ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ : ଆଜି ନେବେ ଶପଥ

ଆମେରିକାରେ ଆଜି ଠାରୁ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେବ। ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ପ୍ରବଳ ଶୀତ ଲହର ଚାଲିଥିବାରୁ ଟ୍ରମ୍ପ ଏକ ଇନ୍ଡୋର ଉତ୍ସବରେ ଶପଥଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ବିଶ୍ୱର ପ୍ରମୁଖ ନେତା ଓ ବ୍ୟବସାୟୀ ଯୋଗଦେବେ। ଭାରତ ପକ୍ଷରୁ ଶପଥ ଗ୍ରହଣ ଉତ୍ସବରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଯୋଗଦେବେ ।
ଟ୍ରମ୍ପ ଶପଥ ନେବା ପୂର୍ବରୁ ତାଙ୍କର ସମ୍ଭାବ୍ୟ ଭାରତ ଗସ୍ତ ସମ୍ପର୍କରେ ପରାମର୍ଶଦାତାଙ୍କ ସହ ଆଲୋଚନା କରିଛନ୍ତି। ଦାୟିତ୍ୱ ନେବା ପରେ ଟ୍ରମ୍ପ୧୦୦ ଦିନ ମଧ୍ୟରେ ଭାରତ ଓ ଚୀନ୍ ଗସ୍ତ କରିବାକୁ ଚାହୁଛନ୍ତି। ଟ୍ରମ୍ପଙ୍କ ଆଗାମୀ ଗସ୍ତ ଚଳିତ ବର୍ଷ ଏପ୍ରିଲ ଶେଷ ସୁଦ୍ଧା ହେବା ସମ୍ଭାବନା ରହିଛି । ଏହା ସହିତ ହ୍ୱାଇଟ୍ ହାଉସ୍ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଖୁବ୍ଶୀଘ୍ର ଆମେରିକା ନିମନ୍ତ୍ରଣ କରାଯାଇପାରେ ବୋଲି ଜଣାପଡ଼ିଛି। ଆମେରିକାର ପ୍ରଧାନ ବିଚାରପତି ଜନ୍ ରବର୍ଟସ ସ୍ଥାନୀୟ ସମୟ ମଧ୍ୟାହ୍ନ ୧୨ଟା ,ଭାରତୀୟ ସମୟ ରାତି ୧୦ଟା ୩୦ରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଭାବେ ଶପଥ ପାଠ କରାଇବେ । ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ନିଳାଦ୍ରୀ ବେଳାଭୂମିରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିଶାଳ ବାଲୁକା କଳା ନିର୍ମାଣ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ । ୪୭ ଫୁଟ ଲମ୍ବର ଏହି ବିଶାଳ ବାଲୁକା ଚିତ୍ରକଳାରେ ଟ୍ରମ୍ପଙ୍କ ଫୋଟ ସହ ରହିଛି ଆମେରିକାର ଜାତୀୟ ପତାକା ଓ ହ୍ବାଇଟ ହାଉସ । ଏହି ଚିତ୍ରକଳାକୁ ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଥିଲା ।