୨୨ରୁ ମହଙ୍ଗା ମାଡ଼ରୁ ମୁକ୍ତି

ନୂଆଦିଲ୍ଲୀ: ଆସନ୍ତା ୨୨ରୁ ଆଉ ଜିଏସଟିରେ ୧୨% ଓ ୨୮% ସ୍ଳାବ ରହିବନି । ସାଧାରଣ ନାଗରିକଙ୍କୁ ମହଙ୍ଗା ମାଡ଼ରୁ ମୁକ୍ତି ଦେବା ପାଇଁ ଜିଏସଟି ପରିଷଦ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ୧୨% ଟିକସ ଲାଗୁଥିବା ୯୯% ସାମଗ୍ରୀରେ ଜିଏସଟି ଏବେ ୫% ଲାଗିବ । ସେହିପରି ୯୦% ସାମଗ୍ରୀରେ ଜିଏସଟି ୨୮%ରୁ ୧୮% ସ୍ଳାବକୁ ଖସିଆସିବ । ତେବେ ଡଜନେରୁ ଉଦ୍ଧ୍ୱର୍ ଲକ୍ସରୀ ସାମଗ୍ରୀ, ପାନମସଲା ଓ ତମାଖୁ ସାମଗ୍ରୀରେ ୪୦% ସିନ୍ ଟ୍ୟାକ୍ସ ଲାଗିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ ସୂଚନା ଦେଇଛନ୍ତି । ତେବେ ଏହାଦ୍ୱାରା ବିଭିନ୍ନ ରାଜ୍ୟଗୁଡ଼ିକ ଅଢ଼େଇ ଲକ୍ଷ କୋଟିରୁ ଉଦ୍ଧ୍ୱର୍ ରାଜସ୍ୱ କ୍ଷତି ସହିବେ ବୋଲି ଆକଳନ କରାଯାଇଛି ।
ଜିଏସଟି ସ୍ଳାବ ଉଚ୍ଛେଦ ପରେ ୧୭୫ ପ୍ରକାର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦାମ୍ କମିଯିବ । ବିଶେଷକରି କ୍ଷୀର, ପନିର, ସ୍ନାକ୍ସ ଓ ପାଉରୁଟି ଦାମ ହ୍ରାସ ପାଇବ । ଏସି ଓ କାର୍ ଉପରେ ୧୮% ଜିଏସଟି ଲାଗୁ ହେବ । ସେହିପରି ପ୍ରାକୃତିକ ମେନ୍ଥଲ, ସାର, ହସ୍ତତନ୍ତ, ମାର୍ବଲ, ଗ୍ରାନାଇଟ୍ ଆଦି ଉପରୁ ୧୨% ଜିଏସଟି ଉଚ୍ଛେଦ ହୋଇଥିବାବେଳେ ଆଗକୁ ମାତ୍ର ୫% ଜିଏସଟି ଦେବାକୁ ପଡ଼ିବ । ଅପରପକ୍ଷରେ ୨୮% ସ୍ଳାବରେ ଥିବା ୯୦% ସାମଗ୍ରୀ ଉପରେ ମାତ୍ର ୧୮% ଜିଏସଟି ଲାଗିବ । ଏସି, ୩୨ ଇଞ୍ଚରୁ ଅଧିକ ଟେଲିଭିଜନ, ଡିସୱାସ ମେସିନ୍, ସିମେଣ୍ଟ, ଛୋଟ କାର, ମୋଟର ସାଇକେଲ, ବସ, ଟ୍ରକ, ଆମ୍ବୁଲାନ୍ସ, ଅଟୋ ପାର୍ଟସ ଆଦି ଦର କମିଯିବ । ଅପରପକ୍ଷରେ ପାନ ମସଲା, ତମାଖୁ, ସିଗାରେଟ, ବିଡ଼ି ପ୍ରମୁଖ ସାମଗ୍ରୀର ଦାମ ମହଙ୍ଗା ହୋଇଯିବ । ଏସବୁ ସାମଗ୍ରୀ ଉପରେ ୪୦% ସିନ୍ ଟ୍ୟାକ୍ସ ଲାଗୁ ହେବ ।
୫୬ତମ ଜିଏସଟି ପରିଷଦ ବୈଠକରେ ନିଆଯାଇଛି ବଡ ନିଷ୍ପତ୍ତି । ଏଣିକି ସାରା ଦେଶରେ ଦୁଇଟି ସ୍ଲାବ ଜିଏସଟି ଲାଗୁ ହେବ । ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ । ଏହା ଆସନ୍ତା ୨୨ ତାରିଖ ଠାରୁ ଲାଗୁ ହେବ । ଏହାଦ୍ୱାରା ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବ । ସୌଖିନ ଓ ତମାଖୁ ଜାତ ସାମଗ୍ରୀ ଉପରେ ୪୦ ପ୍ରତିଶତ ସ୍ଲାବ ଲାଗୁ ହେବ । ଏହାସହ ପୂର୍ବରୁ ଥିବା ୧୨ ଓ ୨୮ ପ୍ରତିଶତ ଜିଏସଟି ସ୍ଲାବକୁ ସରକାର ବନ୍ଦ କରିଦେଇଛନ୍ତି । ଏଣିକି ରୁଟି ଓ ପରଠା ଉପରେ ଲାଗିବନି ଜିଏସଟି । କ୍ଷୀର, ଛେନା ଓ ପାଉଁରୁଟି ଉପରୁ ଉଠିଲା ଜିଏସଟି । ଏହାସହ ୩୩ ପ୍ରକାର ଜରୁରୀ ମେଡିସିନ ଉପରୁ ଜିଏସଟି ହଟିଯାଇଛି । ସିମେଣ୍ଟ ୨୮ରୁ ୧୮ ପ୍ରତିଶତ ସ୍ଲାବକୁ ଆସିଥିବା ବେଳେ ପାୱାର ଚଷମା ୨୮ରୁ ୫ ପ୍ରତିଶତ ସ୍ଲାବକୁ ଖସିଛି । ଏନେଇ ଆଜି ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ଆଜି ବୈଠକରେ ରାଜ୍ୟଗୁଡ଼ିକ କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ ଦୁଇ-ସ୍ଲାବ୍ ଜିଏସଟି ଗଠନ ଉପରେ ସହମତି ପ୍ରକାଶ କରିଥିଲେ । କିନ୍ତୁ ସେମାନେ ସମ୍ଭାବ୍ୟ ରାଜସ୍ୱ କ୍ଷତିର ସମାଧାନ ପାଇଁ ନିଶ୍ଚିତ କ୍ଷତିପୂରଣ ବ୍ୟବସ୍ଥା ଦାବି କରିଛନ୍ତି । ବିରୋଧୀ ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଦୁଇ-ସ୍ଲାବ୍ ଜିଏସଟି ଗଠନ ସପକ୍ଷରେ ମତ ପୋଷଣ କରିଥିଲେ । କିନ୍ତୁ ଆଶା କରାଯାଇଥିବା କ୍ଷତି ପୂରଣ ପାଇଁ ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟତା ଉପରେ ଜିଦ୍ ଧରିଛନ୍ତି । ଝାଡ଼ଖଣ୍ଡ, ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଭଳି ବିରୋଧୀ ରାଜ୍ୟଗୁଡ଼ିକ ରାଜସ୍ୱ କ୍ଷତି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି ।
ପୂର୍ବରୁ ବିରୋଧୀ ରାଜ୍ୟଗୁଡ଼ିକ ଦର୍ଶାଇଥିଲେ ଯେ ସମସ୍ତ ରାଜ୍ୟ ପାଇଁ ମୋଟ ରାଜସ୍ୱ କ୍ଷତି ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା ହୋଇପାରେ, କିଛି କିଛି ରାଜ୍ୟ୧୦ ହଜାର-୧୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତିର ସମ୍ମୁଖୀନ ହେଉଛନ୍ତି । ରାଜ୍ୟଗୁଡ଼ିକ ଚିନ୍ତା ପ୍ରକାଶ କରିଥିଲେ ଯେ ରାଜସ୍ୱ କ୍ଷତି ସିଧାସଳଖ ସେମାନଙ୍କର ସାମାଜିକ କଲ୍ୟାଣ ଏବଂ ବିକାଶ କାର୍ଯ୍ୟକ୍ରମକୁ ପ୍ରଭାବିତ କରିବ ।