ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି 

ସମ୍ବଲପୁର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସମ୍ବଲପୁରର ପ୍ରଥମ ଆଡଭୋକେଟ ଓ ନଗରପାଳ ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗତକାଲି କୁଲୁଥକାନୀ ନାଗରିକ କମିଟି, ସମ୍ବଲପୁର ବିଚାରମଞ୍ଚ ପ୍ରଭୃତି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ମୃତି ସଭା ଆୟୋଜନ କରାଯାଇଥିଲା । ନାଗରିକ କମିଟିର ସଭାପତି ରାଜେନ୍ଦ୍ର କୁମାର ପଟ୍ଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ମୁଖ୍ୟଅତିଥି, ସାମ୍ବାଦିକ ଶଙ୍କର ବେହେରା ମୁଖ୍ୟବକ୍ତା ଏବଂ କବି କମଳ କୁମାର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସମାଜ ସଂସ୍କାର, ନାରୀ ଶିକ୍ଷା କ୍ଷେତ୍ରରେ ଚନ୍ଦ୍ରଶେଖର ବେହେରାଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ମୋହନ ପୁରୋହିତ ଏବଂ ଉଦିତ୍ ଚନ୍ଦ୍ର ପାଟ୍ଟଯୋଶୀ, କାର୍ତ୍ତିକେଶ୍ୱର ମେହେରଙ୍କୁ କମିଟି ପକ୍ଷରୁ ପ୍ରଶସ୍ତିପତ୍ର ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ଅରବିନ୍ଦ ନାୟକ ସଭା ସଞ୍ଚାଳନ କରିଥିଲେ । ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ଆବାହକ ବେଣୁଧର ଦାଶଙ୍କ ନେତୃତ୍ୱରେ ପୌରପରିଷଦ ପରିସରରେ ଥିବା ସ୍ୱର୍ଗତ ବେହେରାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଳି ଜ୍ଞାପନ କରାଯାଇଥିଲା । ଶିକ୍ଷାର ପ୍ରସାର, ଜାତିପ୍ରଥାର ଉଚ୍ଛେଦ, ସମାଜରେ ଅସମାନତା ଦୂରକରଣ କ୍ଷେତ୍ରରେ ସ୍ୱର୍ଗତ ବେହେରାଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ । ଅମୂଲ୍ୟ ମିଶ୍ର, ଗୋଲକ ବିହାରୀ ମିଶ୍ର (ମୁନୁ ବାବୁ), ଅନ୍ନପୂର୍ଣ୍ଣା ବାରିକ୍, ମମତା ପଣ୍ଡା, ବୀରେନ୍ଦ୍ର ରାୟ, ଶ୍ରୀକା" ପାଣିଗ୍ରାହୀ, ଅରୁଣ ଦାଶ, ଦୁର୍ଗାମାଧବ ମିଶ୍ର, ଡ. ଚକ୍ରଧର ଧର, ଦିଲ୍ଲୀପ ପଣ୍ଡା, ଭୁବନେଶ୍ୱର ନନ୍ଦ, ଜୟଗୋପାଳ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।