ନିହତ ମାଓବାଦୀଙ୍କ ମଧ୍ୟରୁ କଟକରୁ ଜଣେ : ଏନକାଉଣ୍ଟର

ଭୁବନେଶ୍ୱର:  ନୂଆପଡ଼ା ଜିଲା ଓ ଛତିଶଗଡ଼ ଗରିଆବନ୍ଦ ସୀମା କୁଲାରିଘାଟ ଜଙ୍ଗଲରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳି ବିନିମୟରେ ନିହତ ହୋଇଥିବା ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଛି। ମୃତକ ୧୨ ଜଣ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଓଡ଼ିଶାର ବୋଲି ଜଣାପଡ଼ିଛି। ତେବେ ବଡ଼ କଥା ହେଉଛି କଟକ ଯାଏ ଲମ୍ବିଲାଣି ମାଓ ଚେର। ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ କଟକ ଜିଲାର ହୋଇଥିବା ସୂଚନା ମିଳିଛି। କଟକ ଜିଲା ନିଆଳି ଥାନା କୁଲାଶ୍ରୀ ଗାଁର ଆଲୋକ ଓରଫ ମୁନ୍ନା ମୃତ ମାଓବାଦୀଙ୍କ ମଧ୍ୟରେ ସାମିଲ। ତା’ ମୁଣ୍ଡ ଉପରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।

ସୂଚନାଯୋଗ୍ୟ, ନୂଆପଡା ଜିଲା ଓ ଛତିଶଗଡ଼ ଗରିଆବନ୍ଦ ସୀମା କୁଲାରିଘାଟ ଜଙ୍ଗଲରେ ଜାନୁଆରୀ ୨୦ରୁ ୨୩ ତାରିଖ ପର୍ୟ୍ୟନ୍ତ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁର୍ଦ୍ଦାନ୍ତ ମାଓବାଦୀ ଚଳପତି ସମେତ ୧୬ ମାଓବାଦୀ ନିହତ ହୋଇଥିଲେ। ଏଥିମଧ୍ୟରୁ ୧୨ଜଣଙ୍କ ପରିଚୟ ମିଳିଛି।