ଦିଲ୍ଲୀରେ ପ୍ରଦୂଷଣ ରୋକିବା ପାଇଁ ଜାରି ହେଲା କଟକଣା : ନିୟମ ନ ମାନିଲେ ୫ ହଜାର ଜୋରିମନା
ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ବଡିବାରେ ଲାଗିଛି ବାୟୁ ପ୍ରଦୂଷଣର ମାତ୍ରା । ବାୟୁ ଗୁଣବତ୍ତା ଦିନକୁ ଦିନ ମିଗିଡିବାରେ ଲାଗିଛି । ବାୟୁର ଗୁଣବତ୍ତା ସୁଧାରିବା ପାଇଁ ଦିଲ୍ଲୀ ସରକାର ଅନେକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶେଷ କରି ଖୋଲା ସ୍ଥାନରେ ନିଆଁ ଜାଳିବା, ଆବର୍ଜନା ପୋଡ଼ିବା ଏବଂ ବ୍ୟବସାୟିକ ଅନୁଷ୍ଠାନରେ କୋଇଲା ବ୍ୟବହାର ଉପରେ କଡ଼ା କଟକଣା ଲଗାଯାଇଛି । ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବର୍ତ୍ତମାନ ଖୋଲା ସ୍ଥାନରେ ଅଳିଆ ଆବର୍ଜନା ପୋଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଜିଲ୍ଲା ପ୍ରଶାସନ ଏବଂ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ।
ମୁଖ୍ୟମନ୍ତ୍ରୀ ନାଗରିକମାନଙ୍କୁ ନିବେଦନ କରିଛନ୍ତି ଯେ, ସମସ୍ତେ ମିଳିମିଶି ଏହି ନିୟମ ପାଳନ କରନ୍ତୁ ଏବଂ ପ୍ରଦୂଷଣ ହ୍ରାସ କରିବାରେ ପ୍ରଶାସନକୁ ସାହାଯ୍ୟ କରନ୍ତୁ । କେବଳ ଆବର୍ଜନା ନୁହେଁ, ବାୟୁ ଗୁଣବତ୍ତା ସୁଧାରିବା ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଦିଲ୍ଲୀର ସମସ୍ତ ହୋଟେଲ, ଢାବା ଏବଂ ଖୋଲା ଖାଦ୍ୟ ଷ୍ଟଲ୍ରେ ତନ୍ଦୁର ପାଇଁ କୋଇଲା କିମ୍ବା କାଠ ଜାଳିବାକୁ ବାରଣ କରାଯାଇଛି । ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଏହି ନିୟମକୁ ତୁରନ୍ତ ଏବଂ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାହାଫଳରେ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରିବ ।