ପଟି ଦିଅଁ ପୂଜା ଆରମ୍ଭ : ଅଲାରନାଥ ପୀଠରେ ଭକ୍ତଙ୍କ ସମାଗମ

 ପୁରୀ: ଦେବସ୍ନାନ ପୂର୍ଣ୍ଣମୀ ପରେ ଅଣସରରେ ଅବସ୍ଥାନ କରୁଛନ୍ତି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ଆଷାଢ କୃଷ୍ଣ ପ୍ରତିପଦା ଠାରୁ ଶ୍ରୀମନ୍ଦିରରେ ପଟିଦିଅଁଙ୍କ ପୂଜା ଆରମ୍ଭ ହୋଇଛି । ପ୍ରଭୁ ବଳଭଦ୍ର ଅନନ୍ତ ବାସୁଦେବ, ଶ୍ରୀଜଗନ୍ନାଥ ଭଗବତ ବାସୁଦେବ ବା ଅନନ୍ତ ନାରାୟଣ ଓ ଦେବୀ ସୁଭଦ୍ରା ଭୁବନେଶ୍ୱରୀ ରୂପେ ପୂଜା ପାଉଛନ୍ତି । ପଟିରେ ଶ୍ରୀ ସୁଦର୍ଶନଙ୍କୁ ପତିତପାବନ ରୂପେ ଚିତ୍ରିତ କରାଯାଇଛି । ଅଣସର ତାଟିରେ ପୂଜା ପାଉଥିବା ପଟିଦିଅଁଙ୍କ ଆଗରେ ପଡ଼ିଥିବା ଖଟରେ ଦଶାବତାର ଠାକୁର ଓ ନୀଳମାଧବ ପୂଜା ପାଉଛନ୍ତି । ପରମ୍ପରା ଅନୁଯାୟୀ ଆଷାଢ କୃଷ୍ଣ ପ୍ରତିପଦା ପ୍ରତୁ୍ୟଷରେ ଚିତ୍ରକାର ସେବକମାନଙ୍କ ଦ୍ୱାରା ପଟି ଦିଅଁମାନଙ୍କୁ ଘଣ୍ଟ ଛତା କାହାଳୀ ସହ ପଟୁଆରରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା । କଳହାଟ ଦ୍ୱାରରେ ପଟି ଦିଅଁମାନଙ୍କୁ ବିଧି ଅନୁଯାୟୀ ବିଜେ କରାଯାଇଥିଲା । ଅଣସର ସମୟରେ ଏହି ପଟିଦିଅଁଙ୍କ ନିକଟରେ ଅନ୍ନମହାପ୍ରସାଦ ଭୋଗ କରାଯାଇଥାଏ । ସ୍ନାନପୂର୍ଣ୍ଣମୀ ପର ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଶ୍ରୀ ବିଗ୍ରହମାନେ ଅଣସରରେ ରହୁଥିବାରୁୁ ଭକ୍ତମାନେ ଦାରୁ ଦେବତାମାନଙ୍କର ଦର୍ଶନ ପାଇନାହାନ୍ତି । ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରି ସ୍ଥିତ ଅଲାରନାଥ ଦେବଙ୍କୁ ଦର୍ଶନ କରିଥାନ୍ତି । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ଭକ୍ତମାନଙ୍କ ମଧ୍ୟରେ ଅଟଳ ବିଶ୍ୱାସ ରହିଛି । ଆଷାଢ କୃଷ୍ଣ ପ୍ରତିପଦାରୁ ଅଲାରନାଥ ପୀଠରେ ଆରମ୍ଭ ହୋଇଛି ଅଣସର ଯାତ୍ରା । ଅଲାରନାଥଙ୍କ ଦର୍ଶନ ସହ କ୍ଷୀରୀ ଭୋଗ ପାଇବା ପାଇଁ ବ୍ରହ୍ମଗିରିକୁୁ ଭକ୍ତମାନଙ୍କ ସ୍ରୋତ ଛୁଟିଛି । ଅଲାରନାଥଙ୍କ ମନ୍ଦିର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ହୋଇଉଠିଛି ଉସôବମୁଖର । ସ୍ନାନଯାତ୍ରା ଉପଲକ୍ଷେ ଅଲାରନାଥ ଦେବଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସଂପନ୍ନ କରାଯାଉଛି ।