ରଘୁନାଥ ପୁଣି ବିଜେଡିକୁ ଫେରିବା ନେଇ ଚର୍ଚ୍ଚା

ରଘୁନାଥ ପୁଣି ବିଜେଡିକୁ ଫେରିବା ନେଇ ଚର୍ଚ୍ଚା

ବାଲେଶ୍ୱର:ବାଲେଶ୍ୱର ଜିଲା ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥିନୀ ସୁବାସିନୀ ଜେନାଙ୍କ ଲଙ୍ଗଳେଶ୍ୱରସ୍ଥିତ ବାସଭବନରେ ଗୁରୁବାର ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ତାଙ୍କ ସହଧର୍ମିଣୀ ପ୍ରୀତିଲତା ମହାନ୍ତିଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବତନ ଏମ୍‌ପି ରବୀନ୍ଦ୍ର ଜେନାଙ୍କ ସହ ରଘୁନାଥ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ।

ରଘୁନାଥ ବସ୍ତା ନିର୍ବାଚନମଣ୍ଡଳୀରେ ବିଜେଡିରୁ ୫ଥର ବିଧାୟକ ଭାବେ ବିଜୟୀ ହୋଇ ମନ୍ତ୍ରୀ ହୋଇଥିଲେ। ୨୦୧୩ରେ ପାରିବାରିକ ବିବାଦ କାରଣରୁ ଦଳରୁ ବହିଷ୍କୃତ ହୋଇ ୨୦୧୯ରେ ଭାଜପାରେ ସାମିଲ ହୋଇ ନିର୍ବାଚନ ଲଢିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ତାଙ୍କୁ ବସ୍ତାରୁ ପ୍ରାର୍ଥୀ କରିଥିଲା। ରଘୁନାଥ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ। ସେବେଠାରୁ ତାଙ୍କୁ ଭାଜପାର କୌଣସି କାର୍ୟ୍ୟକ୍ରମରେ ଦେଖିବାକୁ ମିଳି ନ ଥିଲା। ୨୦୨୪ରେ ଟିକେଟକୁ ନେଇ ଅଙ୍କକଷା ଚାଲିଥିବା ବେଳେ ରଘୁନାଥ ଭାଜପାରୁ ଇସ୍ତଫା ଦେଇଥିଲେ। ସେହି ସମୟରେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା। ଚଳିତ ନିର୍ବାଚନରେ ତାଙ୍କୁ କୌଣସି କାର୍ୟ୍ୟକ୍ରମରେ ବା ରାଜନୀତିରେ ସକ୍ରିୟ ଥିବା ଦେଖିବାକୁ ମିଳୁ ନ ଥିଲା। ହଠାତ୍‌ ବସ୍ତା ବିଧାୟିକା ପ୍ରାର୍ଥିନୀ ସୁବାସିନୀଙ୍କ ବାସଭବନରେ ପହଞ୍ଚିଥିବାରୁ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲେଶ୍ୱର ଗସ୍ତ ଥିବାରୁ ବାଲେଶ୍ୱର କିମ୍ବା ରାଜ୍ୟ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେବା ନେଇ ବିଭିନ୍ନ ରାଜନୈତିକ ମହଲରେ ଆଲୋଚନା ହେଉଛି।
ଏ ସମ୍ପର୍କରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି କହିଛନ୍ତି, ସୁବାସିନୀ ଜେନାଙ୍କ ସହିତ ତାଙ୍କର ପାରିବାରିକ ବନ୍ଧୁତା ରହିଛି। ସେଥିପାଇଁ ଆମ୍ଭେ ଉଭୟ ଦମ୍ପତି ତାଙ୍କୁ ଆଶୀର୍ବାଦ କରିବା ପାଇଁ ଆସିଥିଲୁ।