ବିଧାନସଭା: ରାଜ୍ୟରେ ଦୁଇଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ଜିଲ୍ଲାରେ ସୁନା ଖଣିର ସନ୍ଧାନ । ଦେବଗଡ ଓ କେନ୍ଦୁଝର ଜିଲ୍ଲାରେ ସୁନାଖଣି ଠାବ । ଦେବଗଡ ଜିଲ୍ଲାର ଆଡାସ-ରମାପଲ୍ଲାରେ ମିଳିଲା ସୁନା ଖଣିର ସନ୍ଧାନ । ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର ଅଞ୍ଚଳରୁ ମଳିଛି ସୁନା ଖଣିର ସନ୍ଧାନ । ଏନେଇ ବିଧାନସଭାରେ ଉତ୍ତର ରଖି କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ବିଧାନସଭାରେ ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ର ପ୍ରଶ୍ନ କରିଥିଲେ, ରାଜ୍ୟରେ ସନ୍ଧାନ ମିଳିଥିବା ନୂଆ ସୁନାଖଣିର ବୈଷୟିକ ଦିଗ ପ୍ରତି ଧ୍ୟାନ ଦିଆଗଲାଣି କି । ତାହା କେଉଁଠାରେ କି ପ୍ରକାର, ଏହାର ସବିଶେଷ ତଥ୍ୟ ସରକାର ଉପସ୍ଥାପନ କରିବେ କି?
ଏହାର ଉତ୍ତରରେ ଖଣି ମନ୍ତ୍ରୀ କହିଥିଲେ, ଦେବଗଡ ଜିଲ୍ଲାର ଆଡାସ ରାମପଲ୍ଲୀ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଦ୍ବାରା ଜି-୨ ସ୍ତରରେ ଅନୁସନ୍ଧାନ କାର୍ୟ୍ୟ ସରିଛି କେଉଁଝର ଜିଲ୍ଲାର ଗୋପୁର– ଗଜିପୁର ଅଞ୍ଚଳରେ ଜି-୩ ସ୍ତରର ଅନୁସନ୍ଧାନରେ ସନ୍ତୋଷଜନକ ଫଳାଫଳ ବାହାରିବା ଯୋଗୁଁ ସେ ଅଞ୍ଚଳରେ ଭାରତୀୟ ଭୂ-ବୈଜ୍ଞାନିକ ସଂସ୍ଥା ଓ ରାଜ୍ୟ ଖଣି ଓ ଭୂତତ୍ତ୍ଵ ନିର୍ଦ୍ଦେଶାଳୟର ସହଭାଗିତାରେ ଜି-୨ ସ୍ତରରେ ଅନୁସନ୍ଧାନ କାର୍ୟ୍ୟ ଚାଲୁ ରହିଛି ।ଅନୁସନ୍ଧାନକାରୀ ସଂସ୍ଥାମାନେ ଚୂଡାନ୍ତ ରିପୋର୍ଟ ପ୍ରଦାନ କଲା ପରେ ବୈଷୟିକ କମିଟିର ସୁପାରିସ କ୍ରମେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।