ମୋହନ ସରକାରଙ୍କୁ ମହାନଦୀ ଟ୍ରିବୁ୍ୟନାଲଙ୍କ ପ୍ରଶଂସା

ମୋହନ ସରକାରଙ୍କୁ ମହାନଦୀ ଟ୍ରିବୁ୍ୟନାଲଙ୍କ ପ୍ରଶଂସା

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଓଡିଶା ପକ୍ଷରୁ ପକ୍ଷ ରଖିଛନ୍ତି ଆଡ଼ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ  । କେନ୍ଦ୍ର ସରକାରଙ୍କ ସହଯୋଗରେ ମହାନଦୀ ଜଳବିବାଦ ଆପୋଷ ସମାଧାନ ପାଇଁ ଏବେ ଓଡିଶା ଓ ଛତିଶଗଡ ସରକାରଙ୍କ ଦ୍ୱାରା ଅନେକ ସକରାତ୍ମକ ପଦକ୍ଷେପ ନିଆଯିବା ସହ ଆଲୋଚନାର ଅଗ୍ରଗତି ନେଇ ସେ ଟ୍ରିବୁ୍ୟନାଲକୁ ସୂଚନା ଦେଇଛନ୍ତି  । 
ଶନିବାର ମହାନଦୀ ଜଳ ବିବାଦ ଟ୍ରିବୁ୍ୟନାଲରେ ଶୁଣାଣି ସମୟରେ ଓଡିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିବା ସହ ଏହା ଏକ ରାଜନୀତିକ ବିବାଦ ହୋଇଥିବାରୁ ଏହାର ସମାଧାନ ମଧ୍ୟ ରାଜନୀତିକସ୍ତରରେ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ  । ଯାହାକୁ ଟ୍ରିବୁ୍ୟନାଲ ପ୍ରଶଂସା କରିଥିଲେ  । 
ସୂଚନା ଅନୁସାରେ ମହାନଦୀ ଜଳ ବିବାଦ ଟ୍ରିବୁ୍ୟନାଲରେ ଆଜି ଶୁଣାଣିବେଳେ ଏଜି ଶ୍ରୀ ଆଚାର୍ଯ୍ୟ ଅଗଷ୍ଟ ୨ ପରଠୁ ଏପର୍ଯ୍ୟନ୍ତ ବିବାଦର ସମାଧାନ ନେଇ ଓଡ଼ିଶା ଓ ଛତିଶଗଡ଼ ନେଇଥିବା ପଦକ୍ଷେପ ସମ୍ପର୍କରେ ଟ୍ରିବୁ୍ୟନାଲଙ୍କୁ ଅବଗତ କରିଛନ୍ତି  । ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତିଯେ, ଓଡିଶା ସରକାରଙ୍କ ଦ୍ୱାରା ବିବାଦର ସମାଧାନ ପାଇଁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ତାହା ଟ୍ରିବୁ୍ୟନାଲଙ୍କୁ ଅବଗତ କରାଇଛି  । ଦୁଇ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆପୋଷ ଆଲୋଚନା ମାଧ୍ୟମରେ ଏହାର ସମାଧାନ ପାଇଁ ଓଡିଶା ପ୍ରୟାସ କରୁଛି  । ଗତ ସାତ ବର୍ଷ ଧରି ଏହି ମାମଲାରେ ବିଶେଷ ଅଗ୍ରଗତି ହୋଇନଥିବା ବେଳେ, ଟ୍ରିବୁ୍ୟନାଲଙ୍କ ସକରାତ୍ମକ ଆଭିମୁଖ୍ୟ ଓ କେନ୍ଦ୍ର ସରକାରଙ୍କ ସକ୍ରିୟ ହସ୍ତକ୍ଷେପ ତଥା ଦୁଇ ରାଜ୍ୟର ସହଯୋଗୀ ମନୋଭାବ ଯୋଗୁ ଏହି ବିବାଦର ସମାଧାନର ଆଶା ଉଜ୍ୱଳ ହୋଇଛି  । ଟ୍ରିବୁ୍ୟନାଲ ଅଧ୍ୟକ୍ଷ ଜଷ୍ଟିସ ବିଏମ୍ ତ୍ରିବେଦୀ ଓଡିଶାର ଏହି ସକାରାତ୍ମକ ପଦକ୍ଷେପକୁ ପ୍ରଶଂସା କରିବା ସହ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୧ ତାରିଖକୁ ଧାର୍ଯ୍ୟ କରିଛନ୍ତି  । 
ଏଜି ଶ୍ରୀ ଆଚାର୍ଯ୍ୟ ଟ୍ରିବୁ୍ୟନାଲକୁ ଅବଗତ କରାଇଥିଲେ ଯେ, ମହାନଦୀ ଜଳ ବିବାଦ ହେଉଛି ଏକ ରାଜନୈତିକ ପ୍ରସଙ୍ଗ  । ଏହାର ସମାଧାନ କେବଳ ଦୁଇ ରାଜ୍ୟର ନେତୃତ୍ୱଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ଆଲୋଚନା ଓ ପାରସ୍ପରିକ ବୁଝାମଣା ମାଧ୍ୟମରେ ହିଁ ସମ୍ଭବ  । ରାଜନୈତିକ ଇଚ୍ଛାଶକ୍ତି ବିନା ଆଇନଗତ କିମ୍ବା ଟେକ୍ନିକାଲ ଉଦ୍ୟମ ସଫଳ ହେବ ନାହିଁ  । ପ୍ରାୟ ୪୦ଟି ମୁଖ୍ୟ ବିବାଦୀୟ ପ୍ରସଙ୍ଗ ଏବେ ମଧ୍ୟ ଅମୀମାଂସିତ ରହିଛି, ଯାହାକୁ ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍ ନିୟମିତ ବୈଠକ ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି  । 
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କ ହସ୍ତକ୍ଷେପ ପରେ ମହାନଦୀ ଜଳବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କ ମଧ୍ୟରେ ଦୁଇଥର ଆଲୋଚନା ହୋଇସାରିଛି  । ଗତ ଅଗଷ୍ଟ ୩୦ତାରିଖରେ ନୂଆଦିଲ୍ଲୀରେ ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ଜଳସମ୍ପଦ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି  । ସେପ୍ଟେମ୍ବର ୫ରେ ମଧ୍ୟ ଦୁଇ ରାଜ୍ୟର ଜଳସମ୍ପଦ ବିଭାଗର ସର୍ବୋଚ୍ଚ୍ ଯନ୍ତ୍ରୀ ଓ ଟେକନିକାଲ ଟିମଙ୍କ ମଧ୍ୟରେ ଆଲୋଚନା ହୋଇଛି  । ସେହିପରି ଆସନ୍ତା ଅକ୍ଟୋବରରେ ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ଜଳସମ୍ପଦ ସଚିବଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ ହେବାର ସମ୍ଭାବନା ରହିଛି  । ସେହିପରି ଡିସେମ୍ବରରେ ମଧ୍ୟ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକର ସମ୍ଭାବନା ରହିଛି  । କେନ୍ଦ୍ର ସରକାର, କେନ୍ଦ୍ରୀୟ ଜଳଆୟୋଗଙ୍କ ହସ୍ତକ୍ଷେପ ଓ ଦୁଇ ରାଜ୍ୟର ନେତୃତ୍ୱଙ୍କ ସହମତିରେ ଏହି ବିବାଦର ସମାଧାନ ସମ୍ଭବପର ହୋଇପାରିବ ବୋଲି ଶ୍ରୀ ଆଚାର୍ଯ୍ୟ ମତ ବ୍ୟକ୍ତ କରିଛନ୍ତି  ।