉଲ୍ଲେଖ କରାଯାଇଥିଲା  । ଦଇତାପତି ଶ୍ରୀ ଦାସମହାପାତ୍ରଙ୍କ ଦ୍ୱନ୍ଦାତ୍ମକ ବୟାନ ଅଗଣିତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିବା ସହ ତାଙ୍କ ଧାର୍ମିକ ଭାବନାରେ ଗଭୀର ଆଘାତ ହୋଇଛି  । ଏହାଦ୍ୱାରା ଶ୍ରୀମନ୍ଦିରର ଗାରିମା ଓ ଐତିହ୍ୟ କ୍ଷୁର୍ଣ୍ଣ ହୋଇଥିବା ନୋଟିସ୍ରେ ଦର୍ଶାଯାଇଛି ।