ଏମ୍ସିଏଲ୍ ପକ୍ଷରୁ ସ୍ୱାସ୍ଥ୍ୟ ସେବା ପାଇଁ ଅନୁଦାନ ମଞ୍ଜୁର
ସମ୍ବଲପୁର : ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ୍ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଆରୋଗ୍ୟ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଜିଲ୍ଲାରେ ରକ୍ତଶିକୁଳ ଓ ଯକ୍ଷ୍ମାର ମୁକାବିଲା ପାଇଁ ଏହି ପ୍ରକଳ୍ପ କମ୍ପାନୀର ସିଏସ୍ଆର୍ ଜରିଆରେ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ୭ କୋଟି ୨ ଲକ୍ଷ ଟଙ୍କାର ଅନୁଦାନ ଏମ୍ସିଏଲ୍ ମଞ୍ଜୁର କରିଛି । ପ୍ରକଳ୍ପ ସକାଶେ ଏମ୍ସିଏଲ୍ ପକ୍ଷରୁ ଜିଏମ୍ ବିଚିତ୍ରାନନ୍ଦ ବେହେରା ଏବଂ କନ୍ଧମାଳ ସିଡିଏମ୍ ଓ ପିଏଚ୍ଓ ସନ୍ତୋଷ କୁମାର ପାଢ଼ୀଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା କନ୍ଧମାଳର ଏଡିଏମ୍ ରମେଶଚନ୍ଦ୍ର ଜେନା ଓ କମ୍ପାନୀର ଡେପୁଟି ମ୍ୟାନେଜର ଅରବିନ୍ଦ ସାହୁ ଉପସ୍ଥିତ ଥିଲେ । ବୁଝାମଣା ଅନୁଯାୟୀ ଯକ୍ଷ୍ମାରୋଗର ସମ୍ପୂର୍ଣ୍ଣ ଚିକିତ୍ସା ଓ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରାଯିବ । ରୋଗ ନିରୂପଣ, ପରୀକ୍ଷାଗାର ଏବଂ ଉପକରଣ, ଯାନବାହନ, ଯକ୍ଷ୍ମାରୋଗୀମାନଙ୍କୁ ୭ ହଜାର ୨ଶହ ଟଙ୍କା ଖାଦ୍ୟ ବାସ୍କେଟ ଯୋଗାଇ ଦିଆଯିବ । କମ୍ପାନୀ ପକ୍ଷରୁ କନ୍ଧମାଳରେ ୨୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।