ଚିନ୍ତା ବଢ଼ାଇଛି ୩ରୋଗ : ସ୍ଥିତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ଡିପ୍ଥେରିଆ, ଜଣ୍ଡିସ୍ ଏବଂ ଜାପାନିଜ୍ ଏନ୍ସେଫାଲାଇଟିସ୍ ରୋଗ ଚିନ୍ତା ବଢ଼ାଇଛି। ଏହାର ପ୍ରତିକାର ନିମନ୍ତେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ୩ରୋଗ ବ୍ୟାପିଥିବା ଜିଲାଗୁଡ଼ିକରେ ଆବଶ୍ୟକ ଟିକାକରଣ, ପାନୀୟଜଳ ଯୋଗାଣ ଏବଂ ଚିକିତ୍ସା ସେବା ଯୋଗାଇଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସମ୍ପୃକ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁର ଜିଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ଥିତିର ସମୀକ୍ଷା କରିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ କହିଛନ୍ତି, ଗତ ୧୦ ଦିନ ହେଲା ଡିପ୍ଥେରିଆର ନୂଆ ମାମଲା ସାମ୍ନାକୁ ଆସିନାହିଁ। ସମସ୍ତଙ୍କୁ ଟିକାକରଣ କରାଯାଉଛି। ଘରକୁ ଘର ପିଇବା ପାଣି ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଅପହଞ୍ଚ ଥିବା ଗାଁକୁ ରାସ୍ତା ସଂଯୋଗ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗ ପ୍ରତିରୋଧକ ଶକ୍ତି କମିଲେ ଏଭଳି ରୋଗ ହେବାର ସମ୍ଭାବନା ଅଧିକ ରହିଛି। ତାକୁ ନିୟନ୍ତ୍ରଣ କରିବାକୁ କାମ ଚାଲିଛି। ଡିପ୍ଥେରିଆରେ ମୃତ୍ୟୁ ହୋଇଥିବା ଜଣେ ଶିଶୁକୁ ଟିକା ଦିଆଯାଇ ନ ଥିବାନେଇ ଜିଲା ପ୍ରଶାସନ ସୂଚନା ଦେଇଛି।
ଆମେ ସମ୍ପୂର୍ଣ୍ଣ ଟିକାକରଣ ସହ ସଚେତନତା ପାଇଁ ନିର୍ଦ୍ଦେଶ ଦେଇଛୁ। ତେବେ କୋରାପୁଟରେ ଗୋଟେ ସପ୍ତାହରେ ଅଜଣା ରୋଗରେ ୪ ଶିଶୁଙ୍କ ଜୀବନ ଯାଇଥିବା ସୋମବାର ଖବର ମିଳିଛି। ଡିପ୍ଥେରିଆରେ ଏମାନଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେହିପରି ସମ୍ବଲପୁରରେ ବ୍ୟାପିଥିବା ଜଣ୍ଡିସ ଉପରେ ମନ୍ତ୍ରୀ ସମୀକ୍ଷା କରି କହିଛନ୍ତି, ଏହା ଉପରେ ଆମେ ନଜର ରଖିଛୁ। ଜିଲା ପ୍ରଶାସନ ପକ୍ଷରୁ ଖାଦ୍ୟ ପଦାର୍ଥ ଓ ପାନୀୟ ଜଳର ନମୁନା ଯାଞ୍ଚ କରାଯାଉଛି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା ପାଇପ୍ ସବୁ ବଦଳାଯାଉଛି। ୱାଟ୍କୋ ପକ୍ଷରୁ ଘରକୁ ଘର ବୁଲି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଇନ୍ ସବୁକୁ ତନଖି କରାଯାଇଛି। ତେବେ ଅନେକ ଘରକୁ ନାଳ ତଳ ଦେଇ ବେଆଇନ ଭାବେ ସଂଯୋଗ ହୋଇଥିବା ପାଇପ ଲାଇନ୍ ଯାଇଛି। ଆଉ ସେଥିରୁ ସଂକ୍ରମଣ ବ୍ୟାପୁଥିବା ଜଣାପଡ଼ୁଛି। ତେବେ ଆଗାମୀ ୪ ଦିନ ମଧ୍ୟରେ ଏହି ସବୁ ବେଆଇନ ଓ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଯାଇଥିବା ଘରୋଇ ପାଇପ ସଂଯୋଗକୁ ହଟାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ପଡ଼ିଲେ ସେ ନିଜେ ସମ୍ବଲପୁର ଯାଇ ଘଟଣାର ସମୀକ୍ଷା କରିବେ ବୋଲି ମନ୍ତ୍ରୀ କହିଛନ୍ତି।
ଜଣ୍ଡିସ ନ ବ୍ୟାପିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ନିରୀକ୍ଷଣ କରାଯାଉଛି। ସହରରେ ଆବଶ୍ୟକସ୍ଥଳେ ସ୍ବଚ୍ଛ ପାନୀୟ ଜଳ ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦେବା ସହ ହାଲୋଜିନ୍ ବଟିକା ବିତରଣ କରିବା ଓ ସମସ୍ତ ବେଆଇନ ପାଣି ସଂଯୋଗକୁ ବିଚ୍ଛିନ୍ନ କରିବାକୁ କୁହାଯାଇଛି।