୩ରୁ ବନ୍ଦ ହେଇଯିବ ଷ୍ଟିୱାର୍ଟ ସ୍କୁଲ : ଅନ୍ଧକାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ
କାଳିଆପାଣି : କାଳିଆପାଣି ଅଞ୍ଚଳରେ ଥିବା ଏକମାତ୍ର ଆଇସିଏସଇ ମାଧ୍ୟମ ଷ୍ଟିୱାର୍ଟ ସ୍କୁଲ ସମ୍ପୂର୍ଣ ବନ୍ଦ ହେବାକୁ ଯାଉଛି । ଦୀର୍ଘ ୨୭ବର୍ଷଧରି ଟାଟା କମ୍ପାନୀ ପରିସର ମଧ୍ୟରେ ଥିବା ଏକମାତ୍ର ଇଂଲିଶ ମିଡିୟମ ସ୍କୁଲ ଆଉ ରହିବ ନାହିଁ । ଏକଥା ଷ୍ଟିୱାର୍ଟ ସ୍କୁଲରେ ହୋଇଥିବା ଅଭିଭାବକ ବୈଠକରୁ ଜଣାପଡିଛି । ଟାଟା କମ୍ପାନୀର ଚକ୍ରାନ୍ତ, ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତାରଣା ଏବଂ ସ୍ଥାନୀୟ ଅଞ୍ଚଳର ଅଭିଭାବକମାନଙ୍କ ଉଦାସୀନତା ଏହାର ମୁଖ୍ୟ କାରଣ । ପରିଣାମ ସ୍ୱରୂପ ଏ ଅଞ୍ଚଳର ଏକମାତ୍ର ଇଂଲିଶ ମିଡିୟମ ସ୍କୁଲ ବନ୍ଦ ହେବାକୁ ଯାଉଛି । ବିଗତ ୨ହଜାର ମସିହା ପୂର୍ବରୁ ଟାଟା କମ୍ପାନୀ ଏହି ସ୍କୁଲଟିକୁ ନିଜ କର୍ମଚାରୀଙ୍କ ପିଲାମାନଙ୍କ ନିମନ୍ତେ ଆରମ୍ଭ କରିଥିଲା । ଟାଟା କମ୍ପାନୀ କର୍ମଚାରୀଙ୍କ ପିଲାମାନଙ୍କ ବ୍ୟତୀତ ସ୍ଥାନୀୟ ଅଞ୍ଚଳର ପିଲାମାନେ ମଧ୍ୟ ଏହି ସ୍କୁଲଟିରେ ନାମ ଲେଖାଇ ଉଚ୍ଚ ଶିକ୍ଷିତ ହୋଇ ଅନେକ ସୁନାମ ଅର୍ଜନ କରିଛନ୍ତି । କିନ୍ତୁ ଟାଟା କମ୍ପାନୀର ଲିଜ ସମାପ୍ତ ପରଠାରୁ ଏହି ସ୍କୁଲର ଭବିଷ୍ୟତ ଏକରକମ ଅନ୍ଧକାରମୟ ଆଡକୁ ଚାଲିଯାଇଥିଲା । ଯେତେଦିନ ପର୍ଯ୍ୟନ୍ତ କମ୍ପାନୀ ଚାଲିଥିଲା ସେତେଦିନ ପର୍ଯ୍ୟନ୍ତ ସବୁ ଠିକଠାକ ଥିଲା ମାତ୍ର କମ୍ପାନୀର ଲିଜ ଅବଧି ଶେଷ ହେବା ପରେ ଏହାକୁ କମ୍ପାନୀ ଅଣଦେଖା କରିବା ଆରମ୍ଭ କଲା । ଯାହାକି ଅତି ଦୁଃଖର ବିଷୟ । ଯେଉଁ କମ୍ପାନୀ ଏସୁକିନ୍ଦା ଖଣି ଖାଦାନ ଅଂଚଳରୁ ଲକ୍ଷଲକ୍ଷ କୋଟି ଟଙ୍କାର ବ୍ୟବସାୟ କରି ହଜାର ହଜାର କୋଟି ଟଙ୍କାର ମାଲିକ ହୋଇପାରିଛି । ଏବେ ଏଠାରୁ ଚାଲିଯିବା ବେଳେ ଏଅଞ୍ଚଳର ଭବିଷ୍ୟତ ପିଢ଼ିକୁ ନଷ୍ଟ କରିବାର କୂଚକ୍ରାନ୍ତ କରି ସ୍କୁଲଟିକୁ ବନ୍ଦ କରିବାର ଯୋଜନା କରି ଚାଲିଯାଇଛି । ଯାହାକି ଏଅଞ୍ଚଳ ପାଇଁ ସାଂଘାତିକ ବିଶ୍ୱାସ ଘାତକତା । ଏଥିରୁ ଜଣାପଡୁଛି ଯେ କମ୍ପାନୀ ଏଅଞ୍ଚଳରେ କେବଳ ମାଟି ତାଡି କ୍ରୋମାଇଟ ବିକ୍ରି କରିବେ ଏବଂ ତା ପରିବର୍ତ୍ତେ ଏଅଞ୍ଚଳକୁ ଅଶିକ୍ଷିତ, ଅନୁନ୍ନତ, ରୋଗାକ୍ରାନ୍ତ ଏବଂ ଅବହେଳିତ କରି ଚାଲିଯିବେ । ଯାହାର ସଦ୍ୟ ଉଦାହରଣ ଷ୍ଟିୱାର୍ଟ ସ୍କୁଲ । ଏହି ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ କହିବା ଅନୁଯାଇ ଚଳିତ ବର୍ଷର ନୂତନ ବହି ଖାତା ସମସ୍ତ ଅଭିଭାବକ କିଣି ସାରିଛନ୍ତି । ମାତ୍ର ଏବେ ଜଣା ପଡୁଛି ଯେ ସ୍କୁଲଟି ସମ୍ପୂର୍ଣ ବନ୍ଦ ହେବାକୁ ଯାଉଛି । ଏଖବର ଜଣାପଡ଼ିବା ପରେ ଅନେକ ଅଭିଭାବକ ମାନଙ୍କ ମୁଣ୍ଡରେ ଚଡକ ପଡିଲା ପରି ଲାଗିଛି । ଏବେ ସେମାନଙ୍କ ପିଲାମାନଙ୍କ ଭବିଷ୍ୟତ କଣ ହେବ ଏବଂ ସେମାନେ କେଉଁଠି ପାଠ ପଢିବେ ତାହାକୁ ନେଇ ଚିନ୍ତା କରିପାରୁ ନାହାନ୍ତି ।