ପାଦ ସୁନ୍ଦର ଦିଶିବା ପାଇଁ ଘରୋଇ ଉପାୟରେ କିପରି ପାଦର ଯତ୍ନ ନେବେ, ଜାଣନ୍ତୁ
ଅଧିକାଂଶ ଲୋକେ ହାତ, ମୁହଁ, ଚର୍ମ, କେଶ ଓ ତ୍ୱଚାର ଯତ୍ନ ନିଅନ୍ତି, କିନ୍ତୁ ପାଦର ସ୍ୱଚ୍ଛତାକୁ ଭୁଲି ଯାଆନ୍ତି। ଏହି କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ। ବିଶେଷ କରି ପାଦର ଯତ୍ନ ନ ନେବା ଦ୍ୱାରା ଫଙ୍ଗଲ ସଂକ୍ରମଣ ହୋଇପାରେ। ତେଣୁ ଏହାକୁ ଏଡାଇବା ପାଇଁ ଘରୋଇ ଉପାୟରେ କିପରି ପାଦର ଯତ୍ନ ନେବେ, ଜାଣନ୍ତୁ...
ନିୟମିତ ଭାବରେ ପାଦ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। କୌଣସି କଟା, ଦାଗ, ଫୁଲା କିମ୍ବା ଲାଲ୍ ପଡିଯିବା ଭଳି ଅସ୍ୱାଭାବିକତା ଅଛି କି ନାହିଁ ନୀରିକ୍ଷଣ କରନ୍ତୁ। ମଧୁମେହ କିମ୍ବା ପେରିଫେରାଲ୍ ନ୍ୟୁରୋପାଥି ରୋଗୀଙ୍କ ପାଇଁ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନେ ପାଦରେ କୌଣସି ଯନ୍ତ୍ରଣା ଅନୁଭବ କରିପାରନ୍ତି ନାହିଁ। ତେଣୁ ନିୟମିତ ଭାବେ ପାଦକୁ ଯାଞ୍ଚ କରନ୍ତୁ।
ଖାଲି ପାଦରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ କୁହାଯାଏ ସତ, କିନ୍ତୁ ସବୁ ସ୍ଥାନ ପାଇଁ ଏହା ପ୍ରଯୁଜ୍ୟ ନୁହେଁ। ତେଣୁ ସର୍ବଦା ପରିଷ୍କାର-ପରିଚ୍ଛନ୍ନ ଥିବା ସ୍ଥାନରେ ଚାଲିବାକୁ ଚେଷ୍ଟା କରନ୍ତୁ। ସର୍ବସାଧାରଣ ସ୍ଥାନରେ ଆଦୌ ଖାଲି ପାଦରେ ଚାଲନ୍ତୁ ନାହିଁ।
ଦିନକୁ ଦୁଇଥର ପାଦ ଧୋଇ ଦିଅନ୍ତୁ
ପାଦ ଧୋଇବା ମଧ୍ୟ ନିତ୍ୟକ୍ରମ। କିନ୍ତୁ ଅନେକ ଲୋକ ଏଥିରେ ଅବହେଳା କରନ୍ତି। ବାହାରୁ ଆସିବା ପରେ ନିଶ୍ଚିତ ରୂପରେ ପାଦ ଧୁଅନ୍ତୁ। ଅତି କମରେ ଗୋଟିଏ ଦିନରେ ନିଶ୍ଚିତ ରୂପେ ଦୁଇ ଥର ପାଦ ଧୋଇବା ଅଭ୍ୟାସ ରଖନ୍ତୁ। ଏହା ଫଳରେ ମଇଳା, ଜୀବାଣୁ ଆଦି ସଫା ହୋଇଯାଇଥାଏ।
ପାଦ ଧୋଇ ସାରିବା ପରେ ଓଦା ପାଦରେ ଅଧିକ ସମୟ ରୁହନ୍ତୁ ନାହିଁ। ବିଶେଷ କରି ଓଦା ପାଦରେ ସ୍ଲିପର୍, ସକ୍ସ କିମ୍ବା ବୁଟ୍ ପିନ୍ଧନ୍ତୁ ନାହିଁ। ଆଙ୍ଗୁଠି ସନ୍ଧିରେ ବେଶି ସମୟ ପାଣି ରହିବାକୁ ଦିଅନ୍ତୁ ନାହିଁ। ଶରୀରର ସୁସ୍ଥତା ପାଇଁ ଯେପରି ଅନ୍ୟାନ୍ୟ ଅଙ୍ଗର ଯତ୍ନ ନେଉଛନ୍ତି, ଠିକ୍ ସେହିପରି ପାଦର ଧ୍ୟାନ ନିଅନ୍ତୁ। ପାଦକୁ ନିୟମିତ ଭାବେ ମଶ୍ଚରାଇଜ୍ କରନ୍ତୁ। ଏପରି କରିବା ଦ୍ୱାରା ଶୁଷ୍କ ଏବଂ ଫଟା ପାଦ ସମସ୍ୟାକୁ ଦୂର କରାଯାଇ ପାରିବ।
ସୁନ୍ଦର ସକ୍ସ ଅପେକ୍ଷା ପରିଷ୍କାର-ପରିଚ୍ଛନ୍ନ ଥିବା ସକ୍ସ ପିନ୍ଧିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ସକ୍ସକୁ ସଫା ନକରି ବାରମ୍ବାର ପିନ୍ଧନ୍ତୁ ନାହିଁ। ସର୍ବଦା ବୁଟ୍ ଓ ସକ୍ସକୁ ସଫା ରଖନ୍ତୁ।