ଗଜା ହେଉନି ଡାଳୁଅ, ଚିନ୍ତାରେ ଚାଷୀ
ଦଶରଥପୁର: ଚାଷ କାର୍ଯ୍ୟ ଚାଲିଛି । କିନ୍ତୁ ଆରମ୍ଭରୁ ଟାଇଚୁନି ବା ଡାଳୁଅ ଧାନ ଗଜା ମରୁଡ଼ି ହେବାରେ ଲାଗିଛି । କାରଣ କ’ଣ ତାହା ଚାଷୀଙ୍କୁ ଅଜଣା ହୋଇଥିଲେ ହେଁ ବିହନ ପାଇଁ ଏଭଳି ହେଉଥିବାର ଆଶଙ୍କା ପ୍ରକାଶ ପାଇଛି । ଦଶରଥପୁର ବ୍ଲକ ଅଧିନ କୟାଁ, କମାରଡ଼ିହି, ଖାନନଗର, ନିଜାମପୁର, ଦତପୁର, ଥାଲକୁଡ଼ି, ଦୁଦୁରାଅନ୍ତା ଓ ବିରିପଟା ଆଦି ପଞ୍ଚାୟତ ଗୁଡିକ ବନ୍ୟା ପ୍ଲାବିତ ହୋଇଥିବାରୁ ଶାରଦ ଧାନ ଚାଷ ହୋଇନଥାଏ । ଏହି ଅଞ୍ଚଳର ଚାଷୀ ଟାଇଚୁନି ଚାଷ ଉପରେ ନିର୍ଭର କରିଥାନ୍ତି । ବର୍ତ୍ତମାନ ଚାଷ କାର୍ଯ୍ୟ ଅଛରା ଓ ରୁଆ ପୋତା କାର୍ଯ୍ୟ ଆରମ୍ଭ ହୋଇଛି । ଡାଳୁଅ ଚାଷ ପାଇଁ ମୁଖ୍ୟତଃ କାବେରୀ, ମମତା, ଦବଙ୍ଗ, ୧୦୦୧, ପ୍ରତାପ, ସିଗନେଟ ଆଦି ବିହନ ବ୍ୟବହାର କରାଯାଉଛି । ଚାଷ କାର୍ଯ୍ୟ ଜୋର ସୋରରେ ଚାଲୁଥିବା ବେଳେ ହଳ କାର୍ଯ୍ୟ ସାରି ଚାଷୀ ମାନେ ଅଛରା କାର୍ଯ୍ୟ କରୁଛନ୍ତି । ମାତ୍ର ଅଛରା ସମୟରେ ଯେଉଁ ପରିମାଣରେ ବିହନ ଚାଷୀ ଚାଷ କ୍ଷେତରେ ପକାଉଛନ୍ତି ସେ ପରିମାଣରେ ଧାନ ଗଛ ଉଠୁ ନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବିହନ ଗଜା ମରୁଡି ହେବା ଫଳରେ ଚଳିତ ବର୍ଷ ଡ଼ାଳୁଅ ଚାଷୀ ବହୁ ପରିମାଣରେ କ୍ଷତି ଗ୍ରସ୍ତ ହେବେ ବୋଲି କୃଷକ ନେତା ଧନେଶ୍ୱର ନାୟକ, ଚିତରଞ୍ଜନ ନାୟକ, ପ୍ରିୟବ୍ରତ ବିଶ୍ୱାଳ, ପ୍ରସନ୍ନ ନାୟକ, ବିଶ୍ୱବିଜୟ ନାୟକ, ଲଷ୍ମୀକାନ୍ତ ବାରିକ, ସୁରେଶ ନାୟକ, ଶଙ୍କର୍ଷଣ ବାରିକ, ବାବାଜି ବାରିକ, ନିରୋଦ ବାରିକ, ଦିଲୀପ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । କେଉଁ କାରଣରୁ ବିହନ ଗଜା ମରୁଛି ତାହା ସ୍ପଷ୍ଟ ଜଣା ପଡ଼ିନଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୃଷି ବିଭାଗର କୌଣସି ଅଧିକାରୀ ତଦନ୍ତରେ ଆସିନଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କୃଷି ବିଭାଗ ପକ୍ଷରୁ ତଦନ୍ତ କରାଯାଇ କେଉଁ କାରଣରୁ ଗଜା ମରୁଡି ହେଉଛି ତାହା ସ୍ପଷ୍ଟ କରିବା ସହ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଖୁବଶୀଘ୍ର ସରକାରୀ ସହାୟତା ଯୋଗେଇ ଦେବାକୁ ଯାଜପୁର ଜିଲାପାଳଙ୍କ ନିକଟରେ ଚାଷୀ ମାନଙ୍କ ପକ୍ଷରୁ ଦାବି ହୋଇଛି ।