ନବୀନଙ୍କୁ ଏମିତି କହିଲେ ଧର୍ମେନ୍ଦ୍ର

Naveen Patanaik, Odisha

ନବୀନଙ୍କୁ ଏମିତି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଯେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ଧରି ଶାସନରେ ରହିବା ପରେ ମଧ୍ୟ ନିଜ ଜନ୍ମମାଟିରେ ପିଇବା ପାଣିର ବ୍ୟବସ୍ଥା କରିପାରିନାହାନ୍ତି, ସେ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ କଥାକୁ ମିଛ କହି ଏକ ଭ୍ରମ ତିଆରି କରିବା ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ଦିନିକିଆ ଗଞ୍ଜାମ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଏ ପ୍ରସଙ୍ଗରେ କହିଛନ୍ତିଯେ, ଗଞ୍ଜାମ ଜିଲ୍ଲାରେ ପୂର୍ବ ସରକାରଙ୍କ ୭-୮ଟି ମେଗା ପାଇପ ୱାଟର ଯୋଜନା ଆରମ୍ଭ ହୋଇଛି  । ଗୋଟିଏ ଛାଡି ଦେଲେ ଅନ୍ୟ ୬ଟି ପ୍ରକଳ୍ପର କାମ ଅଧାପନ୍ତରା ଅଛି  । ବୌଦ୍ଧ, ଫୁଲବାଣୀ ଜିଲ୍ଲାରୁ ଗଞ୍ଜାମ ଗ୍ରାମାଞ୍ଚଳକୁ ପାଣି  ଆସିନାହିଁ କାହିଁକି ? ପାଣି ପାଇପ ସବୁ ଖୋଲାରେ ପଡିଛି  । ପାଣି ଆସିବାର ଠିକଣା ନାହିଁ  । ନଳ ଅଛି କିନ୍ତୁ ଜଳ ନାହିଁ  । ଏହାକୁ କଣ କହିବା ? ବିଜେପି ସରକାରର ସୁଭଦ୍ରା ଯୋଜନା ଏବଂ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ଉପରେ ସେ ଅବଗତ ନାହାନ୍ତି କି ?    

ଗଞ୍ଜାମ ଜିଲ୍ଲାରେ ବିଜେପି ସରକାରର ସୁଭଦ୍ରା ଯୋଜନାରେ ପ୍ରାୟ ୫୦୦ରୁ ଅଧିକ କୋଟି ଟଙ୍କା ମା’ ଭଉଣୀ ମାନଙ୍କ ଖାତାରେ ପହଞ୍ଚିସାରିଛି  । ଆଗକୁ ଏହି ସଂଖ୍ୟା ପ୍ରାୟ ହଜାରେ କୋଟି ଟଙ୍କାରେ ପହଞ୍ଚିବ  । ଗଞ୍ଜାମରେ ପ୍ରାୟ ୧୦ ଲକ୍ଷ ଲାଭାର୍ଥୀ ସୁଭଦ୍ରା ଯୋଜନାରେ ଅଛନ୍ତି  । ସେହିପରି ଏ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୪ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଛି  । ଓଡ଼ିଶାର ଚାଷୀମାନଙ୍କର ହିତ ପାଇଁ କ୍ୱିଣ୍ଟାଲ ପିଛା କେନ୍ଦ୍ର ସରକାରଙ୍କ ଧାନର ଏମଏସପି ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତ  । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଆହୁରି ୪୦୦ରୁ ୫୦୦ କୋଟି ଟଙ୍କା ମିଳିବ  ।  ଗଞ୍ଜାମର ଲୋକମାନେ ଭରସା କରି ଡବଲ ଇଞ୍ଜିନ ସରକାରକୁ ଆଣିଛନ୍ତି  । ଯଦି ଏହା କାହାକୁ ମିଛ ଲାଗୁଛି, ତେବେ ତାକୁ କଣ କୁହାଯିବ? ସ୍ୱର୍ଗକୁ ନେଶୁଣୀ ନାହିଁ, ବଡ ଲୋକଙ୍କୁ ଉତ୍ତର ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି  ।