ଜେଲରେ ଥାଇ ସରକାର ଚଳାଇବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ : ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ଏକ ସମ୍ବାଦ ସଂସ୍ଥାକୁ ଦେଇଥିବା ଏକ ସାକ୍ଷାତକାରରେ ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍ ୨୦୨୫ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ଭାବେ ବିଶ୍ୱାସ କରନ୍ତି ଯେ, ଦେଶର କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ଜେଲରୁ ସରକାର ଚଳାଇ ପାରିବେ ନାହିଁ । ସମ୍ବିଧାନ (୧୩୦ ତମ ସଂଶୋଧନ) ବିଲ୍ ୨୦୨୫ ରେ ଏକ ବ୍ୟବସ୍ଥା ରହିଛି ଯେ ଯଦି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଭାରତ ସରକାରଙ୍କ ମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କ ମନ୍ତ୍ରୀ କୌଣସି ଗୁରୁତର ଅଭିଯୋଗରେ ଗିରଫ ହୁଅନ୍ତି ଏବଂ ୩୦ ଦିନ ମଧ୍ୟରେ ଜାମିନ ମଞ୍ଜୁର ନହୁଏ, ତେବେ ସେମାନଙ୍କୁ ସେମାନଙ୍କ ପଦରୁ ଅପସାରଣ କରାଯିବ । ସେ କହିଥିଲେ ଯେ ଯଦି ଏପରି ନହୁଏ, ତେବେ ସେମାନେ ଆଇନଗତ ଭାବେ ଛାଏଁ ଛାଏଁ ନିଜ ପଦରୁ ମୁକ୍ତ ହୋଇଯିବେ । ଶ୍ରୀ ଶାହ କହିଥିଲେ ଯେ ନିର୍ବାଚିତ ସରକାର ଦ୍ୱାରା ଗୃହ ସମ୍ମୁଖରେ କୌଣସି ବିଲ୍ କିମ୍ବା ସାମ୍ବିଧାନିକ ସଂଶୋଧନ ଉପସ୍ଥାପନକୁ ବିରୋଧୀମାନେ ବିରୋଧ କରିବା ଉଚିତ ନୁହେଁ ।
ଶାହ କହିଥିଲେ ଯେ ସେ ନିଜେ ସ୍ପଷ୍ଟ କରିଛନ୍ତି ଯେ, ଏହି ସାମ୍ବିଧାନିକ ସଂଶୋଧନକୁ ଦୁଇ ସଦନର ମିଳିତ ସଂସଦୀୟ କମିଟିକୁ ପଠାଯିବ । ସେ କହିଛନ୍ତି ଯେ ଏହି ବିଲ୍ ପାସ୍ ହେବା ପାଇଁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ଏବଂ ଯେତେବେଳେ ଭୋଟ୍ ହେବ, ସମସ୍ତ ଦଳ ଏହା ଉପରେ ସେମାନଙ୍କର ମତାମତ ଦେଇପାରିବେ । ସେ କହିଥିଲେ ଯେ ଦେଶର ସଂସଦର ଉଭୟ ଗୃହ ବିତର୍କ ଏବଂ ଆଲୋଚନା ପାଇଁ ଉଦ୍ଦିଷ୍ଟ, ଗଣ୍ଡଗୋଳ ଏବଂ ହୋ ହଲ୍ଲା ପାଇଁ ନୁହେଁ । ଗୃହ ମନ୍ତ୍ରୀ କହିଛନ୍ତି ଯେ ଏହି ବିଲକୁ ଉପସ୍ଥାପନ କରିବାକୁ ଅନୁମତି ନଦେବା ଏହି ମାନସିକତା ଗଣତାନ୍ତ୍ରିକ ନୁହେଁ ଏବଂ ବିରୋଧୀଙ୍କୁ ଏହି ଦେଶର ଲୋକଙ୍କୁ ସେମାନଙ୍କର କାର୍ଯ୍ୟକଳାପ ବ୍ୟାଖ୍ୟା କରିବାକୁ ପଡିବ ।
ଏହି ବିଲ୍ କୌଣସି ବିରୋଧୀ ଦଳ ବିରୋଧରେ ନୁହେଁ ଏବଂ ଏହା ଆମ ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଏହାର ପରିସରଭୁକ୍ତ କରିଛି । ଯେକୌଣସି ପରିସ୍ଥିତିରେ ହାଇକୋର୍ଟ ଏବଂ ସର୍ବୋଚ୍ଚÿ ନ୍ୟାୟାଳୟର ଜାମିନ ମଞ୍ଜୁର କରିବାର ଅଧିକାର ରହିଛି ଏବଂ ଯଦି ଜାମିନ ମଞ୍ଜୁର ନହୁଏ, ତେବେ ସେହି ବ୍ୟକ୍ତିଙ୍କୁ ଇସ୍ତଫା ଦେବାକୁ ପଡ଼ିବ । ସେ ପ୍ରଶ୍ନ କରିଛନ୍ତି ଯେ କୌଣସି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ କିମ୍ବା ମନ୍ତ୍ରୀ ଜେଲରେ ଥିବାବେଳେ ସରକାର ଚଳାଇବା ଉଚିତ୍ କି? ଏହା କ’ଣ ଦେଶର ଗଣତନ୍ତ୍ର ପାଇଁ ଶୁଭଙ୍କର ? ସେ କହିଛନ୍ତି ଯେ ଯଦି ୩୦ ଦିନ ପରେ ଜାମିନ ମଞ୍ଜୁର ହୁଏ, ତେବେ ସେମାନେ ପୁନର୍ବାର ଶପଥ ନେଇପାରିବେ । ସେ କହିଛନ୍ତି ଯେ ମୁଖ୍ୟ ବିରୋଧୀ ଦଳର ତକôାଳୀନ ପ୍ରଧାନମନ୍ତ୍ରୀ ୩୯ ତମ ସାମ୍ବିଧାନିକ ସଂଶୋଧନ ଆଣିଥିଲେ ଯେଉଁଥିରେ ସେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ସହ ମକଦ୍ଦମା ପରିସରରୁ ନିଜକୁ ଦୂରେଇ ରଖିଥିଲେ । ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏକ ସାମ୍ବିଧାନିକ ସଂଶୋଧନ ଆଣିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଯଦି ପ୍ରଧାନମନ୍ତ୍ରୀଙ୍କୁ ଜେଲ୍ ପଠାଯାଏ, ତେବେ ତାଙ୍କୁ ମଧ୍ୟ ଇସ୍ତଫା ଦେବାକୁ ପଡ଼ିବ । ସେ କହିଛନ୍ତି ଯେ ଏହି ଆଇନ ଅଦାଲତରେ କୌଣସି ବିଳମ୍ବ ହେବ ନାହିଁ କାରଣ କୋର୍ଟଙ୍କୁ ତୁରନ୍ତ ହସ୍ତକ୍ଷେପ କରିବାକୁ ପଡିବ । ଏହାଦ୍ୱାରା ତ୍ୱରିତ ନିଷ୍ପତ୍ତି ହେବ, କାରଣ ଆମ ଅଦାଲତ ମଧ୍ୟ ଆଇନର ଗମ୍ଭୀରତାକୁ ବୁଝନ୍ତି ।