e-KYC ଅବଧି ବୃଦ୍ଧି
ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆଧାରଯୁକ୍ତ e-KYC ଅବଧି ବୃଦ୍ଧି କଲେ ସରକାର । ଦୁଇ ମାସ ଅବଧି ବୃଦ୍ଧି କରିଛନ୍ତି ସରକାର । ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଯେଉଁ ହିତାଧିକାରୀମାନେ ଏପର୍ଯ୍ୟନ୍ତ e-KYC କରାଇ ନାହାନ୍ତି, ସେମାନେ ଏହି ସମୟ ଭିତରେ ନିକଟସ୍ଥ ରାସନ କାର୍ଡ ପରିଚାଳନା କେନ୍ଦ୍ରରେ ଆଧାରଯୁକ୍ତ e-KYC କରାଇବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟରେ ପୂର୍ବଭଳି ରାସନ ଚାଉଳ ଯୋଗାଣ ଜାରି ରହିବ। e-KYC କରି ନଥିବା ହିତାଧିକାରୀଙ୍କ ଚାଉଳ ଯୋଗାଣ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ। ଅର୍ଥାତ୍ ରାସନକାର୍ଡଧାରୀମାନେ ପୂର୍ବଭଳି ନିଜ କୋଟାର ଚାଉଳ ଉଠାଇ ପାରିବେ। e-KYC କରି ନ ଥିବା ୧୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଚାଉଳ ଯୋଗାଣ ନେଇ ମଧ୍ୟ କୌଣସି ଅପଡେଟ ଆସିନାହିଁ।
ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅକ୍ଟୋବର ମାସରେ ଯେଉଁମାନେ ଇ-କେୱାଇସି କରି ନାହାନ୍ତି ସେମାନଙ୍କୁ ଆସନ୍ତା ମାସରୁ ଆଉ ଚାଉଳ ମିଳିବନି ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ଅବଧି ବୃଦ୍ଧି ପରେ ହିତାଧିକାରୀମାନଙ୍କୁ ସମୟ ମିଳିଛି ।