ସ୍ୱାଧୀନତା ସଂଗ୍ରାମୀ ବାଜାଲ
ଦଶରଥ ହେମ୍ବ୍ରମ୍ : ରାଜତନ୍ତ୍ର ଶୋଷଣ ଓ ବାହ୍ୟଶତ୍ରୁ କବଳରୁ ରକ୍ଷା ପାଇବା ନିମନ୍ତେ ଦେଶବ୍ୟାପୀ ଦେଖାଦେଇଥିବା ସ୍ୱାଧୀନତା ଆନ୍ଦୋଳନ ପ୍ରେକ୍ଷାପଟ୍ଟରେ ସାନ୍ତାଳଙ୍କ ଅବଦାନ ଅବିସ୍ମରଣୀୟ । ଦେଶରେ ଥିବା ସାନ୍ତାଳ ଜନବସତି ଅଞ୍ଚଳଗୁଡ଼ିକରେ ଇଂରେଜ ଶକ୍ତି ବିରୋଧରେ ସଂଗଠିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ସାନ୍ତାଳ ସଂଗ୍ରାମୀମାନେ ନିଜ ଜୀବନକୁ ଝାସ ଦେଇ ଇଂରେଜ ଗୁଳିରେ ସହିଦ ହୋଇଛନ୍ତି । କେବଳ ଇଂରେଜ ସରକାରଙ୍କ ଆଇନ, କାନୁନ ଓ ପୂର୍ଣ୍ଣ ନୀତି ବିରୋଧରେ ସାନ୍ତାଳମାନେ ଲଢେ଼ଇ କରି ନଥିଲେ, ଲଢେ଼ଇ କରିଥିଲେ ନିଜ ଜନ୍ମ ଭିଟାମାଟି, ହକ ଅଧିକାର ଏବଂ ସ୍ୱାଭିମାନ ପାଇଁ । ସବୁଠାରୁ ବଡ଼କଥା ହେଲା, ସାନ୍ତାଳମାନଙ୍କର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଧାର୍ମିକ ଉପରେ ଯେତେବେଳେ ଇଂରେଜମାନେ ସଂପୂର୍ଣ୍ଣ ହସ୍ତକ୍ଷେପ କରି ପ୍ରଶାସନିକ କ୍ଷମତାକୁ ଅପବ୍ୟବହାର କରିଲେ ସେତେବେଳେ ସାନ୍ତାଳମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଇଂରେଜ ସହିତ ଲଢେ଼଼ଇ କରିବାକୁ ଆଗେଇ ଆସିଥିଲେ । କିନ୍ତୁ ଇଂରେଜ ସପକ୍ଷରେ ଗଡ଼ଜାତ ରାଜାଙ୍କ ପୂର୍ଣ୍ଣ ସମର୍ଥନ ରହିବାରୁ ସାନ୍ତାଳଙ୍କ ଉପରେ ମାତ୍ରାଧିକ ଅତ୍ୟାଚାର ବଢ଼ିଯାଇଥିଲା । ଏସବୁ କାରଣରୁ ସାନ୍ତାଳ ସଂଗ୍ରାମୀମାନେ ଇଂରେଜ ଓ ରାଜାଙ୍କ ବିରୋଧରେ ଯୁଦ୍ଧ କରିବାକୁ ପଛାଇ ନଥିଲେ ।
ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ରାଜା-ଜମିଦାରମାନେ ଜନ ଅସନ୍ତୋଷର କାରଣ ହେବାରୁ ସେମାନେ ଶତ୍ରୁରୂପେ ଗଣା ହେଲେ । ଅନେକ ସ୍ଥଳରେ ବିଦ୍ରୋହୀ ପକ୍ଷ ଇଂରେଜ କର୍ତ୍ତୃପକ୍ଷଙ୍କୁ ମଧ୍ୟସ୍ଥି ଭାବେ ଗ୍ରହଣ କରିଲେ । ଯଦ୍ୱାରା ଇଂରେଜ ସରକାରଙ୍କୁ ମହାଶକ୍ତି ରୂପରେ ପାଇବାରୁ ସ୍ଥାନୀୟ ରାଜା-ଜମିଦାରମାନେ ପୂର୍ବାପେକ୍ଷା ଅତ୍ୟଧିକ ଅତ୍ୟାଚାରୀ ଓ ଅମାନବୀୟ ହୋଇପଡ଼ିଲେ । ଇଂରେଜ ସରକାର ମଧ୍ୟ ରାଜା-ଜମିଦାରମାନଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରି ଜନବିରୋଧୀ ଔପନିବେଶିକ ପରିବର୍ତ୍ତନ ଆଣିବା ସହଜ ହେଲା ଏବଂ ତା’ର ସୁବିଧାର ଫାଇଦା ମଧ୍ୟ ଉଠାଇଲେ । ଇଂରେଜମାନେ ନିଜକୁ ସ୍ୱାଧୀନତା, ଗଣତନ୍ତ୍ର ଓ ସାମାଜିକ ସୁରକ୍ଷା ଆଦିର ଉତ୍ପତ୍ତିସ୍ଥଳ ବୋଲି ଦାବି କରୁଥିବା ବେଳେ ରାଜା ଜମିଦାରଙ୍କ ମନମୁଖୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ଓ ସୁରକ୍ଷା ଦେବାରେ ସେମାନେ ପଛାଇଲେ ନାହିଁ । ଏପରି କାର୍ଯ୍ୟକଳାପଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପ୍ରଜା ଉତ୍ପୀଡ଼ନ ମାତ୍ରାଧିକ ନୃଶଂସତାରେ ପରିଣତ ହେଲା । ଯାହାଫଳରେ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଗଣତାନ୍ତ୍ରିକ ଆନ୍ଦୋଳନ ରୂପରେ ଜାତୀୟତାର ଉନ୍ମେଷ ଦେଖାଗଲା ଏବଂ ଗଡ଼ଜାତ ଅଞ୍ଚଳରେ ପାରମ୍ପରିକ ବିଦ୍ରୋହ ଜନ୍ମ ନେଲା । ଏହାର ଶେଷାର୍ଦ୍ଧରେ ଇଂରେଜ ଓ ରାଜା ଶାସନରେ ଆଦିବାସୀମାନଙ୍କ ଉପରେ ଶୋଷଣ ଓ ନିର୍ଯାତନା ଚରମ ସୀମାରେ ପହଞ୍ଚିଥିଲା । ଜଙ୍ଗଲକୁ କାଟି ସଫା କରି ଆଦିବାସୀମାନେ ଯେଉଁ ଚାଷଜମି ତିଆରି କଲେ ତାହା ସାହୁକାର, ସୁଧଖୋର ଓ ଜମିଦାରମାନେ ବିଭିନ୍ନ ଉପାୟରେ ହଡ଼ପ କରିନେଲେ । ‘ଜମି ଅଧିଗ୍ରହଣ ଆଇନ’ ପ୍ରଣୟନ କରାଗଲା । ଏହାଦ୍ୱାରା ଆଦିବାସୀଙ୍କ ଚାଷଜମିକୁ ଛଡେ଼ଇ ନେବାରେ ସୁବିଧା ହେଲା । ଏହି ଆଇନ ବଳରେ ଖଣି ଖାଦାନ, ରେଳ ଲାଇନ୍, କାରଖାନା ନିର୍ମାଣ ପାଇଁ ସରକାର ନାମକୁ ମାତ୍ର କ୍ଷତିପୂରଣ ଦେଇ ବର୍ଷବର୍ଷ ଧରି ଆଦିବାସୀମାନଙ୍କ ଦଖଲରେ ଥିବା ଜମିକୁ ବଳପୂର୍ବକ ଛଡେ଼ଇ ନିଆଗଲା । ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ଅଧିକାରକୁ କ୍ଷୁଣ୍ଣ କରି ଦିଆଗଲା । ଆଦିବାସୀଙ୍କ ଉପରେ ବାରମ୍ବାର ଅତ୍ୟଧିକ ଶୋଷଣ ଓ ନିର୍ମମ ଅତ୍ୟାଚାର ହେବାଯୋଗୁଁ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଲା । ଲୋକଙ୍କ ଉପରେ ଚାଲିଥିବା ଏଭଳି ଅକଥନୀୟ ଶୋଷଣ ଓ ନୃଶଂସ ଜୁଲୁମ୍ ଦେଖି ସାନ୍ତାଳ ଆଦିବାସୀ ଯୁବକ ବୀର ବାଜାଲ ସୋରେନ୍ଙ୍କ ନେତୃତ୍ୱରେ ଏକ ଆଦିବାସୀ ମହାମେଳି ହେଲା । ଏହାକୁ ରୋକିବାକୁ ହେଲେ ଏକମାତ୍ର ଉପାୟ ସ୍ୱରୂପ ଜନପ୍ରତିରୋଧର ଆବଶ୍ୟକତା ଅଛି ବୋଲି ସେ ଅନୁଭବ କଲେ ।
ତେଣୁ ମିଳିତ ସରକାର ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ଆଦିବାସୀଙ୍କୁ ଅନୁରୋଧ କରିଥିଲେ । ହଜାର ହଜାର ସଂଖ୍ୟାରେ ଆଦିବାସୀଙ୍କ ଯୋଗଦାନ ହେଲା । ବିଦ୍ରୋହର ମହାମନ୍ତ୍ର ସମଗ୍ର ଅଞ୍ଚଳରେ ପ୍ରକମ୍ପିତ ହେଲା । ଝାଡ଼ଖଣ୍ଡ ରାଜ୍ୟର ଗଡ୍ଡା ଜିଲ୍ଲା ସୁନ୍ଦରପାହାଡ଼ୀ ବ୍ଲକ ଅଧୀନରେ ଥିବା କାଲହାଝର ଗ୍ରାମରେ ବୀରବାଣ୍ଠା ବାଜାଲ୍ ସୋରେନଙ୍କ ଜନ୍ମ । ଗରିବଘରେ ଜନ୍ମ ହୋଇଥିବାରୁ ସେ ପାଠପଢ଼ାରୁ ବଞ୍ଚିତ ହୋଇଥିଲେ ମଧ୍ୟ ପିଲାବେଳରୁ ସେ ବିଚକ୍ଷଣ ବୁଦ୍ଧିମାନ ଓ ସାହସୀ ଥିଲେ । ଗାଈ ଚରାଇବାକୁ ପାହାଡ଼ ନିଅନ୍ତି । ତାଙ୍କ ବାପା-ମାଆ ଦିନ ମଜୁରିଆ କରି ଗୁଜୁରାଣ ମେଣ୍ଟାନ୍ତି । ବାଜାଲ୍ ଭଲ ବଇଁଶି ବାଦକ, ତେଣୁ ସବୁବେଳେ ବଇଁଶି ପାଖରେ ରଖିଥା’ନ୍ତି । ଦୁଃଖ, କଷ୍ଟ, ଯନ୍ତ୍ରଣା ଯେତେବେଳେ ଅନୁଭବ କରନ୍ତି ସେତେବେଳେ ବଇଁଶି ବଜାଇ ମନକୁ ହାଲୁକା କରିଦିଅନ୍ତି । ଏହିପରି ଭାବେ ସେମାନଙ୍କ ଜୀବନ ଅତିବାହିତ ହେଉଥିଲା । ସେହି ଜନବସତି ଅଞ୍ଚଳ ତଥା ସୁନ୍ଦରପାହାଡ଼ୀ ବ୍ଲକକୁ ନିୟନ୍ତ୍ରଣ କରିବା ପାଇଁ ରୁକୁସିଂ ତାମଲିଙ୍କୁ ସୁଧଖୋର ଓ ଜମିଦାର ପଦବୀରେ ମିଳିତ ସରକାର ନିଯୁକ୍ତି ଦେଇଥିଲା । କିଛିବର୍ଷ ପରେ ରୁକୁସିଂ ଆଦିବାସୀମାନଙ୍କ ଉପରେ ଅତ୍ୟଧିକ ଶୋଷଣ ଓ ଅମାନବୀୟ ଅତ୍ୟାଚାର ଆରମ୍ଭ କରିବା ସହିତ ସେମାନଙ୍କ ଜମିକୁ ହଡ଼ପ କରିନେଲେ । ଆଦିବାସୀ ମହିଳାମାନେ ଧର୍ଷଣରେ ଶିକାର ହେଲେ । କୋକୁଆ ଭୟ ଅଞ୍ଚଳରେ ରୁକୁସିଂ ସୃଷ୍ଟି କରିଚାଲିଲେ । ମାତ୍ରାଧିକ ଅତ୍ୟାଚାର ସହି ନପାରି ଅନେକ ଆଦିବାସୀ ପରିବାର ଅଞ୍ଚଳ ଛାଡ଼ି ଅନ୍ୟତ୍ର ଯିବାକୁ ବାହାରିଲେ । ଏସବୁ ଦେଖି ସାଧାରଣ ଜନତା ସାହୁକାର, ସୁଧଖୋର ଓ ମହାଜନ ପ୍ରଥା ବିରୋଧରେ ସ୍ୱରଉତ୍ତୋଳନ କଲେ । ମିଳିତ ସରକାର ବିରୋଧରେ ବିଦ୍ରୋହ ହେଲା ।
୧୮୮୫ରେ ମହାଜନ ରୁକୁସିଂ ତାମଲିଙ୍କୁ ବାଜାଲ ଧରିଥିବା ଟାଙ୍ଗୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲେ । ଇଂରେଜମାନେ ବାଜାଲଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ରୁଜୁ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିବାର ରାୟ ନ୍ୟାୟାଳୟ ଶୁଣାଇ ଦେଇଥିଲା । ଫାଶୀ ହେବା ପୂର୍ବରୁ ବାଜାଲଙ୍କ ଶେଷ ଇଚ୍ଛା କଣ ବୋଲି ପଚରା ଯାଇଥିଲା? ତେବେ ପ୍ରତ୍ୟୁତ୍ତରରେ ସେ କହିଲେ, କିଛି ସମୟ ବଇଁଶି ବଜାଇବି, କାରଣ ବଇଁଶି ମୋ ଜୀବନର ସୁଖ ଆଉ ଦୁଃଖ । ତେଣୁ ବଇଁଶି ବଜାଇବାକୁ ସୁଯୋଗ ଦିଆଗଲା । ବାଜାଲଙ୍କ ବଇଁଶି ସ୍ୱରରେ ଭାଗଲପୁର କୋର୍ଟରେ ଥିବା ଜେଲରଙ୍କ ଝିଅ ବାଜାଲ୍ ପ୍ରେମରେ ପଡ଼ିଯାଇଥିଲା । ବାଜାଲ୍ଙ୍କ ବଇଁଶି ସ୍ୱର ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲା, ଫାଶୀ ଦେବା ସମୟ ମଧ୍ୟ ଅତିବାହିତ ହେଲା । ପରେ ଜେଲରଙ୍କ ଝିଅର ଅନୁରୋଧକ୍ରମେ ନ୍ୟାୟାଳୟ ବାଜାଲ୍ଙ୍କୁ ନିର୍ଦୋଷ ଘୋଷଣା କଲା ଏବଂ ବାଜାଲଙ୍କ ସହିତ ଜେଲରଙ୍କ ଝିଅର ବିବାହ ହେଲା । ସେମାନଙ୍କ ପ୍ରେମ ବର୍ଣ୍ଣନା କଲେ ହୁଏତ ଜଣା ନାହିଁ କେତେ ଯୁଗ ଯେ ବିତିଯିବ । କିନ୍ତୁ ଆମେ ସମସ୍ତେ ଜାଣିଛୁ, କୃଷ୍ଣ ଭଗବାନ ରାଧା ରାଣୀଙ୍କୁ ଯେମିତି ପ୍ରେମ କରୁଥିଲେ ଓ ତାଙ୍କର ଅନ୍ତିମ ସମୟରେ ରାଧାଙ୍କ ପାଇଁ ବଇଁଶି ମଧ୍ୟ ବଜାଇଥିଲେ । ଯେତେବେଳେ ରାଧାଙ୍କ ମୃତ୍ୟୁ ହୋଇଗଲା କୃଷ୍ଣ ନିଜର ବଇଁଶି ଭାଙ୍ଗି ଦେଇଥିଲେ ।
ଠିକ୍ ସେମିତି ହିଁ, ବୀର ବାଜାଲ୍ଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପୂର୍ବରୁ ବଇଁଶି ବଜାଇବାକୁ ଯେତେବେଳେ ଜଜ୍ ସାହାବ ଅନୁମତି ଦେଲେ, ସେତେବେଳେ କୋର୍ଟରେ ଥିବା ଜେଲର୍ଙ୍କ ଝିଅ କାନରେ ବଇଁଶିର ସ୍ୱର ଶୁଭିଥିଲା ଆଉ ସେହି ସ୍ୱର ଦେଇଥିଲା ବୀର ବାଜାଲ୍ଙ୍କୁ ନୂଆ ଜୀବନ । ରାଧାରାଣୀ ଓ କୃଷ୍ଣ ଭଗବାନଙ୍କ ସିନା ବିବାହ ଅଧୁରା ହୋଇ ରହିଗଲା କିନ୍ତୁ ବୀର ବାଜାଲ୍ ଓ ଜେଲର୍ଙ୍କ ଝିଅର ବିବାହ ସତ ହେଲା, ମାତ୍ର ଏ ପ୍ରେମ କାହାଣୀ ଚିର ସ୍ମରିଣୀୟ । ବୀର ବାଜାଲ୍ଙ୍କ ବିବାହ ପରେ ବିଦ୍ରୋହର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଛାଡ଼ି ଘର ସଂସାର କଲେ । ତାଙ୍କର ସହଯୋଗୀ ମଧ୍ୟ ଅସ୍ତ୍ରଶସ୍ତ୍ର ଛାଡ଼ି ଚାଷବାସରେ ନିୟୋଜିତ ହେଲେ । ଇଂରେଜ ଓ ରାଜାଙ୍କ ଶୋଷଣ ନୀତି, ଅତ୍ୟାଚାର ଓ ଅମାନବୀୟ ଶାସନ ସେହି ଅଞ୍ଚଳରୁ ହଟେଇ ଦିଆଗଲା । ହେଲେ ସାନ୍ତାଳ ଆଦିବାସୀମାନଙ୍କ ଗୋଟିଏ ଦାବି ଥିଲା, “ଆମ ଦେଶରୁ ବିଦେଶୀମାନେ ତାଙ୍କ ଦେଶକୁ ଫେରିଯାଆନ୍ତୁ, ଆମ ମାତୃଭୂମିକୁ ଆମକୁ ଫେରାଇ ଦିଆଯାଉ, ଏହା ଆମ ଜନ୍ମଗତ ଅଧିକାର ।” ଏହି ସ୍ଲୋଗାନ ୧୯୪୭, ଅଗଷ୍ଟ ୧୫ ତାରିଖରେ ସଫଳ ହେଲା ।
ଦୁର୍ନୀତି ନିବାରଣ ଅଧିକାରୀ,ବାଲେଶ୍ୱର
ମୋ-୯୩୩୭୪୦୪୨୫୪