ଫିନଫ୍ଲୁଏନ୍ସର
 ଡାକ୍ତର ସମ୍ରାଟ କର : ଡିଜିଟାଲ ଯୁଗ । ଏହି ଡିଜିଟାଲ ଯୁଗରେ ଇନଫ୍ଲୁଏନ୍ସର ବେଶ ଚର୍ଚ୍ଚିତ ଶବ୍ଦ । ପ୍ରତ୍ୟେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ନିତିଦିନ ଏମାନଙ୍କୁ ଦେଖନ୍ତି, ଶୁଣନ୍ତି ଓ କେତେକ ଏମାନଙ୍କ ପରି ହେବାର ଅଭିଳାଷ ମଧ୍ୟ ରଖନ୍ତି । ଆମ ଖାଦ୍ୟପେୟ, ପୋଷକ, ଜୀବନଶୈଳୀ ସବୁ ଉପରେ ଏମାନଙ୍କର ପ୍ରଭାବ ପଡ଼ିଥାଏ । କିନ୍ତୁ ଏହି ଇନଫ୍ଲୁଏନ୍ସରମାନଙ୍କ ଭିତରେ ଏବେ ଫିନଫ୍ଲୁଏନ୍ସରମାନେ ମଧ୍ୟ ଲୋକଙ୍କୁ ପ୍ରଭାବିତ କରୁଛନ୍ତି । ଫିନଫ୍ଲୁଏନ୍ସରମାନେ ମଧ୍ୟ ଏକ ପ୍ରକାର ଇନଫ୍ଲୁଏନ୍ସର । ଏମାନଙ୍କୁ ଫାଇନାନ୍ସ ଇନଫ୍ଲୁଏନ୍ସର କୁହାଯାଏ । ବ୍ୟାପକ ଅର୍ଥରେ ବୁଝିବାକୁ ଗଲେ ଯେଉଁ ଇନଫ୍ଲୁଏନ୍ସରମାନେ ଅର୍ଥ ନିବେଶ ସମ୍ବନ୍ଧରେ ନିବେଶକାରୀମାନଙ୍କୁ ବୁଝାଇଥାନ୍ତି ସେମାନଙ୍କୁ ଫାଇନାନ୍ସ ଇନଫ୍ଲୁଏନ୍ସର ବା ଫିନଫ୍ଲୁଏନ୍ସର କୁହାଯାଏ । ସାଧାରଣତଃ ଷ୍ଟକ ମାର୍କେଟ, ବାଣିଜ୍ୟ, ବ୍ୟକ୍ତଗତ ଫାଇନାନ୍ସ ଓ ମୁ୍ୟଚୁଆଲ ଫଣ୍ଡ ପରି ଆର୍ଥିକ ପ୍ରସଙ୍ଗ ଗୁଡ଼ିକ ଉପରେ ଏମାନେ ପରାମର୍ଶ ଦେଇଥାନ୍ତି । ଏହି ଫିନଫ୍ଲୁଏନ୍ସରମାନେ ୟୁଟୁ୍ୟବ, ଇନଷ୍ଟାଗ୍ରାମ, ଫେସବୁକ, ବ୍ଲଗ ପରି ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଅର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଆଲୋଚନା କରିଥାନ୍ତି । ପାରମ୍ପରିକ ଆର୍ଥିକ ଶିକ୍ଷାଦାନ ଅନୁଷ୍ଠାନ ତୁଳନାରେ ଏହି ଫିନଫ୍ଲୁଏନ୍ସର ମାନଙ୍କ ଠାରୁ ଅର୍ଥ ସମ୍ବନ୍ଧୀୟ ଟିପ୍ପଣୀ ବୁଝିବା ଅଧିକ ସହଜ ହୋଇଥାଏ । ଏମାନେ ବିଭିନ୍ନ ଇନଫୋଗ୍ରାଫିକ ଫିଚରର ବ୍ୟବହାର କରି ସୂଚନାଗୁଡ଼ିକୁ ପ୍ରଭାବଶାଳୀ କରନ୍ତି । ଏଥିସହିତ ବିଭନ୍ନ ମିମ ଓ ଉପଯୁକ୍ତ ଗୀତର ବ୍ୟବହାର କରି ଏମାନେ ବିଷୟବସ୍ତୁକୁ ଅଧିକ ଆକର୍ଷଣୀୟ କରିଥାନ୍ତି । କିଛି ଫିନଫ୍ଲୁଏନ୍ସର ବିନା ମୂଲ୍ୟରେ ମଧ୍ୟ ନିଜ ଅନୁସରଣକାରୀଙ୍କୁ ଫାଇନାନ୍ସ ସହ ଜଡ଼ିତ ସମସ୍ତ ଶିକ୍ଷା ଦେଇଥାନ୍ତି । ଅନେକ ଫିନଫ୍ଲୁଏନ୍ସର ନିଜ ଭିଡ଼ିଓ ମାଧ୍ୟମରେ ଲୋକଙ୍କୁ ଅର୍ଥ ସମ୍ବନ୍ଧୀୟ ଠକାମି ବିଷୟରେ ସଚେତନ କରାଇଥାନ୍ତି । କିନ୍ତୁ ଡିଜିଟାଲ ପ୍ଲାଟଫର୍ମରେ ଏପରି ଅନେକ ତଥାକଥିତ ଫିନଫ୍ଲୁଏନ୍ସର ଅଛନ୍ତି ଯେଉଁମାନେ ନିଜର ଆର୍ଥିକ ଲାଭ ପାଇଁ ଅନୁସରଣକାରୀଙ୍କୁ ଭୁଲ ତଥ୍ୟ ଦେଇଥାନ୍ତି । ଫାଇନାନ୍ସ ସମ୍ବନ୍ଧୀୟ ତଥ୍ୟ ବା ନିଷ୍ପତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏସବୁରେ ଠିକ ତଥ୍ୟରେ ଆବଶ୍ୟକତା ରହିଛି । ଏଣୁ ଆପଣ ଯଦି କେବେ କେଉଁ ଫିନଫ୍ଲୁଏନ୍ସରଙ୍କର ପ୍ରଭାବରେ ଆସି ଆର୍ଥିକ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି ତେବେ ସତ୍ୟତାର ଯାଞ୍ଚ ନିଶ୍ଚିତ କରାନ୍ତୁ । ସୁରକ୍ଷା ନିମନ୍ତେ ସେ ବି ସିକୁ୍ୟରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ଼ ଅଫ ଇଣ୍ଡିଆ ପକ୍ଷରୁ ଅଣପଞ୍ଜୀକୃତ ଫିନଫ୍ଲୁଏନ୍ସର ମାନଙ୍କୁ ଅର୍ଥନିବେଶ ସମ୍ବନ୍ଧୀୟ ଉପଦେଶ ଦେବାରୁ ନିବୃତ୍ତ କରାଯାଇଛି । 
ମାନସିକ ରୋଗ ବିଶେଷଜ୍ଞ, ଦି'ବ୍ରେନ୍, ପୁରୀଘାଟ ରୋଡ଼, କଟକ
                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
             
    
 
    
 
 
 
