ପାଣି ନୁହଁ, ବାଲିମୟ ମହାନଦୀ

ରବୀନ୍ଦ୍ର କୁମାର ପଟ୍ଟନାୟକ :  ମରୁଭୂମି ପାଲଟୁଛି ଓଡ଼ିଶାର ଜୀବନ ରେଖା ଚିରସ୍ରୋତା ମହାନଦୀ  । ଛତିଶଗଡ଼ର ଚକ୍ରାନ୍ତ ଯୋଗୁଁ ୧ ଲକ୍ଷ ୪୧ ହଜାର ୬୦୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ମହାନଦୀର ବିକଳ ଚିତ୍ର ଦେଖିବାକୁ ମିଳିଛି  । ପାଣି ବଦଳରେ ଚାରିଆଡ଼େ କେବଳ ବାଲି ହିଁ ପ୍ରତୀୟମାନ ହେଉଛି  ।
ମହାନଦୀ କୂଳବର୍ତ୍ତୀ ଜିଲାଗୁଡ଼ିକର ଲକ୍ଷ ଲକ୍ଷ ଲୋକ ଏବେ ଜଳାଭାବର ସାମ୍ନା କରୁଛନ୍ତି  । ପାନୀୟ ଜଳ, ଚାଷଜମିକୁ ଜଳସେଚନ  ଏବଂ ମତ୍ସ୍ୟଜୀବୀମାନଙ୍କ ମାଛଧରି ଗୁଜୁରାଣ ମେଣ୍ଟାଇବା କ୍ଷେତ୍ରରେ ଗୁରୁତର  ପ୍ରଭାବ ପଡ଼ିଛି  । ନୟାଗଡ଼ ଜିଲ୍ଲାରେ ଏହି ସ୍ଥିତି ବେଶ୍ ସଂଗୀନ ରହିଛି  ।
ତଥ୍ୟ ଅନୁଯାୟୀ, ଗଣିଆ ବ୍ଲକର କୁତୁରି ଠାରୁ ଭାପୁର ବ୍ଲକର ବଡ଼ବର ଗ୍ରାମ ପର୍ଯ୍ୟନ୍ତ   ୪୭କିମି ପର୍ଯ୍ୟନ୍ତ ଜିଲାରେ ମହାନଦୀ ପ୍ରବାହିତ ହେଉଛି  । ମହାନଦୀ କୂଳବର୍ତ୍ତୀ ଛାମୁଣ୍ଡିଆ, ରାସଙ୍ଗ, ବେଲପଡ଼ାପାଟଣା, ଗଣିଆ, କିଶୋରପ୍ରସାଦ, ସିଧାମୂଳା, ବଡ଼ବାଣପୁର, କଣ୍ଟିଲୋ, ପଥରଚକଡ଼ା, କେନ୍ଦୁପଲ୍ଲି, ପଦ୍ମାବତୀ ଏବଂ କରବର ପଞ୍ଚାୟତର ହଜାର ହଜାର ଲୋକ ମହାନଦୀ ଜଳକୁ ପିଇବା, ଜଳସେଚିତ କରିବା, ଗାଧୋଇବା ଏବଂ ମାଛ ଧରିବା ପାଇଁ ବ୍ୟବହାର କରିଥାନ୍ତି  ।
ମାତ୍ର ଛତିଶଗଡ଼ ସରକାର ଉପର ମୁଣ୍ଡରେ ବହୁ ବନ୍ଧ ପକାଇ ମହାନଦୀ ଜଳକୁ ରୋକି ଦେଇଥିବାରୁ ଏଥିଯୋଗୁଁ ତଳମୁଣ୍ଡରେ ଥିବା ନୟାଗଡ଼ ଜିଲାରେ ମହାନଦୀ ଏକ ପ୍ରକାର ଶୁଖିଲା ପଡ଼ିଛି  । ଏପରିକି ପ୍ରସିଦ୍ଧ ସାତକୋଶିଆ ଗଣ୍ଡ କ୍ରମଶଃ ପୋତି ହୋଇପଡୁଛି  । ଫଳରେ,ଚିରସ୍ରୋତା ମହାନଦୀର ସ୍ରୋତ ଏବେ   କ୍ଷୀଣ ହୋଇପଡ଼ିଛି  । 
ନେତା ବଦଳିଲେ ନୀତି ବଦଳିବା ନ୍ୟାୟ ଯୋଗୁଁ ବ୍ୟାରେଜ ପ୍ରତିଷ୍ଠା ଜିଲାବାସୀଙ୍କ ନିମନ୍ତେ ସ୍ୱପ୍ନ ପାଲଟିଛି  । ଏଠାରେ ଉଲ୍ଲେଖନୀୟ ଯେ,୧୯୬୦ରୁ ୨୦୧୮ମସିହା ପର୍ଯ୍ୟନ୍ତ ମହାନଦୀର ବିଭିନ୍ନ ସ୍ଥାନରେ ବ୍ୟାରେଜ ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଥିଲା  । ଟିକରପଡ଼ାରୁ ପଦ୍ମାବତୀ ପର୍ଯ୍ୟନ୍ତ ୪ଟି ସ୍ଥାନରେ ଏହି ବ୍ୟାରେଜ ନିର୍ମାଣ ନିମନ୍ତେ ପ୍ରସ୍ତାବ ରହିଥିଲା  । ଏପରିକି ୧୯୬୦ରେ ଟିକରପଡ଼ା ଠାରେ ହୀରାକୁଦ ଭଳି ଦ୍ୱିତୀୟ ପ୍ରକଳ୍ପର ଶିଳାନ୍ୟାସ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବହାରଲାଲ ନେହେରୁ କରିଥିଲେ  । ମାତ୍ର, ପରବର୍ତ୍ତୀ ସମୟରେ ତାଙ୍କ ଅବର୍ତ୍ତମାନରେ ଏହି ବୃହତ୍ତ୍ତପ୍ରକଳ୍ପର ମଧ୍ୟ ସଲିଳ ସମାଧି ଘଟିଥିଲା  । ପରବର୍ତ୍ତୀ ସମୟରେ ୧୯୮୨ରେ ମଣିଭଦ୍ରା ବ୍ୟାରେଜ ନିର୍ମାଣ ପ୍ରସ୍ତାବ ଆସିଥିଲା  । କିନ୍ତୁ ତାହା ମଧ୍ୟ ସାକାର ହୋଇପାରିଲାନାହିଁ  । ଅନୁରୂପ ଭାବେ ୨୦୧୫ରେ ଗଣିଆ ବ୍ଲକ ରାଉତପଡ଼ାରୁ ଅପରପାଶ୍ୱର୍ରେ ଥିବା କଟକ ଜିଲା ନରସିଂହପୁର ବ୍ଲକର ଡ଼ିମିରିଆ ପର୍ଯ୍ୟନ୍ତ ସୁବଳୟା ବ୍ୟାରେଜ ନିର୍ମାଣ କରାଯିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିଲା  । ମାତ୍ର,ତାହା ମଧ୍ୟ ହୋଇପାରିଲା ନାହିଁ  । ସେହିଭଳି, ଭାପୁର ବ୍ଲକ ପଦ୍ମାବତୀ ଠାରେ ଏକ ବ୍ୟାରେଜ ନିର୍ମାଣ କରିବା ନିମନ୍ତେ ତକ୍ରାଳୀନ ଲୋକସଭା ସଦସ୍ୟ ସ୍ୱର୍ଗତ ଶିବାଜୀ ପଟ୍ଟନାୟକ ପାର୍ଲାମେଣ୍ଟରେ ବାରମ୍ବାର ଦୃଢ଼ ଦାବି ଉପସ୍ଥାପନ କରିଥିଲେ  । ଫଳରେ,ଏହି ସ୍ଥାନରେ  ସର୍ଭେ ମଧ୍ୟ ସେତେବେଳେ କରାଯାଇଥିଲା । ମାତ୍ର,ତାହାର ମଧ୍ୟ ସଫଳ ରୂପାୟନ ହୋଇପାରିଲାନାହିଁ  । ଅନୁରୂପ ଭାବେ ଏହି ସ୍ଥାନରେ ଏକ ବ୍ୟାରେଜ ନିର୍ମାଣ କରିବା ପାଇଁ ୨୦୧୮ମସିହାରେ ଖଣ୍ଡପଡ଼ାର ବିଧାୟକ ଥିବା ଅନୁଭବ ପଟ୍ଟନାୟକ ବିଶେଷ ଉଦ୍ୟମ କରିଥିଲେ  । ଶ୍ରୀ ପଟ୍ଟନାୟକଙ୍କ ଚାପ ଫଳରେ ଏହି ସ୍ଥାନରେ ଜଳସମ୍ପଦ ବିଭାଗର ଉଚ୍ଚ ବିଶେଷଜ୍ଞ ପ୍ରତିନିଧି ମଣ୍ଡଳୀକୁ ଏଠାକୁ ଏକାଧିକ ଥର ପରିଦର୍ଶନରେ ଆସିଥିଲେ  । ଏହି ପ୍ରକ୍ରିୟାରୁ ମନେ ହେଉଥିଲା ପଦ୍ମାବତୀ ଠାରେ ମହାନଦୀରେ ରାଜ୍ୟ ସରକାର ନିଶ୍ଚିତ ବ୍ୟାରେଜ ନିର୍ମାଣ କରିବେ  । ମାତ୍ର,ଅନୁଭବ ବିଧାୟକ ପଦରୁ ବିଦାୟ ନେବା ପରେ   କଥିତ ପଦ୍ମାବତୀ ବ୍ୟାରେଜ ପ୍ରସ୍ତାବକୁ  ମଧ୍ୟ ବନ୍ଦ କରି ଦିଆଗଲା  । ୧୯୬୦ରୁ ଏଯାବତ୍ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ନୟାଗଡ଼ ଜିଲାର ୧୨ ଲକ୍ଷ ଲୋକ ଜଳ ତାଡ଼ନା ଭୋଗୁଛନ୍ତି  । ଏହାର ପରିଣାମ ସ୍ୱରୂପ ପ୍ରତିବର୍ଷ ଏହି ଜିଲାରେ ବର୍ଷା ଋତୁରେ ପ୍ରଳୟଙ୍କାରୀ ବନ୍ୟା ଏବଂ ଖରିଫ ଋତୁରେ  ଭୟଙ୍କର ମରୁଡ଼ି ଶିକାର ହେଉଛି  । ଏହି ଅଦୂର ପରିଣାମଦର୍ଶିତା ଯୋଗୁଁ ଜିଲାର ୧ଲକ୍ଷ ୩୪ ହଜାର ହେକ୍ଟର ଚାଷଜମି କେବଳ ପ୍ରଭାବିତ ହେଉଛି ତାହା କେବଳ ନୁହେଁ ସୁନାବ୍ୟା ମହାନଦୀ ଆଜି ଏକପ୍ରକାର ଜଳଶୂନ୍ୟ ହୋଇ ନିଜ ଗରିମା,ଐତିହ୍ୟ ଏବଂ ମର୍ଯ୍ୟାଦା ହରାଇବାକୁ ବସିଛି  । ଗଣିଆ,ଖଣ୍ଡପଡ଼ା ଏବଂ ଭାପୁର ବ୍ଲକର ଲକ୍ଷାଧିକ  ଲୋକଙ୍କ ଜୀବନଜୀବିକା ସହିତ ପ୍ରଶାସନ ଖେଳ ଖେଳୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି  ।