ରାସ୍ତା ଶୋଚନୀୟ
ଭୁବନେଶ୍ୱର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ କଂସାରିଖାଲ ଗ୍ରାମର ରାସ୍ତା ଅତି ଶୋଚନୀୟ ହୋଇ ପଡିଛି । ସ୍ୱାଧୀନତାର ୭୭ବର୍ଷ ବିତି ଯାଇଥିଲେ ସୁଦ୍ଧା ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ହୋଇ ପାରିନାହିଁ । ସଦର ପଞ୍ଚାୟତର ୧୬ ନମ୍ବର ୱାର୍ଡ ରହିଛି । ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୫ କିମି ଦୂରରେ ଉକ୍ତ ଗ୍ରାମ ରହିଛି । କଲ୍ୟାଣସିଂହପୁର ଠାରୁ ପାର୍ଶାଲି ଯିବା ଆରଡ଼ି ରାସ୍ତା ଠାରୁ ୩ କିମି ଯିବା ପରେ ସେହିଠାରୁ ଡାହାଣ ପାର୍ଶ୍ୱରେ ଏକ ମାଟି ରାସ୍ତା ରହିଛି । ଆରଡ଼ି ରାସ୍ତା ଠାରୁ କଂସାରି ଖାଲ ଗ୍ରାମକୁ ପ୍ରାୟ ୨ କିମି ମାଟି ରାସ୍ତା ରହିଛି । ବର୍ତ୍ତମାନ ରାସ୍ତାଟି ଆବୁଡା ଖାବୁଡା ହୋଇ ରହିଛି । ରାସ୍ତାରେ ଚାଲି ଚାଲି, ବାଇକ ସାଇକେଲରେ ଯିବା ବହୁତ କଷ୍ଟ ହେଉଛି । ରୋଗୀ, ଗର୍ଭବତୀ, ଶିଶୁ ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ହେଲେ ଦୁଇ କିମି ଆରଡ଼ି ରାସ୍ତା ପର୍ଯ୍ୟନ୍ତ ବୋହି ଆଣିବା ପରେ ସେହି ଠାରୁ ରୋଗିବୁହା ଗାଡ଼ିରେ ଅବା ଅଟୋରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପଡୁଛି । ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିବା ସହ ବିଡ଼ିଓଙ୍କୁ ଲିଖିତ ଦେଇଥିବା ଗ୍ରାମବାସୀ କହିଛନ୍ତି ।