ବଦଳୁଛି ବ୍ରହ୍ମପୁର ସମୀକରଣ
ଭୁବନେଶ୍ୱର : ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ରାଜନୀତି ଦିନକୁ ଦିନ କଡ଼ ଲେଉଟାଇବାରେ ଲାଗିଛି । ୨୦୧୯ ଭଳି ଏଥର ବି ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ । ତେବେ ସବୁଠାରୁ ବଡ଼ କଥା ହେଉଛି, ଦୁଇ ପ୍ରାର୍ଥୀଙ୍କ ପୂର୍ବ ଚିହ୍ନ ବଦଳିଯାଇଛି । ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏକଦା ଥିଲେ ନବୀନ ପଟ୍ଟନାୟକଙ୍କର ଘନିଷ୍ଠ ସହଯୋଗୀ । ସେପଟେ ବିଜେଡ଼ି ପ୍ରାର୍ଥୀ ଭ୍ରୁଗୁ ବକ୍ସିପାତ୍ର ଗତ ନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ଏଥର ଭ୍ରୁଗୁ ଶଙ୍ଖ ପାଇଁ ଭୋଟ ମାଗୁଥିବାବେଳେ ପ୍ରଦୀପ ପଦ୍ମଫୁଲ ପାଇଁ ଭୋଟ ମାଗୁଛନ୍ତି ।
ଭ୍ରୁଗୁଙ୍କ ପାଇଁ ଏବେ ରାଜନୀତିକ ସମୀକରଣ ସୁହାଇବାରେ ଲାଗିଛି । ସେହିପରି କେତେକ ସ୍ଥାନରେ ପ୍ରଦୀପଙ୍କ ପାଇଁ ବି ଅନୁକୂଳ ସ୍ଥିତି ସୃଷ୍ଟିହୋଇଛି । ଛତ୍ରପୁରରେ ରାମଚନ୍ଦ୍ର ପଣ୍ଡା ବିଜେଡ଼ି ଛାଡ଼ି ପୁଣି ଘରକୁ ବାହୁଡ଼ିଛନ୍ତି । ସେପଟେ ବିଜେଡ଼ି ବିଧାୟକ ପ୍ରାର୍ଥୀ ସୁବାସ ବେହେରାଙ୍କୁ ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନଙ୍କ ଗୋଷ୍ଠୀ ବିରୋଧ କରୁଛନ୍ତି । ସେହିପରି ବିଜେପି କୃଷ୍ଣଚନ୍ଦ୍ର ନାଏକଙ୍କୁ ପ୍ରାର୍ଥୀ କରିଥିବାରୁୁ ସେ ବାମଦଳ ଭୋଟ ବି ଭିଡ଼ିବେ । ଫଳରେ ଛତ୍ରପୁରରେ ପ୍ରଦୀପ ଭଲ ଭୋଟ ଭିଡ଼ିବାର ସମ୍ଭାବନା ରହିଛି । ସେହିପରି ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀଙ୍କ ସଂଗଠନ ଥିବାବେଳେ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନାଙ୍କର ବି ସ୍ଥିତି ଭଲ ରହିଛି । ପ୍ରଦୀପ ଓ ବିଭୂତିଙ୍କ ଭୋଟ ମିଶିଯିବାରୁ ସେଠାରୁ ସେ ଭଲ ପ୍ରଦର୍ଶନ କରିବେବୋଲି ଆଶା କରାଯାଉଛି । ଚିକିଟିରେ ବି ବିଜେଡ଼ି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି । ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କର ଭ୍ରୁଗୁଙ୍କ ସହ ଭଲ ସମ୍ପର୍କ ଥିବାରୁ ତାହା ଉପରେ ବି ନଜର ରହିଛି । ଦିଗପହଣ୍ଡିରେ କିନ୍ତୁ ବିଜେଡ଼ି ଧିରେଧିରେ ମଜବୁତ ହେବାରେ ଲାଗିଛି । ସେଠାରେ ବିଜେପି ଟିକେଟ ପାଇଛନ୍ତି ସିଦ୍ଧାନ୍ତ ମହାପାତ୍ର । ଯେଉଁଥିପାଇଁ ବିଜେଡ଼ି ଛାଡ଼ି ବିଜେପି ଯାଇଥିବା ବିପିନ ପ୍ରଧାନ ନୀରବରେ ବସିଥିବାବେଳେ ତାଙ୍କର ଘରବାହୁଡ଼ା ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯଦି ସେଭଳି ହୁଏ ତେବେ ଭ୍ରୁଗୁ ଏଠାରୁ ଭଲ ଲିଡ଼୍? ନେଇପାରିବେ ।
ସୂଚନାଯୋଗ୍ୟଯେ, ଗତ ନିର୍ବାଚନରେ ବିଜେପି ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡିରୁ ଅଧିକ ଭୋଟ ପାଇଥିଲା । କିନ୍ତୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ଓ ଚିକିଟିରୁ ବିଜେଡ଼ି ଲିଡ଼ ନେବାରେ ସଫଳ ହୋଇଥିଲା । ଗଞ୍ଜାମ ବିଜେଡ଼ିର ଗଡ଼ ହୋଇଥିବାବେଳେ ପ୍ରଦୀପଙ୍କୁ ହରାଇବା ପାଇଁ ବିଜେଡ଼ି ସବୁ କଳ, ବଳ, କୌଶଳ ଲଗାଇ ଦେଇଛି । ଯାହାକି ଭ୍ରୁଗୁଙ୍କ ଆତ୍ମବିଶ୍ୱାସ ବଢ଼ାଇ ଦେଇଛି ।