ରୋଗ ବାଣ୍ଟୁଛି କାଗଜ କପ ଚା'

ରୋଗ ବାଣ୍ଟୁଛି କାଗଜ କପ ଚା'

ଡାକ୍ତର ପ୍ରଫୁଲ୍ଲ କୁମାର ଦାସ : କାମ ବ୍ୟସ୍ତତା ଭିତରେ ଟିକିଏ ରିଲାକ୍ସ ପାଇଁ ହେଉ ଅବା ଅଭ୍ୟାସଗତ ଭାବେ ଯୁବ ବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚା' କଫି ଆଦି ପିଇବାକୁ ଭଲ ପାଆନ୍ତି । ତେଣୁ ସହରଠୁ ଆରମ୍ଭ କରି ଗାଁ ରାସ୍ତାପାଶ୍ୱର୍, କଲୋନୀ, ବସ୍ତିରେ ଚା ଦୋକାନ ଖୋଲିଛି । ପୂର୍ବରୁ କାଚ ଗ୍ଲାସ, ଚିନାମାଟି କିମ୍ବା ମାଟି କପରେ ଚା ଦେଉଥିଲେ ଦୋକାନୀ । ହେଲେ ଏବେ ଏହାର ସ୍ଥାନ ନେଇଛି କାଗଜ କପ୍ । ଏହା ଦୋକାନୀଙ୍କ ପାଇଁ ସୁବିଧାଜନକ ହେଉଥିଲେ ମଧ୍ୟ ଗ୍ରାହକଙ୍କ ପାଇଁ ବିପଦ ସାଜୁଛି । ଏହି ୟୁଜ୍ ଆଣ୍ଡ୍ ଥ୍ରୋ ବା ଏକକ ବ୍ୟବହାର ଯୋଗ୍ୟ କପ ଅଜାଣତରେ ଗ୍ରାହକଙ୍କୁ ରୋଗ ବାଣ୍ଟୁଛି ।
କାଗଜ କପକୁ ୱାଟରପ୍ରୁଫ କରିବା ପାଇଁ ସେଥିରେ କେମିକାଲ ମିଶୁଛି । ଗରମ ଚା' କିମ୍ବା କଫି ସଂସ୍ପର୍ଶରେ ଆସିବା ମାତ୍ରେ ତାହା ତରଳି ଚାରେ ମିଶି ପେଟକୁ ଯାଇ ରୋଗ ସୃଷ୍ଟି କରୁଛି । କାଗଜ କପରେ ଚା ପିଇବା ଦ୍ୱାରା କ୍ୟାନସର ଠାରୁ ଆରମ୍ଭ କରି ପେଟ ସମସ୍ୟା ଏବଂ ଅନ୍ୟାନ୍ୟ ରୋଗ ସୃଷ୍ଟି ହେବାର ଆଶଙ୍କା ରହୁଛି । ସେହିପରି ଅନେକ ଲୋକ କ୍ଷୀର କିମ୍ବା ଜରି କମ୍ବା ଅନ୍ୟାନ୍ୟ ଜରିରେ ଚା ପାର୍ସଲ ନେଉଛନ୍ତି । ଏହାଦ୍ୱାରା ମଧ୍ୟ ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଯଦି ଲୋକମାନେ ସଚେତନ ନ ହେବେ ତେବେ ଭବିଷ୍ୟତରେ ସେମାନେ ନିହାତି ରୋଗରେ ପଡ଼ିବେ । 
କାଗଜ କପ୍ରେ ଚା' ପିଇବା ଦ୍ୱାରା ଶରୀରର କ୍ଷତି ହେଉଥିବା ନେଇ ଆଇଆଇଟି ଖଡ଼ଗପୁରର ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି । କାଗଜ କପରେ ଗରମ ଚା' ପିଇବା ଦ୍ୱାରା କ୍ୟାନସର ଭଳି ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି । ସେହିପରି ଡାଇରିଆ, ପାଚନ ଶକ୍ତି କ୍ଷୟ, କିଡ଼ନୀ ନଷ୍ଟ ହେବାର ମଧ୍ୟ ସମ୍ଭାବନା ଅଧିକ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । କାଗଜ କପ୍ ଡିସପୋଜ ହେଉଥିଲେ ମଧ୍ୟ ଏଥିପାଇଁ ସମୟ ଲାଗିଥାଏ । ଅପରପକ୍ଷେ ଚା ପିଇସାରି ଲୋକମାନେ ଏଣେତେଣ କପ ଫୋପାଡୁ ଥିବାରୁ ଏହାଦ୍ୱାରା ଆଖପାଖ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସେପ୍ଟେମ୍ବର ୧୧ରୁ ଚା ଦୋକାନୀଙ୍କ ପାଇଁ ଏକ ନିଦେ୍ର୍ଦଶନାମା ଜାରି କରାଯାଇଛି । କୌଣସି ଦୋକାନୀ ଏକକ ବ୍ୟବହାର ବା କାଗଜ କପରେ ଚା ନଦେଇ ପୁନଃ ଉପଯୋଗ ହୋଇପାରୁଥିବା ମାଟି କପ, କାଚଗ୍ଲାସ ଆଦିରେ ଚା କିମ୍ବା କଫି ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହା ସତ୍ତ୍ୱେ ରାଜଧାନୀର ଚା' ବ୍ୟବସାୟୀମାନେ ନିଦେ୍ର୍ଦଶକୁ ମାନୁନାହାଁନ୍ତି । ଲୋକମାନେ ମଧ୍ୟ ଅଚିନ୍ତାରେ କାଗଜ ଉପରେ କପରେ ଚା ଓ କଫି ପିଉଥିବା ଦେଖାଯାଉଛି । ଶରୀର ପାଇଁ ଏହା ଯେ କେତେ ଭୟଙ୍କର ବିପଦ ଆଣୁଛି ତାହା ହୁଏତ ଲୋକେ ଜାଣିନାହାନ୍ତି ବା ସଚେତନ ନୁହଁନ୍ତି । ଏପରି ସ୍ଥିତିରେ ଆଇଆଇଟି ଗବେଷଣା ଓ ବିଏମସିର ନିଦେ୍ର୍ଦଶନାମା ବେଶ ଗୁରୁତ୍ୱ ବହନ କରୁଛି । 
କନସ୍ଲଣ୍ଟାଟ ରେଡ଼ିଓଲୋଜିଷ୍ଟ, ଏମ୍ଆରଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ