ଜଟଣୀରେ ଜମୁଛି ଗଣେଶ ପୂଜା : ଦର୍ଶକଙ୍କ ଆକର୍ଷଣ ସୂର୍ଯ୍ୟ ରଥରେ ବିରାଜିତ ରାଜା ବିନାୟକ ମହାରାଜା
ଜଟଣୀ : ଦର୍ଶକଙ୍କ ମନ ମୋହୁଛି ସହରର ଅନ୍ୟ ଏକ ଅଗ୍ରଣୀ ପୂଜା ଅନୁଷ୍ଠାନ ‘ପୋଷ୍ଟଅଫିସ ଛକ ବ୍ୟବସାୟୀ ସଙ୍ଘ’ । ସ୍ଥାନୀୟ ବ୍ୟବସାୟୀଙ୍କ କହିବା ଅନୁଯାୟୀ ଦଶ ଦଶନ୍ଧି ଧରି ପୋଷ୍ଟ ଅଫିସ ଛକର ବ୍ୟବସାୟୀ ସୀତାରାମ ଅଗ୍ରୱାଲ ନିଜେ ଏହି ପୂଜା ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ବ୍ୟବସାୟ ପ୍ରତିଷ୍ଠାନ ବୃଦ୍ଧିହେବାରୁ ବ୍ୟବସାୟୀମାନେ ଏକତ୍ରିତ ହୋଇ ପୂଜାକୁଅଧିକ ଆକର୍ଷଣୀୟ କରିବାକୁ ଯାଇ ୨୦୧୭ ମସିହାରୁ ପୋଷ୍ଟ ଅଫିସ ଛକରେ ପ୍ରତିବର୍ଷ ନୂତନ ଶୈଳୀରେ ପୂଜା ପାଳନ କରି ଆସୁଛନ୍ତ । ପ୍ରତିବର୍ଷ ଦର୍ଶକଙ୍କୁ ଆକୃଷ୍ଟ କରିବାପାଇଁ କିଛି କିଛି ନୂଆ କରିବାର ପ୍ରୟାସ ଜାରି ରହିଥାଏ । ଚଳିତବର୍ଷ ୩୦ ଫୁଟ ଉଚ୍ଚର ସୂର୍ଯ୍ୟ ରଥରେ ବିରାଜିତ ରାଜା ବିନାୟକ ମହାରାଜା ଶ୍ରୀଗଣେଶ ପ୍ରତିମୂର୍ତ୍ତି ସହ ମା’ ଲକ୍ଷ୍ମୀ ଏବଂ ସରସ୍ୱତୀ ପୂଜା ପାଉଥିବା ବେଳେ, ୩୨ ଫୁଟର ଦେବୀ ଏଲଇଡ଼ି ଲାଇଟ୍ ତୋରଣ ସହ ୫୨ଫୁଟର ୱାଲ ଟାୱାର, ୪୨ ଫୁଟର କଟକ ଚଣ୍ଡୀମନ୍ଦିର ମୁଖଶାଳା ଏଲଇଡି ତୋରଣ ଦର୍ଶକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ସନ୍ଧ୍ୟାହେଲେ ହଜାର ହଜାର ଦର୍ଶକଙ୍କ ସମାଗମ ଦେଖିବାକୁ ମିଳୁଛି । ଗଣେଶ ଚତୁର୍ଥୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ଚୂଡାଘଷା ସହ ବିଭିନ୍ନ ଫଳ ଭୋଗ ଲାଗି ହେଉଛି । ମାନସିକଧାରୀଙ୍କ ଦ୍ୱାରା ଖେଚୁଡ଼ି ଭୋଗ ଏବଂ ସନ୍ଧ୍ୟାରେ ପାଳିଭୋଗ ଠାକୁରଙ୍କ ପାଖରେ ଲାଗି ହୁଏ । ଦେଶ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କେବଳ ଗଣେଶ ପୂଜା ପାଇବାର ପରମ୍ପରା ଥିବାବେଳେ ଜଟଣୀ ଗଣେଶ ପୂଜାରେ ମା’ ସରସ୍ୱତୀ ଏବଂ ମା’ ଲକ୍ଷ୍ମୀଙ୍କ ସହ ଗଜାନନ ପୂଜା ପାଇବାରପରମ୍ପରା ଚାଲିଆସିଛି । କମିଟି ତରଫରୁ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ମେକାନିଜିମ୍ ସରଞ୍ଜାମ ଏବଂ୫୨ଫୁଟ୍ ଉଚ୍ଚର ୱାଲ ଟାୱାର ଏଲଇଡି ଲାଇଟ୍ ଗେଟ୍ ଶୋଭା ପାଉଛି ବୋଲି କମିଟି ସଭାପତି ହେମନ୍ତକୁମାର ସୁନ୍ଦରାୟ ପ୍ରକାଶ କରିଛନ୍ତି । ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବରେ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା କମିଟି ସମ୍ପାଦକ ମାନସ ରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି ।