ତାରା, ଧ୍ରୁବ ଓ ବ୍ରଜଙ୍କୁ ଗୃହର ନିନ୍ଦା
Odisha Assembly

ଭୁବନେଶ୍ୱର : ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ଅଶୋଭନୀୟ ମନ୍ତବ୍ୟ ଦେଇଥିବାରୁ ବିଧାୟକ ସର୍ବଶ୍ରୀ ତାରା ପ୍ରସାଦ ବାହିନୀପତି, ଧ୍ରୁବଚରଣ ସାହୁ ଓ ବ୍ରଜ କିଶୋର ପ୍ରଧାନଙ୍କୁ ଗୃହ ନିନ୍ଦା କରିଛି । ତାଙ୍କ ବିରୋଧରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ନିନ୍ଦା ପ୍ରସ୍ତାବ ଆଣିଥିଲେ । ଏହାକୁ ନେଇ ଗୃହରେ ବିରୋଧୀ ତୁମୁଳ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ବିଧାୟକ ଧ୍ରୁବଚରଣ ସାହୁ ଧାରଣାରେ ବସିଥିବାବେଳେ ବିରୋଧୀ ବିଜେଡ଼ି ଓ କଂଗ୍ରେସ ବାଚସ୍ପତିଙ୍କ ବିରୋଧରେ ନାରାବାଜି କରି ହଙ୍ଗାମା କରିଥିଲେ । ବିଧାୟକ ମାଧବ ଧଡ଼ା ଓ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପୂର୍ବରୁ ଗୃହ ନିନ୍ଦା କରିଥିଲା ।
ଆଜି ଶୂନ୍ୟକାଳରେ କହିବାକୁ ସୁଯୋଗ ନମିଳିବାରୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେଡି ବିଧାୟକ ବ୍ରଜ ପ୍ରଧାନ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ । ଏପରିକି ତାରା ବାହିନୀପତି ଗୃହରେ କାଗଜ ଫିଙ୍ଗିବା ସହ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ କିଛି କହୁଥିବା ଶୁଣିବାକୁ ମିଳିଥିଲା । ତାଙ୍କ ସହ ବିଧାୟକ ବ୍ରଜ ପ୍ରଧାନ ଓ ଧ୍ରୁବ ସାହୁ ମଧ୍ୟ ସ୍ୱର ମିଳାଇଥିଲେ । ତେବେ ଅପରାହ୍ନରେ ବିଧାୟିକା ଉପାସନା ମହାପାତ୍ର ଓ ସଞ୍ଜଳୀ ମୁର୍ମୁ ଏହି ପ୍ରସଙ୍ଗ ଉଠାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ତିନି ସଭ୍ୟଙ୍କ ଆଚରଣ ନେଇ ନିନ୍ଦା ପ୍ରସ୍ତାବ ଆଣିଥିଲେ । ଗୃହ ଏହାକୁ ସମର୍ଥନ କରିବା ପରେ ପ୍ରତିବାଦରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସୁରମା ପାଢ଼ୀ ଏହାକୁ ଏଥିକ୍ସ କମିଟିକୁ ଅନୁଧ୍ୟାନ ପାଇଁ ପଠାଗଲା ବୋଲି ରୁଲିଂ ଦେଇଥିଲେ । ବାଚସ୍ପତି ହାଏ ହାଏ, ବାଚସ୍ପତି ତୁମ ମନମୁଖୀ ଶାସନ ଚାଲିବ ନାହିଁ ବୋଲି ସେମାନେ ନାରାବାଜି କରିଥିଲେ । ଏମିତିକି ଅଧିବେଶନ ଶେଷ ବେଳକୁ ବାଚସ୍ପତି ସତ୍ରାବସାନ ସଂକ୍ରାନ୍ତରେ କହୁଥିବାବେଳେ ବିରୋଧୀ ନାରାବାଜି ଜାରି ରଖିôଥିଲେ ।