ଚବିଶରେ କେତେ ସଫଳ ହେବ ଦଳ

ଚବିଶରେ କେତେ ସଫଳ ହେବ ଦଳ

ଫେବୃଆରୀ ମାସରେ କଂଗ୍ରେସର ଯେଉଁ ଯୋଶ ଥିଲା ଏବେ ସେଇ ଯୋଶ ଭାଙ୍ଗିଯାଇଛି  । ସବୁ କ୍ଷେତ୍ରରେ ଦଳ ଶିଥିଳ ହୋଇଯାଇଛି  । ଟିକେଟ ଘୋଷଣା ହେଉକି ନିର୍ବାଚନୀ ରଣନୀତି ସବୁଥିରେ ପଛରେ ପଡ଼ିଗଲା ଭଳି ମନେହେଉଛି  । ବିଜେଡ଼ି ୯୯ ବିଧାନସଭା ଓ ୨୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି  । ବିଜେପି ୨୧ ଲୋକସଭା ଓ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି  । ହେଲେ କଂଗ୍ରେସ ମାତ୍ର ୪୭ ବିଧାନସଭା ଓ ୮ ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି  । ସେପଟେ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳର ସ୍ଥିତି ସେତିକି ଦୋହଲିବାରେ ଲାଗିଛି  ।
୨୦୦୯ରେ କଂଗ୍ରେସ ରାଜ୍ୟରେ ୨୯% ଭୋଟ ପାଇଥିଲା  । ଦଳ ୨୭ ଆସନରେ ଜିତିଥିବାବେଳେ ୨୬ ଆସନରେ ଅମାନତ ଉଡ଼ି ଯାଇଥିଲା  । ୨୦୧୪ରେ କଂଗ୍ରେସ ୧୬ଟି ଆସନ ପାଇଥିବାବେଳେ ୪୦ଟି ଆସନରେ ଅମାନତ ନଥିଲା  । ଦଳର ଭୋଟ ବି ପ୍ରାୟ ୨୬%କୁ ଖସି ଆସିଥିଲା  । ୨୦୧୯ରେ କଂଗ୍ରେସ ୯ ଆସନରେ ବାଜି ମାରିଥିବାବେଳେ ୭୬ ଆସନରେ ଅମାନତ ରହିନଥିଲା  । ସେପଟେ ବିଜେଡ଼ି ଓ ବିଜେପିର ଲଢ଼େଇ ଭିତରେ ଦଳର ଭୋଟ ୧୭%କୁ ଖସିଆସିଥିଲା  । ଦଳର ଏଭଳି ସ୍ଥିତି ଜାରି ରହିଥିବାବେଳେ ପଂଚାୟତ ଓ ପୌର ନିର୍ବାଚନରେ ବି ଦଳର ପ୍ରଦର୍ଶନ ଦୟନୀୟ ରହିଛି  ।
୨୦୨୪ ପାଇଁ ବିଜେଡ଼ି ଓ ବିଜେପି ଆକ୍ରମଣାତ୍ମକ ରଣନୀତି କରିଛି  । ବିଜେପି ମିଶନ ୪୦୦ ପ୍ଳସ ପାଇଁ ସବୁ କଳବଳ ଲଗାଇ ଦେଇଥିବାବେଳେ ଷଷ୍ଠ ଥର କ୍ଷମତାକୁ ଆସିବା ପାଇଁ ବିଜେଡ଼ି ବି କୌଣସି ସୁଯୋଗ ହାତଛଡ଼ା କରୁନାହିଁ  । ଗୋଟିଏ ପଟେ ଦଳର ଯୋଶ ପୂର୍ବାପେକ୍ଷା କମି ଯାଇଥିବାବେଳେ ଅପରପକ୍ଷରେ ଟାଣୁଆ କଂଗ୍ରେସ ନେତାମାନେ  ଦଳକୁ ଝଟକା ପରେ ଝଟକା ଦେଇ ଚାଲିଛନ୍ତି  । ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ଅଂଶୁମାନ ମହାନ୍ତି, ଗଣେଶ୍ୱର ବେହେରା, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବାପି ସର୍ଖେଲଙ୍କ ଭଳି ଗଦାଗଦା ନେତା ଦଳକୁ ବାଏବାଏ କରିସାରିଛନ୍ତି  । ଏହିସବୁ ନେତାମାନଙ୍କର ବିଜୟ ସମ୍ଭାବନା ମଧ୍ୟ ଥିଲା  । ସେହିପରି ସୁର ରାଉତରାୟଙ୍କ ଭଳି ଟାଣୁଆ ନେତା ବି ଏବେ ବିଜେଡ଼ି ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି  ।